/odisha-reporter/media/post_attachments/uploadimage/library/16_9/16_9_0/Musa_1753698854.jpg)
Musa
ଲୋକସଭାରେ ପହଲଗାମ ନରସଂହାର ଓ ଅପରେସନ ସିନ୍ଦୂରକୁ ନେଇ ବିତର୍କ ଆରମ୍ଭ ହୋଇଛି। ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଥମେ ମତ ରଖିବା ସହ ବିତର୍କକୁ ବିଧିବଦ୍ଧ ଭାବେ ଆରମ୍ଭ କରିଛନ୍ତି। ଏହାପରେ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ମତ ରଖିବା ସହ ପହଲଗାମ ନରସଂହାରରେ ସାମିଲ ଥିବା ଆତଙ୍କବାଦୀଙ୍କୁ ସରକାର କାହିଁକି ଧରିପାରିଲେ ନାହିଁ ବୋଲି ପ୍ରଶ୍ନ କରିଥିଲେ। ବାସ ଏହି ସମୟରେ ଜମ୍ମୁ-କଶ୍ମୀରରୁ ଆସିଛି ବଡ଼ ଖବର।
ଭାରତୀୟ ସେନା ଅପରେସନ ମହାଦେବ ଜରିଆରେ ୩ ବିଦେଶୀ ଆତଙ୍କବାଦୀଙ୍କୁ ନିପାତ କରିଛି। ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଦୀର୍ଘ ସମୟର ଜୋରଦାର ଗୁଳି ବିନିମୟ ଓ ଛକାପଞ୍ଝା ପରେ ସୁରକ୍ଷାକର୍ମୀ ୩ ଜଣ ଆତଙ୍କବାଦୀଙ୍କୁ ସଫା କରିଛନ୍ତି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏମାନଙ୍କ ମଧ୍ୟରେ ପହଲଗାମ ନରସଂହାରର ମାଷ୍ଟରମାଇଣ୍ଡ ହାଶିମ ମୁସା ଓରଫ ସୁଲେମାନ ଶାହ ରହିଥିବା ଜାତୀୟ ଗଣମାଧ୍ୟମଗୁଡ଼ିକ ସୂତ୍ରକୁ ଆଧାର କରି ରିପୋର୍ଟ ପ୍ରକାଶ କରିଛନ୍ତି।
କିନ୍ତୁ ସେନା ପକ୍ଷରୁ ବିଧିବଦ୍ଧ ଭାବେ ନିପାତ ୩ ଆତଙ୍କବାଦୀଙ୍କ ମଧ୍ୟରେ ମୁସା ରହିଛି କି ନାହିଁ, ସେକଥା କୁହାଯାଇ ନାହିଁ। ମୁସା ବ୍ୟତୀତ ନିହତ ୩ ଜଣଙ୍କ ମଧ୍ୟରେ ପହଲଗାମ ନରସଂହାର ହମଲାରେ ସାମିଲ ଥିବା ୟାସିର ମଧ୍ୟ ଟଳିଛି।
ଏପ୍ରିଲ ୨୨ ପହଲଗାମ ନରଂସହାରର ମାଷ୍ଟରମାଇଣ୍ଡ ଭାବେ ଲସ୍କର ଆତଙ୍କୀ ସୁଲେମାନ ଶାହ ଓରଫ ମୁସାକୁ ଚିହ୍ନଟ କରାଯାଇଥିଲା। ଏବେ ଅପରେସନ ମହାଦେବରେ ତା’ର ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମରେ ଦାବି କରାଯାଇଛି। ଏହି ଅପରେସନରେ ନିହତ ଆଉ ୨ ଆତଙ୍କୀ ହେଲେ ଅବୁ ହମଜା ଓ ୟାଶିର। ମୁସା ଭଳି ୟାସିର ମଧ୍ୟ ପହଲଗାମ ନରସଂହାରରେ ସାମିଲ ଥିଲା। ଅପରେସନ ମହାଦେବରେ ସ୍ଥଳ ସେନା ବ୍ୟତୀତ ଜମ୍ମୁ-କଶ୍ମୀର ପୁଲିସ ଓ ସିଆରପିଏଫ ଯବାନମାନେ ସାମିଲ ଥିଲା।
ପହଲଗାମ ନରସଂହାରର ଯୋଜନା କରିବା ସହ ଘଟଣା ବେଳେ ବୈସାରନ ଭ୍ୟାଲିରେ ଉପସ୍ଥିତ ଥିଲା ହାଶିମ ମୁସା। ସେ ଆକ୍ରମଣ ପରେ ମଧ୍ୟ ଜମ୍ମୁ-କଶ୍ମୀରର ଲୁଚି ରହିଥିଲା। ତା’କୁ ଧରିବା ପାଇଁ ସୁରକ୍ଷାକର୍ମୀ ଦିନ ରାତି ଏକ କରି ଦେଇଥିଲେ। ହେଲେ ଘଟଣାର ୧୦୦ ଦିନ ପରେ ମଧ୍ୟ ସୁରକ୍ଷାକର୍ମୀଙ୍କ ହାତରେ ମୁସା ପଡ଼ି ନଥିଲା। ଜମ୍ମୁ-କଶ୍ମୀର ପୁଲିସ୍ ମଧ୍ୟ ହାଶିମ ସମ୍ପର୍କରେ ସୂଚନା ହାସଲ କରିବା ପାଇଁ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା।
ଭାରତରେ ରକ୍ତର ହୋଲି ଖେଳିଥିବା ହାଶିମ ମୁସା ଏକଦା ପାକିସ୍ତାନ ସେନାରେ କମାଣ୍ଡ ଭାବେ କାମ କରୁଥିଲା। ସେ ପାକିସ୍ତାନ ସ୍ପେଶାଲ ସର୍ଭିସ ଗ୍ରୁପରେ ଜଣେ ପାରା କମାଣ୍ଡୋ ଥିଲା। ପରବର୍ତ୍ତୀ ଅବସ୍ଥାରେ ସେ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବାରେ ଯୋଗ ଦେଇଥିଲା। ଲସ୍କରରେ ସାମିଲ ହେବା ପରଠାରୁ ସେ ଏକାଧିକ ଆତଙ୍କବାଦୀ ହମଲାରେ ସକ୍ରିୟ ଭୂମିକା ଗ୍ରହଣ କରି ଚାଲିଥିଲା।
୨୦୨୩ରୁ ସେ ପାକିସ୍ତାନରେ ସ୍ୱତନ୍ତ୍ର ତାଲିମ ନେଇ ଭାରତରେ ପ୍ରବେଶ କରିଥିଲା। ଗତବର୍ଷ ଅକ୍ଟୋବର ମାସରେ ଜମ୍ମୁ-କଶ୍ମୀରର ଗାନ୍ଦେରବଲରେ ହୋଇଥିବା ଆତଙ୍କୀ ହମଲାରେ ହାଶିମ ସାମିଲ ଥିଲା। ଏଥିରେ ୭ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ବାରମୁଲ୍ଲାରେ ହୋଇଥିବା ଆତଙ୍କବାଦୀ ହମଲାରେ ୪ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ। ଏହା ପଛରେ ବି ହାଶିମ ରହିଥିଲା। ଉପତ୍ୟକାରେ ହୋଇଥିବା ୬ଟି ଆକ୍ରମଣରେ ହାଶିମ ସାମିଲ ଥିବା ସୁରକ୍ଷା ଏଜେନ୍ସି ଜାଣିବାକୁ ପାଇଛନ୍ତି।
ପହଲଗାମ ନରସଂହାରର ତଦନ୍ତରୁ ଜଣାପଡ଼ିଛି ଯେ ବୈସାରନ ଭ୍ୟାଲିରେ ନିରୀହ ପର୍ଯ୍ୟଟକଙ୍କୁ ଟାର୍ଗେଟ ପାଇଁ ହୋଇଥିବା ଷଡ଼ଯନ୍ତ୍ରରେ ହାଫିଜ, ସୈଫୁଲ୍ଲା ସହ ହାଶିମ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ହାଶିମ ସହ ଆଦିଲ ଥୋକର ଓ ଆସିଫ ଶେଖ ମଧ୍ୟ ବୈସାରନ ଭ୍ୟାଲି ଆକ୍ରମଣରେ ସାମିଲ ରହିଥିଲେ।
ଶ୍ରୀନଗରର ଲିଡୱାସ ସ୍ଥିତ ମହାଦେବ ପାହାଡ଼ ନିକଟରେ କିଛି ବିଦେଶୀ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା। ଏହାର ନାଁ ଅପରେସନ ମହାଦେବ ରଖା ଯାଇଥିଲା। ଅପରେସନ ମହାଦେବରେ ସେନା, ଜମ୍ମୁ-କଶ୍ମୀର ପୁଲିସ୍ ଓ ସିଆରପିଏଫ ଯବାନ ସାମିଲ ହୋଇଥିଲେ। ଏହାର ଦୁଇ ଦିନ ପୂର୍ବରୁ ଡାଚିଗାମ ଜଙ୍ଗଲରେ ସନ୍ଦିଗ୍ଧ ଯୋଗାଯୋଗକୁ ସ୍ଥଳ ସେନା ଟ୍ରାକ କରିଥିଲା।
ଏହାପରେ ଆଜି ମହାଦେବ ପାହାଡ଼ ନିକଟରେ ବିଦେଶୀ ଆତଙ୍କବାଦୀ ଲୁଚି ଥିବା ଖବର ମିଳିବା ପରେ ଅପରେସନ ଆରମ୍ଭ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର କିଛି ଲୋକ ମଧ୍ୟ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସେନାକୁ ଖବର ଦେଇଥିଲେ। ଏହି ସବୁ ଖବରକୁ ଏକାଠି କରି ଆଜି ସକାଳୁ ହରୱାପନର ମୁଲନାର ଅଞ୍ଚଳରେ ଅପରେସନ ମହାଦେବ ଆରମ୍ଭ ହୋଇଥିଲା।
ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନକୁ ସୁରକ୍ଷାକର୍ମୀ ଘେରାବନ୍ଦୀ କରୁଥିବା ବେଳେ ଆରମ୍ଭ ହୋଇଥିଲା ଗୁଳି ବିନିମୟ। ଆତଙ୍କବାଦୀଙ୍କ ଗୁଳିମାଡ଼ର ଜବାବ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏନକାଉଣ୍ଟରେ ୩ ଜଣ ଆତଙ୍କୀ ନିହତ ହୋଇଥିଲେ।
ଅପରେସନ ମହାଦେବ ଦ୍ୱାରା ଟାର୍ଗେଟ କରାଯାଇଥିବା ଆତଙ୍କୀ ଠିକଣାର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଉକ୍ତ ଠିକଣାରେ ଏକାଧିକ ବନ୍ଧୁକ ପଡ଼ି ରହିଛି। ଗୋଟିଏ ଘଞ୍ଚ ଜଙ୍ଗଲ ମଧ୍ୟରେ ଆତଙ୍କବାଦୀମାନେ ଜରିର ପାଲ ଟାଣି ସେଠାରେ ରହୁଥିଲେ। ସେଠାରୁ କାରବାଇନ, ଏକେ ୪୭, ୧୭ଟି ରାଇଫଲ ଗ୍ରେନେଡ ଓ ଅନ୍ୟାନ୍ୟ ବିସ୍ଫୋରକ ମିଳିଛି। ଜମ୍ମୁ-କଶ୍ମୀରରେ ବଡ଼ଧରଣର ଆକ୍ରମଣ କରିବାକୁ ସେମାନେ ଯୋଜନା କରୁଥିବା କୁହାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
