Advertisment

ରହସ୍ୟ ଘେରରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ମତ୍ସ୍ୟ ବିଜ୍ଞାନୀଙ୍କ ମୃତ୍ୟୁ

ଅୟପ୍ପନ ସରକାରଙ୍କର ବହୁ ବଡ଼ ବଡ଼ ପଦବୀରେ ରହି କାର୍ଯ୍ୟ କରିଥିଲେ। ସେ ଭୁବନେଶ୍ୱର ସ୍ଥିତ ସିଫା (ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫ୍ରେଶୱାଟର ଆକ୍ୱାକଲ୍‌ଚର)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ।

author-image
Jitendra Garnayak
Subbanna Ayappanna

Subbanna Ayappanna

ନିଖୋଜ ହେବାର ତିନି ଦିନ ପରେ ଗତ ୧୦ ତାରିଖରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ମତ୍ସ୍ୟ ବିଜ୍ଞାନୀ ସୁବ୍ବାନ୍ନା ଅୟପ୍ପନଙ୍କ ମୃତଦେହ ମିଳିଥିବା ବେଳେ ତାଙ୍କର ମୃତ୍ୟୁ କେମିତି ହେଲା, ତା’ ଉପରୁ ପରଦା ଉଠିପାରିନାହିଁ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅୟପ୍ପନ କାବେରୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଥାଇପାରନ୍ତି। ତାଙ୍କ ମୃତ୍ୟୁର ପ୍ରକୃତ କରାଣ ଜଣାପଡ଼ିନାହିଁ। ତଦନ୍ତ ଶେଷ ହେବା ପରେ ତାଙ୍କର ମୃତ୍ୟୁ କେମିତି ହେଲା, ତାହା ଜଣାପଡ଼ିବ ବୋଲି ପୁଲିସ କହିଛି।

Advertisment

ଭାରତର ନୀଳ ବିପ୍ଳବ ବା ବ୍ଲ୍ୟୁ ରିଭୋଲ୍ୟୁସନରେ ଅନ୍ୟତମ ପୁରୋଧା ସାଜିଥିବା ଅୟପନ୍ନଙ୍କୁ ମୃତ୍ୟୁ ବେଳକୁ ୬୯ ବର୍ଷ ହୋଇଥିଲା। ନୀଳ ବିପ୍ଳବ ଯୋଗୁ ଦେଶରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଥିଲା। ଅୟପନ୍ନ ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟ ଚାଷ ଉପରେ ଗୁରୁତ୍ୱ ଦେଉଥିଲେ। ସେ ହେଉଛନ୍ତି ପ୍ରଥମ ମତ୍ସ୍ୟ ବିଜ୍ଞାନୀ ଯିଏ ଭାରତୀୟ କୃଷି ଗବେଷଣା ପରିଷଦ ବା ଆଇସିଏଆରର ମହାନିର୍ଦ୍ଦେଶକ ପଦରେ ବସିଥିଲେ। ଏହା ଏକ ଇତିହାସ। କାରଣ ପାରମ୍ପରିକ ଭାବେ ଆଇସିଏଆରର ମହାନିର୍ଦ୍ଦେଶକ ଜଣେ କୃଷି ବିଜ୍ଞାନୀ ହିଁ ହୋଇଥା’ନ୍ତି।

ଅୟପ୍ପନ ମହୀଶୂରରେ ରହୁଥିଲେ। ମେ’ ୭ ତାରିଖରେ ସେ ନିଖୋଜ ହୋଇଯାଇଥିଲେ। ତେଣୁ ତାଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ତାଙ୍କୁ ଶେଷ ଥର ପାଇଁ ମହୀଶୂର ସ୍ଥିତ ତାଙ୍କ ଫ୍ଲାଟ୍‌ରୁ ଏକ ସ୍କୁଟ୍‌ରେ କେଉଁଆଡ଼େ ଯାଉଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ସେ ଆଉ ଘରକୁ ନ ଫେରିବାରୁ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ପରେ ଶ୍ରୀରଙ୍ଗାପାଟଣାରୁ କାବେରୀ ନଦୀରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। କାବେରୀ ନଦୀରେ ଏକ ମୃତଦେହ ଭାସୁଥିବା ନେଇ ପୁଲିସ ଖବର ପାଇଥିଲା। ମୃତଦେହକୁ ଉଦ୍ଧାର କରିବା ପରେ ତାହା ଅୟପ୍ପନଙ୍କର ବୋଲି ପୁଲିସ ଚିହ୍ନଟ କରିଥିଲା।

Advertisment
Ayappanna୨୦୨୨ରେ ଅୟପ୍ପନଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ପୁଲିସ କହିଛି ଯେ ମୃତଦେହଟି ନଷ୍ଟ ହୋଇଯାଇଥିଲା। ତାଙ୍କ ଶରୀରର କୌଣସି ସ୍ଥାନରେ କ୍ଷତ ନଥିଲା। ସେ ତାଙ୍କ ଫୋନ୍ ଘରେ ଛାଡ଼ି ଯାଇଥିଲେ। ତେଣୁ ଆତ୍ମହତ୍ୟା ସନ୍ଦେହକୁ ପ୍ରତ୍ୟାଖ୍ୟାନ କରାଯାଇପାରିବ ନାହିଁ। ବ୍ୟବଚ୍ଛେଦ ପରେ ଅୟପ୍ପନଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ଘରେ ଅୟପ୍ପନଙ୍କ ପତ୍ନୀ ଓ ଦୁଇ ଝିଅ ଅଛନ୍ତି।

ଅୟପ୍ପନ ମତ୍ସ୍ୟ ଚାଷରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ସେ ସରକାରଙ୍କର ବହୁ ବଡ଼ ବଡ଼ ପଦବୀରେ ରହି କାର୍ଯ୍ୟ କରିଥିଲେ। ସେ ଭୁବନେଶ୍ୱର ସ୍ଥିତ ସିଫା (ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫ୍ରେଶୱାଟର ଆକ୍ୱାକଲ୍‌ଚର)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ସେହିପରି ମୁମ୍ବାଇ ସ୍ଥିତ ସିଆଇଏଫଇର ନିର୍ଦ୍ଦେଶକ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ହାଇଦ୍ରାବାଦସ୍ଥିତ ଏନ୍‌ଏଫଡିବି (ନ୍ୟାସନାଲ ଫିସେରିସ୍‌ ଡେଭେଲପମେଣ୍ଟ ବୋର୍ଡ)ର ସେ ଥିଲେ ପ୍ରତିଷ୍ଠାତା ସିଇଓ। ଅୟପ୍ପନ କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ସହିତ ଇମ୍ଫାଲ ସ୍ଥିତ ସିଏୟୁର କୁଳପତି ଭାବେ କାର୍ଯ୍ୟ କରିଥିଲେ। ମୃତ୍ୟୁ ବେଳକୁ ସେ ଏନ୍‌ଏବିଏଲ୍‌ (National Accreditation Board for Testing and Calibration Laboratories)ର ଅଧ୍ୟକ୍ଷ ଥିଲେ। ଦେଶରେ ମତ୍ସ୍ୟ ଚାଷ କ୍ଷେତ୍ରରେ ତାଙ୍କର ଅଭିନବ କାର୍ଯ୍ୟ କେବଳ ଏହି କ୍ଷେତ୍ରରେ ଲୋକଙ୍କ ଭାବନାକୁ ବଦଳାଇ ନଥିଲା, ଏହା ଖାଦ୍ୟ ସୁରକ୍ଷା ଓ ଗ୍ରାମୀଣ ଜୀବନଜୀବିକାରେ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ନିଜ କ୍ଷେତ୍ରରେ ଉତ୍କର୍ଷତା ପାଇଁ ତାଙ୍କୁ ୨୦୨୨ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।