/odisha-reporter/media/post_attachments/uploadimage/library/16_9/16_9_0/Terrorist_1746091013.jpg)
Terrorist
ପହଲଗାମ ବୈସାରନ ଭ୍ୟାଲି ନରସଂହାରକୁ ୧୦ ଦିନ ବିତି ଯାଇଥିଲେ ହେଁ ଏଯାଏ ହମଲା କରିଥିବା ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଧରି ପାରି ନାହାନ୍ତି। ସେମାନଙ୍କ ଧରିବା ପାଇଁ ଦକ୍ଷିଣ କଶ୍ମୀରର ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ କରାଯାଉଛି। ଆତଙ୍କବାଦୀମାନଙ୍କ ସମର୍ଥକଙ୍କୁ ଜେରା ଚାଲିଛି। ତଥାପି ପହଲଗାମ ନରସଂହାରୀ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ି ନାହାନ୍ତି। ଏପ୍ରିଲ ୨୨ ଆକ୍ରମଣରେ ୪ ଜଣ ଆତଙ୍କବାଦୀ ସାମିଲ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ପାକିସ୍ତାନୀ ଓ ଜଣେ ସ୍ଥାନୀୟ ଆତଙ୍କବାଦୀ ବୋଲି ଜଣାପଡ଼ିଛି।
ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ଜାଣିବାକୁ ପାଇଛି ଯେ ପହଲଗାମ ହମଲାରେ ସାମିଲ ଥିବା ଆତଙ୍କବାଦୀମାନେ ଏବେ ବି ସକ୍ରିୟ ରହିଛନ୍ତି ଓ ସେମାନେ ଦକ୍ଷିଣ କଶ୍ମୀରରେ ଆତ୍ମଗୋପନ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଅଧିକରୁ ଅଧିକ ଆତଙ୍କବାଦୀ ଲୁଚି ରହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏପ୍ରିଲ ୨୨ ବୈସାରନ ଭ୍ୟାଲି ଆକ୍ରମଣ ବେଳେ କିଛି ଆତଙ୍କବାଦୀ ହମଲା ସ୍ଥଳରୁ ସାମାନ୍ୟ ଦୂରରେ ରହିଥିଲେ।
ଆକ୍ରମଣରେ ସାମିଲ ଥିବା ୪ ଆତଙ୍କବାଦୀଙ୍କୁ ଯଦି ସୁରକ୍ଷାକର୍ମୀ ଗୁଳି ମାଡ଼ କରନ୍ତି, ତା’ହେଲେ ଅନ୍ୟ ଆତଙ୍କୀମାନେ ସେମାନଙ୍କୁ ସହାୟତା କରିବେ ବୋଲି ଯୋଜନା ହୋଇଥିଲା। ତେଣୁ କିଛି ଆତଙ୍କବାଦୀ ହମଲା ସ୍ଥଳ ଠାରୁ ସାମାନ୍ୟ ଦୂରରେ ଥିବା ଜଙ୍ଗଲ ଭିତରେ ଅପେକ୍ଷା କରି ରହିଥିଲେ। କିନ୍ତୁ ସୁରକ୍ଷାକର୍ମୀ ଘଟଣା ସ୍ଥଳରେ ନଥିବାରୁ ୪ ଆତଙ୍କବାଦୀ ସାଧାରଣ ଲୋକଙ୍କୁ ମାରିବା ପରେ ବେଶ ସହଜରେ ସେଠାରୁ ଖସି ଚାଲି ଯାଇଥିଲେ।
ଆକ୍ରମଣକାରୀ ବେଶ ଭଲ ଭାବେ ଯୋଜନା କରି ବୈସାରନ ଭ୍ୟାଲିରେ ପହଞ୍ଚିଥିଲେ। ସେମାନେ ନିଜ ସହ ଖାଦ୍ୟ ଓ ଅନ୍ୟ ଜରୁରୀ ଜିନିଷ ଆଣିଥିଲେ। ବାହ୍ୟ ସହାୟତାରେ ଯେମିତି ସେମାନେ ଘଞ୍ଚ ଜଙ୍ଗଲ ଓ ପଥୁରିଆ ସ୍ଥାନରେ ଅଧିକ ଦିନ ରହିପାରିବେ, ତା’ର ବ୍ୟବସ୍ଥା କରିଥିଲେ। ତେଣୁ ସେମାନେ ଆକ୍ରମଣ କରିବା ପରେ ଏବେ ଜଙ୍ଗଲ ମଧ୍ୟରେ ବେଶ ସହଜରେ ଲୁଚି ରହିଛନ୍ତି। ସେମାନେ ସେଠାରେ ନିଜ ସହ ଆଣିଥିବା ଖାଦ୍ୟ ଓ ଅନ୍ୟ ଜରୁରୀ ଜିନିଷର ବ୍ୟବହାର କରୁଛନ୍ତି।
ତଦନ୍ତକାରୀ ସଂସ୍ଥା ପହଲଗାମ ଆକ୍ରମଣର ପୀଡ଼ିତ ଓ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରିଛନ୍ତି। ସେମାନେ କେମିତି ଆତଙ୍କବାଦୀଙ୍କ ଭୟଙ୍କର ହମଲାର ସାମ୍ନା କରିଥିଲେ, ତା’ର ତଥ୍ୟ ଦେଇଛନ୍ତି।
ବୈସାରନ ଘାଷ ଗାଲିଚାରେ ଥିବା ପର୍ଯ୍ୟଟକ ଏହାକୁ ମିନି ସ୍ୱିଜରଲ୍ୟାଣ୍ଡ କୁହନ୍ତି। ଏଠାରେ ସେମାନେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିବା ବେଳେ ଉଭୟ ପ୍ରବେଶ ଓ ପ୍ରସ୍ଥାନ ଫାଟକକୁ ଆତଙ୍କବାଦୀମାନେ କବଜା କରି ନେଇଥିଲେ। ପୂରା ଆକ୍ରମଣକୁ ୪ ଜଣ ଆତଙ୍କବାଦୀ କାର୍ଯ୍ୟକାରୀ କରିଥିଲେ। ୨ ଜଣ ମୁଖ୍ୟ ଫାଟକରେ ପ୍ରବେଶ କରିଥିଲେ ଓ ଆଉ ଜଣେ ପ୍ରସ୍ଥାନ ଗେଟ ନିକଟରେ ରହିଥିଲା। ବ୍ୟାକଅପ ପାଇଁ ଆଉ ଜଣେ ଆତଙ୍କବାଦୀ ନିକଟସ୍ଥ ପାଇନ ଜଙ୍ଗଲରେ ଲୁଚି ବସିଥିଲା।
ପିକନିକ କରୁଥିବା, ଘୋଡ଼ା ଚଳାଉଥିବା ଓ ଫୁଡ ଷ୍ଟଲରେ ଖାଇବାକୁ ଉପଭୋଗ କରୁଥିବା ପର୍ଯ୍ୟଟକଙ୍କ ଉପରକୁ ହଠାତ୍ ୩ ଜଣ ଆତଙ୍କବାଦୀ ଗୁଳି ମାଡ଼ କରିଥିଲେ। ୩ ଜଣଙ୍କ ମଧ୍ୟରୁ ୨ ଜଣ ସାମରିକ ପୋଷାକ ପିନ୍ଧିଥିବା ବେଳେ ଜଣେ ପାରମ୍ପରିକ କଶ୍ମୀର ପୋଷାକ ପିନ୍ଧିଥିଲା। ପ୍ରଥମ ଗୁଳି ପ୍ରସ୍ଥାନ ଗେଟରୁ ମାଡ଼ ହୋଇଥିଲା। ଏହା ଶୁଣି ଲୋକମାନେ ଆତଙ୍କିତ ହୋଇଯାଇଥିଲେ। ଗୁଳି ଶବ୍ଦ ଶୁଣି ସେମାନେ ମୁଖ୍ୟ ଫାଟକୁ ଦୌଡ଼ୁ ଥିବା ବେଳେ ସେଠାରେ ପୂର୍ବରୁ ରହିଥିବା ୨ ଆତଙ୍କବାଦୀ ସମସ୍ତଙ୍କୁ ଘେରି ଯାଇଥିଲେ।
ପ୍ରତ୍ୟେକ୍ଷଦର୍ଶୀ ସାଂଘାତିକ ତଥ୍ୟ ଦେଇଛନ୍ତି। ଆତଙ୍କବାଦୀମାନେ ପ୍ରଥମେ ମହିଳାଙ୍କ ଠାରୁ ପୁରୁଷ ଓ ହିନ୍ଦୁଙ୍କ ଠାରୁ ମୁସଲିମଙ୍କୁ ଅଲଗା ହେବାକୁ କହିଥିଲେ। ଯେତେବେଳେ ପର୍ଯ୍ୟଟକମାନେ ଏହାକୁ ଶୁଣି ନଥିଲେ ସେତେବେଳେ ସେମାନେ କଲାମ ପଢ଼ିବାକୁ କହିଥିଲେ। କିଛି ମୁହୂର୍ତ୍ତ ପରେ ସେମାନେ ଆଖି ବୁଜା ଗୁଳି ବର୍ଷା କରିଥିଲେ। ସେମାନଙ୍କ ଗୁଳିରେ ପ୍ରଥମେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ବିନୟ ନରୱାଲ ଟଳି ପଡ଼ିଥିଲେ। ଏପ୍ରିଲ ୧୬ରେ ବିବାହ କରିଥିବା ବିନୟ ପତ୍ନୀଙ୍କ ସହ ଆକ୍ରମଣ ମାତ୍ର କିଛି ମିନିଟ ପୂର୍ବରୁ ମୁଖ୍ୟ ଫାଟକ ଦେଇ ବୈସାରନ ଭ୍ୟାଲିରେ ପାଦ ଦେଇଥିଲେ।
ଭ୍ୟାଲିରେ ଥିବା ଚା’ ଓ ଭେଲପୁରୀ ଷ୍ଟଲରେ ଅଧିକାଂଶ ମୃତାହତ ଘଟଣା ଘଟିଛି। କାରଣ ଏହି ଦୁଇ ଷ୍ଟଲ ନିକଟରେ ଅଧିକାଂଶ ପର୍ଯ୍ୟଟକ ଭିଡ଼ ଜମାଇଥିଲେ। ନରସଂହାର ପରେ ଆତଙ୍କବାଦୀମାନେ ପାର୍କର ବାମ ପାର୍ଶ୍ୱରେ ଥିବା କାନ୍ଥ ଡେଇଁ ଫେରାର ହୋଇଯାଇଥିଲେ।
ଆତଙ୍କବାଦୀମାନେ ଘଟଣା ବେଳେ ଅଲ୍ଟ୍ରା ସୁରକ୍ଷିତ ଯୋଗାଯୋଗ ବ୍ୟବସ୍ଥାର ବ୍ୟବହାର କରିଥିଲେ। ଏଥିପାଇଁ ସିମର ଆବଶ୍ୟକ ନାହିଁ। ସେମାନେ ସ୍ୱତନ୍ତ୍ର ସ୍ୟାଟେଲାଇଟ ଫୋନ ଦ୍ୱାରା ପରସ୍ପରର ଯୋଗାଯୋଗରେ ରହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
