/odisha-reporter/media/post_attachments/uploadimage/library/16_9/16_9_0/Pakistan_1745412277.jpg)
Pakistan
ସମସ୍ତଙ୍କ ପାଇଁ ଏପ୍ରିଲ ୨୨ ସ୍ୱାଭାବିକ ରହିଥିଲା। ଖରାଟିଆ ମଧ୍ୟାହ୍ନରେ ପ୍ରାୟ ୫୦୦ ପର୍ଯ୍ୟଟକ ଦକ୍ଷିଣ କଶ୍ମୀରର ପହଲଗାମ ସ୍ଥିତ ବୈସରାନର ଘାଷ ଗାଲିଚାରେ ପ୍ରକୃତିକୁ ଉପଭୋଗ କରୁଥିଲେ। ସମସ୍ତେ ଭାବୁଥିଲେ ଏହା ଗୋଟିଏ ଶାନ୍ତ ଓ ସୁନ୍ଦର ଦିନ। କିନ୍ତୁ ଏହା ଦୁଃସ୍ୱପ୍ନରେ ପରିଣତ ହୋଇଛି। ଅତର୍କିତ ଗୁଳିମାଡ଼ ପୂରା ପରିବେଶକୁ ଦୋହଲାଇ ଦେଇଥିଲା।
କେହି କିଛି ବୁଝିବା ଆଗରୁ ଲସ୍କର-ଇ-ତାଏବାର ସହଯୋଗୀ ସଂଗଠନ ଟିଆରଏଫର ୫ରୁ ୬ ଜଣ ଆତଙ୍କବାଦୀ ଆଖିବୁଜା ଗୁଳି କରି ୨୬ ଜଣ ପର୍ଯ୍ୟଟକଙ୍କୁ ନିର୍ମମ ଭାବେ ହତ୍ୟା କରି ସାରିଥିଲେ। ଏହି ନରସଂହାରକୁ ନେଇ ନୂଆ ନୂଆ ତଥ୍ୟ ଆସୁଥିବା ବେଳେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଏହା ଏକ ଯୋଜନାବଦ୍ଧ ଆକ୍ରମଣ। ପାକିସ୍ତାନ ନିର୍ଦ୍ଦେଶରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଏହି ହମଲା ହୋଇଛି।
ଦୁଇଟି ଭିଆଇ ଗସ୍ତ ସମୟରେ ଏହି ଆକ୍ରମଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ସାଉଦି ଆରବ ଗସ୍ତରେ ଯାଉଥିବା ବେଳେ ଆମେରିକା ଉପ ରାଷ୍ଟ୍ରପତି ଜେଡି ଭାନ୍ସ ଭାରତକୁ ଅଣ ସରକାରୀ ଗସ୍ତ କରିବା ଦିନ ହିଁ ହମଲା ହୋଇଛି। ଏପରି କହିବାର ଅର୍ଥ ହେଉଛି ୨୦୦୦ ମସିହା ମାର୍ଚ୍ଚ ୨୦ରେ କଶ୍ମୀରର ଚିତିସିଂହପୋରା ଗାଁରେ ରହୁଥିବା ନିରୀହ ଲୋକଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ଭାରତ ଆସିବା ସମୟରେ ଏପରି ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ୩୫ ଜଣ ଶିଖ ସଂପ୍ରଦାୟ ଲୋକ ପ୍ରାଣ ହରାଇଥିଲେ।
ଅକ୍ଟୋବର ୭ରେ ହମାସ ଆକ୍ରମଣ ସହ ରହିଛି ସମାନତା
ପହଲଗାମ ଆକ୍ରମଣକୁ ନେଇ ପ୍ରତ୍ୟେକ୍ଷଦର୍ଶୀ ଦେଇଥିବା ବୟାନକୁ ଶୁଣିବା ପରେ ତୁରନ୍ତ ୨୦୨୩ ମସିହା ଅକ୍ଟୋବର ୭ କଥା ମନେ ପଡ଼ି ଯାଉଛି। ୨୦୨୩ ଅକ୍ଟୋବର ୭ରେ ହମାସ ପକ୍ଷରୁ ଇସ୍ରାଏଲର ସାଧାରଣ ଲୋକଙ୍କୁ ଟାର୍ଗେଟ କରାଯାଇଥିଲା। ଲୋକମାନେ ଖୁସିର ସହ ପାର୍ଟି କରୁଥିବା ବେଳେ ହମାସ ରକେଟ ମାଡ଼ କରିଥିଲା। ଏଥିଯୋଗୁ ୧୧୨୯ ଜଣ ସାଧାରଣ ଲୋକ ମୃତ୍ୟୁବରଣ କରିଥିଲେ। ଏହାର ଜବାବରେ ଇସ୍ରାଏଲ ସେନା ଗାଜାରେ ଆରମ୍ଭ କରିଥିଲା ଅପରେସନ। ଆଜି ବି ଏହା ଜାରି ରହିଛି।
ଇସ୍ରାଏଲ ଭଳି ପହଲଗାମ ଆକ୍ରମଣ ବେଳେ ଭାରତୀୟ ଗୁଇନ୍ଦା ଅଧିକାରୀ ଫେଲ ମାରିଛନ୍ତି। ହେଲେ କଶ୍ମିରୀ ଓ ଭାରତୀୟଙ୍କୁ ଏପ୍ରିଲ ୨୨ ଘଟଣା ଅକ୍ଟୋବର ୭ କଥା ମନେପକାଇ ଦେଇଛି। ସେମାନେ ମଧ୍ୟ ଇସ୍ରାଏଲ ଭଳି ଜବାବକୁ ଅପେକ୍ଷା କରିଛନ୍ତି। ହମସା ଆକ୍ରମଣ ଇସ୍ରାଏଲ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା। କିନ୍ତୁ ଇସ୍ରାଏଲ ଉପଯୁକ୍ତ ଜବାବ ଗାଜାରେ ମାତ୍ର କିଛି ଘଣ୍ଟା ମଧ୍ୟରେ ଦେଇଥିଲା।
କିଛି ଲୋକ ଯୁକ୍ତି କରିପାରନ୍ତି ଯେ ପାକିସ୍ତାନ ଆଦୌ ଗାଜା ନୁହେଁ। ତଥାପି ପାକିସ୍ତାନ ବାରମ୍ବାର କରୁଥିବା ହରକତ ଓ ପାକିସ୍ତାନ ପଟୁ ରହିଥିବା ଆତଙ୍କୀ ବିପଦ ଗାଜା ଠାରୁ ଭିନ୍ନ ନୁହେଁ। ଗାଜା ଠାରୁ ଇସ୍ରାଏଲକୁ ଯେମିତି ବିପଦ ରହିଥିଲା, ଠିକ ସେହିପରି ଭାରତକୁ ମଧ୍ୟ ପାକିସ୍ତାନ ପଟରୁ ଆତଙ୍କୀ ବିପଦ ରହିଛି।
ପାକିସ୍ତାନ ଲିଙ୍କ
ପହଲଗାମ ଟେରର ଆଟାକ ସ୍ଥାନୀୟ ଅଞ୍ଚଳର କାମ ନୁହେଁ। ଯଦିଓ ଏଯାଏ ସ୍ୱଳ୍ପ ପ୍ରମାଣ ମିଳିଛି, ତଥାପି ପାକିସ୍ତାନ ଆଡ଼କୁ ଆଙ୍ଗୁଳି ଉଠିବାରେ ଲାଗିଛି। ତେଣୁ ପାକିସ୍ତାନରେ କ’ଣ ସବୁ ଘଟିଛି କିମ୍ବା ଘଟିଥିଲା, ତା’ର ମଧ୍ୟ ଗୁରୁତ୍ୱ ରହିଛି। ପାକିସ୍ତାନ ଆର୍ମି ମୁଖ୍ୟ ଆସିଫ ମୁନିର ବେଶ କିଛି ମାସ ହେଲା ସକ୍ରିୟ ହୋଇ ଉଠିଛନ୍ତି ଓ ନିର୍ବାଚିତ ସରକାର ଦନ୍ତହୀନ ହୋଇଯାଇଛନ୍ତି।
ଜାଫର ଏକ୍ସପ୍ରେସକୁ ମାର୍ଚ୍ଚ ମାସରେ ବାଲୁଚିସ୍ତାନ ମୁକ୍ତି ସେନା ଅପହରଣ କରିବା ପରେ ୨୦୦ରୁ ଅଧିକ ପାକ ସେନାଙ୍କୁ ହତ୍ୟା କରିବା ମୁନିରଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହା ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ନିଜ ଲୋକଙ୍କ ଦ୍ୱାରା ପାକିସ୍ତାନ ସେନା ବିରୋଧର ସମ୍ମୁଖୀନ ହେଉଥିବାରୁ ଭାରତକୁ କ୍ଷତି ପହଞ୍ଚାଇବାକୁ ଆଗେଇ ଆସିଥିବା ଭଳି ମନେ ହେଉଛି।
ନିକଟରେ ପାକିସ୍ତାନ ଆର୍ମି ମୁଖ୍ୟ ମୁନିର କଶ୍ମୀରକୁ ମୁଖ୍ୟ ଶିରା ବୋଲି କହିଥିଲେ। ଏଥିସହ ଭାରତରେ ରହୁଥିବା ହିନ୍ଦୁ ଓ ପାକିସ୍ତାନରେ ରହୁଥିବା ମୁସିଲମ ସଂପୂର୍ଣ୍ଣ ଭିନ୍ନ ଏବଂ ସେମାନେ ଏକାଠି ରହିପାରିବେ ନାହିଁ ବୋଲି କହିବା ପରେ ବିବାଦ ଦେଖାଯାଇଥିଲା। ଭାରତରେ ରହୁଥିବା ହିନ୍ଦୁମାନଙ୍କୁ ସେ କାଫିର କହି ସିଧାସଳଖ ଭାରତ ବିରୋଧରେ ହିଂସା ସୃଷ୍ଟି କରିବାକୁ ଉସକାଇଥିଲେ।
ଆଫଗାନିସ୍ତାନ ସୀମାରେ ବିବାଦ ଯୋଗୁ ପାକିସ୍ତାନ ଆର୍ମିକୁ କ୍ଷତି ସହିବାକୁ ପଡ଼ୁଛି। ପାକିସ୍ତାନରେ ଅସ୍ଥିରତା ସୃଷ୍ଟି କରିବାକୁ ଆଫଗାନରେ ଥିବା ତାଲିବାନ ତେହରିକ-ଇ-ତାଲିବାନ-ଇ-ପାକିସ୍ତାନ ଓ ବିଏଲଏ ସହ ମିଶ ଉଦ୍ୟମ କରୁଛି। ଏସବୁ ଭିତରେ ଆଫଗାନିସ୍ତାନ ସହ ଭାରତ ସମ୍ପର୍କ ସୁଧୁରିବା ପାକିସ୍ତାନର ଚିନ୍ତା ବଢ଼ାଇଛି।
ବିଶ୍ୱସ୍ତରରେ ମଧ୍ୟ ପାକିସ୍ତାନର କଥାକୁ କେହି ଗୁରୁତ୍ୱ ଦେଉ ନାହାନ୍ତି। ପାକିସ୍ତାନକୁ ସହଯୋଗ କରୁଥିବା ଆମେରିକା ଓ ସାଉଦି ମଧ୍ୟ ଭାରତ ସହ ସମ୍ପର୍କକୁ ମଜବୁତ କରୁଛନ୍ତି। ପାକିସ୍ତାନର ଅର୍ଥନୀତି ନିମ୍ନଗାମୀ ହୋଇଥିବା ବେଳେ ଜାତୀୟ ଋଣ ବୃଦ୍ଧି ହେଉଛି। ଭାରତ ଓ ପାକିସ୍ତାନ ଏକାଠି ସ୍ୱାଧୀନ ହୋଇଥିଲେ ହେଁ ଉଭୟଙ୍କ ସ୍ଥିତି ପୂରା ଭିନ୍ନ। ତେଣୁ ଏହାକୁ ପାକିସ୍ତାନ ବୋଧେ ସହିପାରୁନି।
କଶ୍ମୀର କାହାଣୀ
ଧାରା ୩୭୦ ଉଚ୍ଛେଦକୁ ପ୍ରାୟ ୫ ବର୍ଷ ହୋଇଥିବା ବେଳେ କଶ୍ମୀରର ଅର୍ଥନୀତି ଓ ଭିତ୍ତିଭୂମିରେ ଅଭିବୃଦ୍ଧି ହେଉଛି। ଅନେକ ବଡ଼ବଡ଼ ପ୍ରକଳ୍ପ କାମ ଉପତ୍ୟକାରେ ଆରମ୍ଭ କରାଯାଉଛି। ନିବେଶ ବଢ଼ିବାରେ ଲାଗିଛି। ୨ ବର୍ଷ ମଧ୍ୟରେ କଶ୍ମୀରକୁ ୨ କୋଟି ପର୍ଯ୍ୟଟକ ଗଲେଣି। ରାସ୍ତା ଓ ରେଳ ନେଟୱର୍କର ନବୀକରଣ କରାଯାଇଛି। ଚେନାବ ନଦୀ ଉପରେ ଥିବା ବିଶ୍ୱର ସର୍ବବୃହତ୍ତ ରେଳ ବ୍ରିଜ ଉପରେ ବନ୍ଦେ ଭାରତ ଟ୍ରେନ ମଧ୍ୟ ଖୁବଶୀଘ୍ର ଗଡ଼ିବ।
ଆତଙ୍କୀ କାର୍ଯ୍ୟକଳାପ ହ୍ରାସ ପାଇଛି ଓ କଶ୍ମିରୀ ରୋଜଗାରର ପନ୍ଥା ଆପଣାଉଛନ୍ତି। କିଛି ମାସ ହେଲା କଶ୍ମୀରକୁ ପୁଣି ରାଜ୍ୟ ମାନ୍ୟତା ମିଳିବ ବୋଲି ଶୁଣା ଯାଉଛି। ଶ୍ରୀନଗରର ତୁଲିପ ପର୍ବ ୨ ବର୍ଷ ହେଲା ସଫଳତା ସାଉଁଟିଛୁ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏଠାକୁ ଆସୁଛନ୍ତି। କଶ୍ମୀର ସ୍ୱାଭାବିକ ସ୍ଥିତିରେ ଥିବାରୁ ପାକିସ୍ତାନ ବିଚଳିତ ହେବା ସହ ବଡ଼ଧରଣର ଅସ୍ଥିରତା ସୃଷ୍ଟି କରିବାକୁ ଆଗେଇ ଆସିଛି।
ଯଦି କଶ୍ମୀରରେ ଆଉ ଗୋଟିଏ ବର୍ଷ ସ୍ଥିତି ସ୍ୱାଭାବିକ ରହିବ, ତା’ହେଲେ ପାକିସ୍ତାନର ଉପତ୍ୟକାରେ ନିଜର ଉଦ୍ଦେଶ୍ୟକୁ ପୂରଣ କରିବାରେ କେବେ ହେଲେ ସଫଳ ହେବନି ବୋଲି ଭଲ ଭାବେ ଜାଣିଛି। ତେଣୁ ପ୍ରଥମଥର ପାଇଁ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଜାଣିଶୁଣି ସେମାନଙ୍କ ଧର୍ମ ସମ୍ପର୍କରେ ପଚାରି ଗୁଳି କରିଛନ୍ତି।
ଏସବୁ କାରଣ ଗାଜା ଯୁଦ୍ଧ ସହ ବି ଜଡ଼ିତ। ୨୦୨୩ ସେପ୍ଟେମ୍ବର ମାସରେ ସାଉଦି-ଇସ୍ରାଏଲ ମଧ୍ୟରେ ସମ୍ପର୍କ ସୁଧୁରିଥିଲା। ଆବ୍ରାହମ ଚୁକ୍ତ କାର୍ଯ୍ୟକାରୀ ହୋଇଥିଲା। ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୀତିକ କରିଡର ସମ୍ପର୍କରେ ଜି-୨୦ ସମ୍ମିଳନୀରେ ଘୋଷଣା ହୋଇଥିଲା। ବାସ୍ ଏହା ହମାସକୁ ବ୍ୟଥିତ କରିଥିଲା।
ଏହାର ଫଳସ୍ୱରୂପ ସେମାନେ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ। ଏହା ପୂରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ବାକି ସବୁ ବିକାଶମୂଳକ କାର୍ଯ୍ୟ ଅଟକି ଯାଇଥିଲା। ପାକିସ୍ତାନ ମଧ୍ୟ ସେମିତି କିଛି କରିବା ଉଦ୍ଦେଶ୍ୟରେ ପହଲଗାମରେ ନରସଂହାର କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
