ହରିଶ ରାଣା
ଦୀର୍ଘ ୧୩ ବର୍ଷ ହେଲା ସଂପୂର୍ଣ୍ଣ ଭାବେ ନିସ୍ତେଜ ହୋଇ ରହିଥିବା ୩୨ ବର୍ଷୀୟ ହରିଶ ରାଣାଙ୍କ ଇଚ୍ଛାମୃତ୍ୟୁ(Euthanasia) ପ୍ରସଙ୍ଗରେ ବଡ଼ କଥା କହିଛନ୍ତି ସୁପ୍ରିମକୋର୍ଟ। ୧୩ ବର୍ଷ ହେଲା ଜୀବନ ସହ ସଂଘର୍ଷ କରି ମରି ମରି ବଞ୍ଚୁଥିବା ହରିଶ ରାଣାଙ୍କ ଇଚ୍ଛାମୃତ୍ୟୁ ସଂକ୍ରାନ୍ତରେ ହୋଇଥିବା ଆବେଦନର ରାୟକୁ ସୁପ୍ରିମକୋର୍ଟ ସଂରକ୍ଷିତ ରଖିଛନ୍ତି।
କିନ୍ତୁ ୧୩ ବର୍ଷ ହେଲା ଚାଲିଥିବା ଜୀବନ ରକ୍ଷାର ଚିକିତ୍ସାକୁ ସର୍ବୋଚ୍ଚ ଅଦାଲତ ପ୍ରତ୍ୟାହାର କରିବା କଥା ବିଚାର କରିବେ ବୋଲି ମଧ୍ୟ ଆଜି କହିଛନ୍ତି। ୧୩ ବର୍ଷ ହେଲା ବିଞ୍ଝଣାରେ ପଡ଼ି ରହିଥିବା ହରିଶ ରାଣାଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ପାଇଁ ତାଙ୍କ ବାପା ମା’ ଆବେଦନ କରିଛନ୍ତି। ପୁଅର ଯନ୍ତ୍ରଣାକୁ ସେମାନେ ସହି ପାରୁ ନଥିବାରୁ ଏପରି ନିବେଦନ କରିଛନ୍ତି।
ହେଲେ ଜଷ୍ଟିସ ଜେବି ପାର୍ଡିୱାଲା ଓ ଜଷ୍ଟିସ କେଭି ବିଶ୍ୱନାଥନ ଇଚ୍ଛାମୃତ୍ୟୁ ଆବେଦନ ଉପରେ ରାୟକୁ ସଂରକ୍ଷିତ ରଖିଛନ୍ତି। ଦୁଇ ବିଚାରପତି ଶୁଣାଣି ପୂର୍ବରୁ ହରିଶଙ୍କ ବାପା ମା’ଙ୍କୁ ଭେଟିବା ସହ ଏହାକୁ ଗୋଟିଏ ସମ୍ବେଦନଶୀଳ ମାମଲା ଭାବେ ଚିତ୍ରିତ କରିଛନ୍ତି।
ସର୍ବୋଚ୍ଚ ଅଦାଲତ(Supreme Court) କହିଛନ୍ତି, “ଏଭଳି ପ୍ରସଙ୍ଗ ଅତ୍ୟନ୍ତ ସମ୍ବେଦନଶୀଳ। ଆମେ ମଧ୍ୟ ମଣିଷ। କିଏ ବଞ୍ଚିବ ଓ କିଏ ମରିବ, ସେକଥା ନିଷ୍ପତ୍ତି ନେବାକୁ ଆମେ କିଏ? ଆମେ ନିଶ୍ଚିତ ଭାବେ ଜୀବନ ରକ୍ଷକ ଚିକିତ୍ସା ବନ୍ଦ କରିବା ଉପରେ ବିଚାର କରିବୁ।”
ମାମଲାରେ ହରିଶ ରାଣାଙ୍କ ବାପା ମା’ଙ୍କୁ ସହାୟତା କରିବା ପାଇଁ ନିଯୁକ୍ତ ଆମିକସ କ୍ୟୁରୀ ଓ କେନ୍ଦ୍ର ପକ୍ଷରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟିଙ୍କ ବିସ୍ତୃତ ତଥ୍ୟ ଉପସ୍ଥାପନ ପରେ ଖଣ୍ଡପୀଠ ଏପରି ମତ ରଖିଛନ୍ତି।
ହରିଶ ରାଣାଙ୍କ ମାମଲା
ହରିଶ ହେଉଛି ଦିଲ୍ଲୀର ମହାବୀର ଏନକ୍ଲେଭର ବାସିନ୍ଦା। କିଶୋର ଅବସ୍ଥାରେ ସେ ଉଚ୍ଚ ଶିକ୍ଷା ପାଇଁ ଚଣ୍ଡିଗଡ଼ ଯାଇଥିଲେ। ହେଲେ ରାଣାଙ୍କ ପାଇଁ ୨୦୧୩ ଅଗଷ୍ଟ ୨୦ରେ ସତେ ଯେମିତି ଦୁନିଆ ଭୁଶୁଡ଼ି ପଡ଼ିଥିଲା। ସେ ଭଡ଼ାରେ ରହୁଥିବା ବିଲଡିଂର ୪ର୍ଥ ମହଲାର ବାଲକୋନୀରୁ ସିଧା ତଳକୁ ଖସି ପଡ଼ିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲେ। ଏଥିଯୋଗୁ ୧୦୦% ଅକ୍ଷମ ହୋଇ ଯାଇଥିଲେ ହରିଶ।
ସେବେ ଠାରୁ ହରିଶ ବେଡରେ ପଡ଼ି ରହିଛନ୍ତି। ଖାଇବା ଓ ନିଃଶ୍ୱାସ ନେବା ପାଇଁ ସେ ଟ୍ୟୁବ ଉପରେ ନିର୍ଭରଶୀଳ। ୧୩ ବର୍ଷ ହେଲାଣି ହରିଶଙ୍କ ସେବା ବାପା ମା’ କରି ଚାଲିଛନ୍ତି। ହରିଶ ମଧ୍ୟ ସୁସ୍ଥ ହେବେ ନାହିଁ ବୋଲି ଡାକ୍ତରମାନେ କହି ସାରିଛନ୍ତି। ପ୍ରତିଦିନ ପୁଅର କଷ୍ଟକୁ ଆଉ ବାପ ମା’ ଦେଖି ପାରୁ ନାହାନ୍ତି। ତେଣୁ ସେମାନେ ପୁଅ ପାଇଁ ଇଚ୍ଛାମୃତ୍ୟୁର ଆବେଦନ କରିଛନ୍ତି।
ଶୁଣାଣି ସମୟରେ ହରିଶ ରାଣାଙ୍କ ପାଇଁ ଆମିକସ କ୍ୟୁରୀ ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ଦାବି କରିଛନ୍ତି ଓ ଏହାକୁ ପ୍ରାକୃତିକ ମୃତ୍ୟୁର ଏକ ପ୍ରକ୍ରିୟା ବୋଲି କହିଛନ୍ତି। ସେ ଦୁଇଟି ମେଡିକାଲ ରିପୋର୍ଟର ଉଦାହରଣ ଦେଇ କହିଛନ୍ତି ଯେ ହରିଶ ରାଣା ଠିକ ହେବାର ସମ୍ଭାବନା ଅତ୍ୟନ୍ତ କମ। ଏପରି ଚିକିତ୍ସା ଜାରି ରଖିବା ସମ୍ମାନର ଜୀବନ ଧାରଣର ଅଧିକାରର ଉଲ୍ଲଙ୍ଘନ।
ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଆକିମସ କହିଛନ୍ତି ଯେ ହରିଶଙ୍କୁ ଗୋଟିଏ ଏମିତି ଏକ ଚିକିତ୍ସା ପଦ୍ଧତି ମଧ୍ୟରେ ରଖାଯିବ ଯେଉଁଠାରେ ତାଙ୍କ ଖାଦ୍ୟ ଗ୍ରହଣ ଟ୍ୟୁବସକୁ ହଟାଇ ଦିଆଯିବ। ଏଥିରେ କୌଣସି ହସ୍ତକ୍ଷେପ କରାଯିବ ନାହିଁ। ତାଙ୍କୁ ଏମିତି କିଛି ମେଡିସିନ ଦିଆଯିବ ଯାହା ଦ୍ୱାରା ତାଙ୍କୁ ଆଦୌ କଷ୍ଟ ହେବ ନାହିଁ। ମୃତ୍ୟୁ ଯାଏ ସେ ସଂପୂର୍ଣ୍ଣ ଭାବେ ସ୍ୱାଭାବିକ ଅନୁଭବ କରିବେ ବୋଲି ସେ କହିଛନ୍ତି।
ସକ୍ରିୟ ଇଚ୍ଛାମୃତ୍ୟୁ ଭାରତରେ ବେଆଇନ ହୋଇଥିବା ବେଳେ ନିଷ୍କ୍ରିୟ ଇଚ୍ଛାମୃତ୍ୟୁକୁ ୨୦୧୧ରେ ସୁପ୍ରିମକୋର୍ଟ ଆଇନସିଦ୍ଧ କରିଥିଲେ। ଅରୁଣା ଶାନବାଗ କେସରେ ସୁପ୍ରିମକୋର୍ଟ ନିଷ୍କ୍ରିୟ ଇଚ୍ଛାମୃତ୍ୟୁକୁ ଅନୁମତି ଦେଇଥିଲେ। ୧୯୭୩ରେ ନର୍ସ ଭାବେ ମୁମ୍ବାଇର କେଇଏମ ହସ୍ପିଟାଲରେ କାମ କରୁଥିବା ଅରୁଣାଙ୍କୁ ଜଣେ ୱାର୍ଡ ବୟ ଦୁଷ୍କର୍ମ କରିଥିଲେ। ତାଙ୍କ ଉପରେ ଏତେ ପରିମାଣର ନିର୍ଯାତନା ହୋଇଥିଲା ଯେ ୪୦ ବର୍ଷ ଧରି ସେ ନିସ୍ତେଜ ବା ତାଙ୍କ ଶରୀରର ଅକାମୀ ହୋଇ ଯାଇଥିଲେ।
କୋର୍ଟ ଅରୁଣାଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେଇଥିଲେ ହେଁ ୨୦୧୫ରେ ନିମୋନିଆ ଯୋଗୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ୨୦୧୮ରେ ସୁପ୍ରିମକୋର୍ଟ ଇଚ୍ଛାମୃତ୍ୟୁକୁ ଆଇନଗତ ମାନ୍ୟତା ଦେଇଥିଲେ ଓ ଏଥିପାଇଁ ଗାଇଡଲାଇନ ଜାରି କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/15/hasrish-rana-2026-01-15-13-52-16.jpg)