Advertisment

ଆତିଶୀ: ଅକ୍ସଫୋର୍ଡ, ଜୈବିକ ଚାଷ ଓ ମୁଖ୍ୟମନ୍ତ୍ରୀ

ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆତିଶୀ ଉପ ରାଜ୍ୟପାଲଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Atishi

Atishi

ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ଆତିଶୀ ମାର୍ଲେନା ସିଂହ ଓରଫ ଆତିଶୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆତିଶୀ ଉପ ରାଜ୍ୟପାଲଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିଛନ୍ତି।

Advertisment

୪୩ ବର୍ଷୀୟ ଆତିଶୀ ବେଶ କିଛି ମାସ ହେଲା ଆପ୍‌ର ସଙ୍କଟମୋଚକ ଭାବେ ଉଭା ହୋଇ ଆସିଥିଲେ। ଏବେ ତାଙ୍କୁ ଏହାର ଫାଇଦା ମିଳିଛି। ସେ ସୁଷମା ସ୍ୱରାଜ ଓ ଶୀଲା ଦିକ୍ଷୀତଙ୍କ ପରେ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି।

ଦକ୍ଷିଣ ଦିଲ୍ଲୀର କାଲକାଜିରୁ ବିଧାୟକ ହୋଇଥିବା ଆତିଶୀ ଆପ୍‌ର ଜଣେ ବରିଷ୍ଠ ନେତା। ତାଙ୍କ ରାଜନୀତିକ ଯାତ୍ରା କୌଣସି ଚମତ୍କାର ଠାରୁ କମ ନୁହେଁ। ଏକଦା ସେ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଶିକ୍ଷା ବିଭାଗରେ ପରାମର୍ଶଦାତା ଭାବେ କାମ କରୁଥିଲେ। ଏହାପରେ ମନ୍ତ୍ରୀ ହେଲେ ଓ ଏବେ ସେ ଅରବିନ୍ଦ କେଜ୍ରିୱାଲଙ୍କ ସ୍ଥାନରେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

Advertisment

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ବିଜୟ କୁମାର ସିଂହ ଓ ତ୍ରିପତା ୱାହି ହେଉଛନ୍ତି ଆତିଶୀଙ୍କ ବାପା ଓ ମା’। ଆତିଶୀ ପ୍ରଥମେ ଦିଲ୍ଲୀର ସ୍ପ୍ରିଙ୍ଗଡେଲ ସ୍କୁଲରେ ଶିକ୍ଷା ଲାଭ କରିଥିଲେ। ଏହାପରେ ସେ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଇତିହାସରେ ଡିଗ୍ରୀ ହାସଲ କରିଥିଲେ।

ଏହାପରେ ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଚିଭନିଙ୍ଗ ବୃତ୍ତି ପାଇ ଭର୍ତ୍ତି ହୋଇଥିଲେ। ସେଠାରେ ସେ ତାଙ୍କର ପ୍ରଥମ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ସେ ପୁଣି ରୋଡ୍‌ସ ସ୍କଲାର ଭାବେ ଅକ୍ସଫୋର୍ଡକୁ ଫେରି ଶିକ୍ଷା ଗବେଷଣାରେ ଦ୍ୱିତୀୟ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ।

ରାଜନୀତିକୁ ଆସିବା ପୂର୍ବରୁ ଆତିଶୀ ଓ ତାଙ୍କ ସ୍ୱାମୀ ପ୍ରବୀଣ ସିଂହ ପ୍ରାୟ ୭ ବର୍ଷ ଧରି ମଧ୍ୟପ୍ରଦେଶର ଗୋଟିଏ ଛୋଟିଆ ଗାଁରେ ଜୈବିକ ଚାଷ କରିଥିଲେ। ପ୍ରବୀଣ ସିଂ ହେଉଛି ଆଇଆଇଟି ଦିଲ୍ଲୀ ଓ ଆଇଆଇଏମ ଅହମଦାବାଦର ଡିଗ୍ରୀଧାରୀ।

ଜୈବିକ ଚାଷ ସହ ଉଭୟ ଶିକ୍ଷା ଉପରେ ବିଭିନ୍ନ କାର୍ଯ୍ୟକ୍ରମ କରିଥିଲେ। ଆତିଶୀ ବିଭିନ୍ନ ଏନଜିଓ ସହ ମିଶି ତୃଣମୂଳ ସ୍ତରରରେ କାମ କରୁଥିବା ବେଳେ ଆପ୍‌ର ସଦସ୍ୟମାନଙ୍କ ସହ ତାଙ୍କର ଭେଟ ହୋଇଥିଲା। ଏହାପରେ ତାଙ୍କର ରାଜନୀତିକ ଯାତ୍ରା ଆରମ୍ଭ ହୋଇଥିଲା।

ରାଜନୀତିକ କ୍ୟାରିୟର

୨୦୧୩ ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ ଆତିଶୀ ଆପ୍‌ର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆପ ଆରମ୍ଭରୁ ଯେଉଁ ସବୁ ପ୍ରମୁଖ ନୀତି ପ୍ରଣୟ କରୁଥିଲା, ତା’ ପଛରେ ଆତିଶୀ ରହିଥିଲେ। ଆପର ରାଜନୀତିକ ବ୍ୟାପାର ସଦସ୍ୟ ଥିବା ଆତିଶୀ କାଲକାଜି ନିର୍ବାଚନ ମଣ୍ଡଳୀ ପ୍ରତିନିଧିତ୍ୱ କରୁଛନ୍ତି ଓ ପୂର୍ବ ଦିଲ୍ଲୀ ୟୁନିଟ ଦାୟିତ୍ୱରେ ଅଛନ୍ତି। ଶିକ୍ଷା ବିଭାଗର ପରାମର୍ଶଦାତା ଭାବେ ଆତିଶୀ ଦିଲ୍ଲୀ ସ୍କୁଲ ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିଥିଲେ। ତାଙ୍କ ପରାମର୍ଶରେ ସ୍କୁଲଗୁଡ଼ିକର ରୂପାନ୍ତରଣ ସହ ଗୁଣାନ୍ତରଣ ହୋଇଥିଲା।

୨୦୨୩ ମାର୍ଚ୍ଚ ମାସରେ ଆତିଶୀ ଦିଲ୍ଲୀର ମନ୍ତ୍ରୀ ହୋଇଥିଲେ। ମନୀଷ ସିସୋଦିଆ ଜେଲରେ ଥିବାରୁ ସେ କେଜ୍ରିୱାଲଙ୍କ ଡାହାଣ ହାତ ଭାବେ କାମ କରି ଦିଲ୍ଲୀ ସରକାରର ୧୪ଟି ବିଭାଗର ଦାୟିତ୍ୱ ନେଇଥିଲେ।

କେଜ୍ରିୱାଲଙ୍କ ସହ ତାଙ୍କର ଭଲ ବୁଝାମଣା ରହିଥିଲା। ଏଥିପାଇଁ କେଜ୍ରିୱାଲ ଜେଲରେ ରହି ତାଙ୍କ ସ୍ଥାନରେ ଆତିଶୀଙ୍କୁ ଅଗଷ୍ଟ ୧୫ରେ ଜାତୀୟ ପତାକା ଉତ୍ତୋଳନ କରିବାକୁ କହିଥିଲେ।

ଲୋକସଭା ନିର୍ବାଚନ ବେଳେ ଆତିଶୀ ଆପ୍‌ର ପ୍ରଚାର ଦାୟିତ୍ୱର ନେତୃତ୍ୱ ନେଇଥିଲେ। ଜୁନ ମାସରେ ହରିୟାଣା ସରକାରଙ୍କ ଯୋଗୁ ଦିଲ୍ଲୀରେ ଜଳ ସଙ୍କଟ ଦେଖାଯାଉଥିବା ଅଭିଯୋଗ କରି ଆତିଶୀ ଆମରଣ ଅନଶନ ମଧ୍ୟ କରିଥିଲେ।

Arvind Kejriwal AAP Atishi