/odisha-reporter/media/post_attachments/uploadimage/library/16_9/16_9_0/Army_1755073588.jpg)
Army
ଜମ୍ମୁ-କଶ୍ମୀରର ଉରି ସେକ୍ଟର ଏଲଓସିରେ ପାକିସ୍ତାନ ପଟୁ ହୋଇଥିବା ବଡ଼ଧରଣର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା। ପାକିସ୍ତାନ ସେନା ସହାୟତାରେ ଆତଙ୍କବାଦୀମାନେ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିବା ବେଳେ ପ୍ରବଳ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି। ଚୁରୁନ୍ଦା ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ ବେଳେ ଆରମ୍ଭ ହୋଇଥିବା ଗୁଳି ବିନିମୟ ଏବେ ବି ଜାରି ରହିଛି।
ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ “ଆଜି ସକାଳେ ଭାରତୀୟ ସେନା ଉରି ସେକ୍ଟରରେ ହୋଇଥିବା ଅନୁପ୍ରବେଶ ଊଦ୍ୟମକୁ ପଣ୍ଡ କରି ଦେଇଛି। କିଛି ଦିନ ତଳେ ସମାନ ଅଞ୍ଚଳରେ ସୁରକ୍ଷାକର୍ମୀମାନେ ୨ ଜଣ ଆତଙ୍କବାଦୀଙ୍କୁ ଖତମ କରିଥିଲେ। ଏବେ ସେହି ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ ହୋଇଥିଲା। ଏହାକୁ ମୁକାବିଲା କରିବା ବେଳେ ଜଣେ ଯବାନ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି। ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି।”
ଆଉ ଏକ ରିପୋର୍ଟ ଅନୁସାରେ, ବଡ଼ଧରଣର ଅନୁପ୍ରବେଶ ଉରି ସେକ୍ଟରର ଟିକ୍କା ପୋଷ୍ଟ ନିକଟ ଏଲଓସିରେ ହୋଇଥିଲା। ଅଗଷ୍ଟ ୧୨ ତାରିଖ ବିଳମ୍ବିତ ରାତିରେ ଏପରି ଘଟଣା ଘଟିଥିଲା। ୧୬ ଶିଖ ଏଲଆଇ(୦୯ ବିହାର ଆଡଭାନ୍ସ ପାର୍ଟି)ର ଏଓଆର ଏବଂ ଉରି ପୁଲିସ ଷ୍ଟେସନ ଅଧୀନରେ ଥିବା ଅଞ୍ଚଳରେ ଅନୁପ୍ରବେଶ ସହ ଆକ୍ରମଣ କରାଯାଇଛି। ଏଥିରେ ମୋଟ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି।
ପାକିସ୍ତାନ ଭିତ୍ତିକ ଆତଙ୍କବାଦୀମାନେ ଗୋଟିଏ ଫରୱାର୍ଡ ପୋଷ୍ଟ ଉପରେ ଆକ୍ରମଣ ଉଦ୍ୟମ କରିଥିଲେ। କିନ୍ତୁ ସତର୍କ ଯବାନ ଏହାକୁ ପଣ୍ଡ କରିଛନ୍ତି। ଦୁଇ ପକ୍ଷ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ହାବିଲଦାର ଅଙ୍କିତ ଓ ସିପାହୀ ବି ଅନୀଲ କୁମାର ସେମାନଙ୍କ ପୋଷ୍ଟର ସୁରକ୍ଷା କରୁଥିବା ବେଳେ ସହିଦ ହୋଇଛନ୍ତି।
ଗତକାଲି ଅନୀଲ କୁମାର ସହିଦ ହୋଇଥିବା ବେଳେ ଆଜି ହାବିଲଦାର ଅଙ୍କିତ ବଳିଦାନ ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି। ତେବେ ସେନା ପକ୍ଷରୁ କେବଳ ଅନୀଲ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣା ଯାଇଛି। ଏବେ ଅପରେସନ ଜାରି ରହିଥିବାରୁ ଅଙ୍କିତଙ୍କ ସମ୍ପର୍କରେ କିଛି ବି କୁହାଯାଇ ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
