Advertisment

ଘମାଘୋଟ ଲଢ଼େଇ: ପାକିସ୍ତାନର ଏୟାର ବେସ୍‌ ଓ ଡ୍ରୋନ ଲଞ୍ଚ ପ୍ୟାଡ ଧ୍ୱଂସ କଲା ଭାରତ

ଏବେ ବି ପାକିସ୍ତାନ ପକ୍ଷରୁ ଶ୍ରୀନଗରର ବିଭିନ୍ନ ସ୍ଥାନକୁ ଟାର୍ଗେଟ କରାଯାଉଛି। ଭାରତ ଶ୍ରୀନଗରରେ ପାକ୍‌ ଡ୍ରୋନକୁ ନଷ୍ଟ କରିଥିବା ବେଳେ ମିସାଇଲ ଲଞ୍ଚରକୁ ଆଲର୍ଟ କରିଛି।

author-image
Hemant Lenka
Air Base

Air Base

ପହଲଗାମ ନରସଂହାର ଓ ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଲଢ଼େଇ ତୀବ୍ର ହୋଇଛି। ଗୁରୁବାର ଭଳି ଶୁକ୍ରବାର ମଧ୍ୟ ପାକିସ୍ତାନ ପକ୍ଷରୁ ଭାରତକୁ ଟାର୍ଗେଟ କରି ଘନଘନ ଡ୍ରୋନ ଓ ମିସାଇଲ ମାଡ଼ କରାଯାଇଛି। ପାକିସ୍ତାନ ପଟୁ ଆସିଥିବା ସମସ୍ତ ବିପଦକୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ ଆକାଶ ପଥରେ ହିଁ ଧ୍ୱଂସ କରି ଦେଇଛି। ଜମ୍ମୁ ଠାରୁ ଆରମ୍ଭ କରି ଗୁଜରାଟର କଚ୍ଛ ଯାଏ ପାକିସ୍ତାନ ମାଡ଼ କରିଥିବା ଡ୍ରୋନ ଓ ମିସାଇଲର ଧ୍ୱଂସାବଶେଷର ଫଟୋ ସେନା ପକ୍ଷରୁ ଜାରି କରାଯାଇଛି।

Advertisment

ଏବେ ବି ପାକିସ୍ତାନ ପକ୍ଷରୁ ଶ୍ରୀନଗରର ବିଭିନ୍ନ ସ୍ଥାନକୁ ଟାର୍ଗେଟ କରାଯାଉଛି। ଭାରତ ଶ୍ରୀନଗରରେ ପାକ୍‌ ଡ୍ରୋନକୁ ନଷ୍ଟ କରିଥିବା ବେଳେ ମିସାଇଲ ଲଞ୍ଚରକୁ ଆଲର୍ଟ କରିଛି। ସେହିପରି ପୂରା ଶ୍ରୀନଗରରେ ହାଇଆଲର୍ଟ ଜାରି କରାଯାଇଛି। ବିଭିନ୍ନ ସ୍ଥାନରେ ଯୁଦ୍ଧ ସାଇରନ ବାଜି ଚାଲିଛି। ଜମ୍ମୁରେ ଥିବା ବିଏସଏଫର ଗୋଟିଏ ପୋଷ୍ଟ ଉପରେ ମଧ୍ୟ ପାକିସ୍ତାନ ଗୁଳି ମାଡ଼ କରିଛି। 

ପାକିସ୍ତାନ ଶୁକ୍ରବାର ରାତିରେ ଜମ୍ମୁ-କଶ୍ମୀର ଠାରୁ ଗୁଜରାଟ ମଧ୍ୟରେ ୨୬ଟି ସ୍ଥାନରେ ସୀମା ଲଙ୍ଘିଥିଲା। ପାକିସ୍ତାନ ପକ୍ଷରୁ ଭାରତର ଏୟାର ପୋର୍ଟ ଠାରୁ ଆରମ୍ଭ କରି ଏୟାରବେସ୍‌କୁ ଟାର୍ଗେଟ କରାଯାଇଥିବା ବେଳେ କୌଣସି ସଫଳତା ମିଳିନାହିଁ। ପାକିସ୍ତାନକୁ ଜବାବ ଦେବାକୁ ଭାରତ ସ୍ଥଳ ପଥରୁ ଆକାଶ ପଥକୁ ଟାର୍ଗେଟ କରିପାରୁଥିବା ମିସାଇଲ ସିଷ୍ଟମକୁ ଆକ୍ଟିଭେଟ କରିଛି। ସେହିପରି ପାକିସ୍ତାନକୁ ଜବାବ ଦେବାକୁ ଯାଇ ଭାରତ କାଉଣ୍ଟର ଆଟାକ କରିଛି। ଏଥିରେ ପାକିସ୍ତାନର ୪ଟି ଏୟାର ବେସ୍‌ ଧ୍ୱଂସ ହୋଇଥିବା ବେଳେ ଗୋଟିଏ ଡ୍ରୋନ ଲଞ୍ଚ ପ୍ୟାଡ ମାଟିରେ ମିଶିଥିବା ଜଣାପଡ଼ିଛି।

Advertisment

ଶୁକ୍ରବାର ରାତିରୁ ଶନିବାର ସକାଳ ମଧ୍ୟରେ କ’ଣ ସବୁ ଘଟିଛି?

ଭାରତୀୟ ସେନା ସଫଳତା ପୂର୍ବକ ପାକିସ୍ତାନର ୪ଟି ଗୁରୁତ୍ୱପୂର୍ଣ୍ଣ ଏୟାର ବେସ୍‌ ଉପରେ ମିସାଇଲ ମାଡ଼ କରିଛି। ଏଥିଯୋଗୁ ପାକିସ୍ତାନ ସେନାର ପ୍ରତିଷ୍ଠାନ ଓ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି। ରାୱଲପିଣ୍ଡିରେ ଥିବା ନୂର ଖାନ, ଚକୱାରେ ଥିବା ମୁରିଦକେ ଓ ଶୋରକୋଟରେ ଥିବା ରଫିକ୍ୟୁ ଏୟାର ବେସ ନଷ୍ଟ ହୋଇଯାଇଛି। ସ୍ଥିତିକୁ ଦେଖି ପାକିସ୍ତାନ ଏୟାର ସ୍ପେଶକୁ ୪୮ ଘଣ୍ଟା ଯାଏ ବନ୍ଦ କରିଦିଆଯାଇଛି।

ସରକାରୀ ସୂତ୍ର ଅନୁସାରେ, ପିଆଇଏ ୨୧୮ ନାମକ ଗୋଟିଏ ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ ବିମାନ ପେଶାୱାର ଯାଉଥିବା ବେଳେ ବାଧ୍ୟ ହୋଇ କ୍ୱେଟ୍ଟାରେ କିଛି ସମୟ ଅଟକି ରହିଥିଲା। ପାକିସ୍ତାନର ରାଜଧାନୀ ଇସଲାମାବାଦ ବ୍ୟତୀତ ଲାହୋରରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି।

ପାକିସ୍ତାନ ଗୋଟିଏ ଦୂରଗାମୀ ମିସାଇଲ ଦ୍ୱାରା ଭାରତକୁ ଟାର୍ଗେଟ କରିଥିଲା। ସେ ମଧ୍ୟରୁ ଗୋଟିଏ ମିସାଇଲ ଭାରତର ଗୁରୁତ୍ୱପୂର୍ଣ୍ଣ ତଥା ରଣନୀତି ଦୃଷ୍ଟିରୁ ଗୁରୁତ୍ୱବହନ କରୁଥିବା ସ୍ଥାନ ଆଡ଼କୁ ମୁହାଁଥିଲା। କିନ୍ତୁ ପଶ୍ଚିମ ପ୍ରାନ୍ତରେ ଥିବା ଭାରତର ଏୟାର ଡିଫେନ୍ସ ସିଷ୍ଟମ ଏହାକୁ ଚିହ୍ନଟ କରିବା ସହ ଧ୍ୱଂସ କରି ଦେଇଛି। ଏ ସମ୍ପର୍କରେ ଭାରତ ସରକାର ଖୁବଶୀଘ୍ର ବିସ୍ତୃତ ତଥ୍ୟ ଦେବେ ବୋଲି ଜଣାପଡ଼ିଛି।

ଜମ୍ମୁ ରିଜନରେ ଥିବା ଏକାଧିକ ପାକିସ୍ତାନ ପୋଷ୍ଟ ଓ ଆତଙ୍କୀ ଲଞ୍ଚ ପ୍ୟାଡକୁ ଭାରତୀୟ ସେନା ନଷ୍ଟ କରି ଦେଇଛି। ଏହି ମଧ୍ୟରୁ ଗୋଟିଏ ଲଞ୍ଚ ପ୍ୟାଡରୁ ଟ୍ୟୁବ ଡ୍ରୋନ ଭାରତକୁ ଟାର୍ଗେଟ କରି ମାଡ଼ କରାଯାଉଥିଲା। ଏବେ ଭାରତ ଏହାକୁ ନଷ୍ଟ କରିବାକୁ ସକ୍ଷମ ହୋଇଛି।

ପାକିସ୍ତାନ ପକ୍ଷରୁ ଇରାନ ନିର୍ମିତ 'ଫତେହ-୨' ମିସାଇଲ୍‌ରେ ଭାରତକୁ ଟାର୍ଗେଟ କରାଯାଇଥିବା ଜଣାପଡ଼ିଛି। ଏହା ଅତ୍ୟନ୍ତ ଘାତକ ବୋଲି କୁହାଯାଏ । ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୧୪୦ କିଲୋମିଟର। ଫତେହ-୨ ବିଭିନ୍ନ ପ୍ରକାରର ଯୁଦ୍ଧାସ୍ତ୍ର ବହନ କରିବାକୁ ମଧ୍ୟ ସକ୍ଷମ। ତେବେ ଏହା ତା’ର ଟାର୍ଗେଟରେ ପହଞ୍ଚିବା ପୂର୍ବରୁ ଅଧ ବାଟରେ ହିଁ ଭାରତ ଧ୍ୱଂସ କରିଛି।

ଏହାର ଜବାବରେ ଭାରତୀୟ ସେନା ରାୱଲପିଣ୍ଡିର ନୂର ଖାଁ ବିମାନ ଘାଟି, ରଫିକି ଓ ମୁରିଦକେ ବାୟୁସେନା ଘାଟିରେ ଭୋର ସମୟରେ ବିସ୍ଫୋରଣ କରିଛି। ଏହି ବିସ୍ଫୋରଣ ପରେ ପାକିସ୍ତାନ ଏହାର ବାୟୁସୀମା ବନ୍ଦ କରିଦେଇଛି। ପାକିସ୍ତାନ ଦାବି କରିଛି ଯେ ଭାରତ ୬ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି।

ଶୁକ୍ରବାର ଅନ୍ଧାର ରାତିରେ ପାକିସ୍ତାନ ପକ୍ଷରୁ ଭାରତର ୨୬ ଟି ସ୍ଥାନରେ ଡ୍ରୋନ୍ ଆକ୍ରମଣ କରିଛି। ତେବେ ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ପାକିସ୍ତାନର ଏହି ସମସ୍ତ ଆକ୍ରମଣକୁ ପଣ୍ଡ କରିଦେଇଥିଲା। ସମସ୍ତ ଡ୍ରୋନ୍‌କୁ ଖସାଇ ଦେଇଛି ଏୟାର ଡିଫେନ୍ସ ସିଷ୍ଟମ।

Terror Attack Jammu Kashmir Pahalgam Operation Sindoor