Attack
ପହଲଗାମ ନରସଂହାର ଓ ଅପରେସନ ସିନ୍ଦୂର ପରେ ଭାରତ ବିରୋଧରେ ରଣନୀତି ଆରମ୍ଭ କରି ଦେଇଛି ପାକିସ୍ତାନ। ବାରମ୍ବାର ଭାରତ ଠାରୁ ମାତ ଖାଉଥିଲେ ହେଁ ପାକିସ୍ତାନ, ତା’ର ପ୍ରକୃତି ବଦଳାଇ ନାହିଁ। ଗୁରୁବାର ଓ ଶୁକ୍ରବାର ଭାରତ ଉପରେ ଆକାଶ ପଥରେ ଆକ୍ରମଣ କରି ବିଫଳ ହୋଇଥିବା ପାକିସ୍ତାନ ଏଲଓସିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଚାଲିଛି। ପାକିସ୍ତାନ ପକ୍ଷରୁ ସୀମାନ୍ତରେ ଥିବା ଜନବସତିକୁ ଟାର୍ଗେଟ କରାଯାଉଛି।
ଭାରତୀୟ ସେନା ମଧ୍ୟ ଏହାର ଦୃଢ଼ ଜବାବ ଦେଉଛନ୍ତି। ଏସବୁ ଭିତରେ ପାକିସ୍ତାନ ବିବାଦକୁ ତୀବ୍ର କରିବା ପାଇଁ ଆଉ ଏକ ପଦକ୍ଷେପ ନେଇଛି। ପାକିସ୍ତାନ ପକ୍ଷରୁ ଭାରତୀୟ ସୀମାନ୍ତରେ ଅଧିକ ସୈନ୍ୟ ଠୁଳ କରାଯିବା ଆରମ୍ଭ କରାଯାଇଛି। ୧୯୯୯ ମସିହା କାର୍ଗିଲ ଯୁଦ୍ଧ ପରେ ପ୍ରଥମଥର ପାଇଁ ପାକିସ୍ତାନ ତା’ର ସୈନ୍ୟମାନଙ୍କୁ ଫରୱାର୍ଡ ଅଞ୍ଚଳକୁ ପଠାଇଛି। କିନ୍ତୁ ଭାରତୀୟ ସେନା ସବୁ ପ୍ରକାରର ପରିସ୍ଥିତିର ମୁକାବିଲା କରିବା ପାଇଁ ଆଲର୍ଟରେ ରହିଥିବା ସରକାର କହିଛନ୍ତି।
ଶନିବାର ଅପରେସନ ସିନ୍ଦୂର ସମ୍ପର୍କରେ ଅପଡେଟ ଦେବା ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସରକାର କହିଛନ୍ତି ଯେ ଶୁକ୍ରବାର ପାକିସ୍ତାନ ୪ ରାଜ୍ୟର ୨୬ଟି ସ୍ଥାନରେ ଭାରତର ସାମରିକ ପ୍ରତିଷ୍ଠାନ ଓ ଜନବସିତିକୁ ଟାର୍ଗେଟ କରି ଆକାଶ ପଥରେ ଆକ୍ରମଣ କରିଥିଲା। ଏହାର ଜବାବରେ ଭାରତୀୟ ସେନା ପାକିସ୍ତାନର ୬ଟି ଏୟାର ବେସ୍ ସମେତ ୮ଟି ସ୍ଥାନରେ ଭୟଙ୍କର ହମଲା କରିଛନ୍ତି।
ପାକିସ୍ତାନ ସହ ଚାଲିଥିବା ବିବାଦ ସମ୍ପର୍କରେ ସରକାରଙ୍କ ପକ୍ଷରୁ ସୂଚନା ଦେଉଥିବା ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଓ କର୍ଣ୍ଣେଲ ସୋଫିୟା କ୍ୟୁରେଶୀ କହିଛନ୍ତି ଯେ ସୀମାରେ ଅଧିକ ସୈନ୍ୟ ଠୁଳ ପାଇଁ ପାକିସ୍ତାନର ନିଷ୍ପତ୍ତି ଗୋଟିଏ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ପ୍ରଦର୍ଶିତ କରିଛି। କର୍ଣ୍ଣେଲ କ୍ୟୁରେଶି କହିଛନ୍ତି, “ପାକିସ୍ତାନୀ ସେନା ତା’ର ଟ୍ରୁପ୍ସକୁ ସୀମାନ୍ତ ଅଞ୍ଚଳକୁ ପଠାଇବାରେ ଲାଗିଛି। ସ୍ଥିତିକୁ ଆହୁରି ଉତ୍ତେଜନା ପୂର୍ଣ୍ଣ କରିବା ପାଇଁ ପାକିସ୍ତାନ ଚାହୁଁଥିବା ଏପରି ଆଭିମୁଖ୍ୟରୁ ସ୍ପଷ୍ଟ ହୋଇଛି। ତେବେ ଭାରତୀୟ ସଶସ୍ତ୍ର ବାହିନୀ ପୂରା ସତର୍କ ରହିଛି। ସମସ୍ତ ପ୍ରକାରର ସ୍ଥିତିର କଡ଼ା ଓ ଉଚିତ ଜବାକୁ ଭାରତୀୟ ସେନା ପ୍ରସ୍ତୁତ ହୋଇ ରହିଛି।”
ଶନିବାର ଭୋର ସମୟରେ ପାକିସ୍ତାନ ‘ଅପରେସନ ବୁନୟାନ ଉଲ ମାର୍ସୋସ’ ଆରମ୍ଭ କରିଛି। ଏହି ଅପରେସନ ଜରିଆରେ ପାକିସ୍ତାନ ସେନା ଜମ୍ମୁ-କଶ୍ମୀର, ପଞ୍ଜାବ, ରାଜସ୍ଥାନ ଓ ଗୁଜରାଟରେ ଥିବା ବିଭିନ୍ନ ସାମରିକ ଘାଟି ଏବଂ ଜନବସତିକୁ ଟାର୍ଗେଟ କରି ଡ୍ରୋନ ଏବଂ ମିସାଇଲ ମାଡ଼ କରିଥିଲା। ଅପରେସନ ନାଁ କୁରାନରୁ ଆସିଛି। ଏହାର ଅର୍ଥ ଅତୁଟ କାନ୍ଥ।
ସରକାର କହିଛନ୍ତି, ପାକିସ୍ତାନ ଡ୍ରୋନ, ଦୂରଗାମୀ ଅସ୍ତ୍ରଶସ୍ତ୍ର, ଆତ୍ମଘାତୀ ଲଢ଼ୁଆ ଅସ୍ତ୍ର ଓ ଯୁଦ୍ଧ ବିମାନ ଜରିଆରେ ସାମରିକ ଠିକଣାକୁ ଟାର୍ଗେଟ କରିଥିଲା। ଭାରତ ଅଧିକାଂଶ ବିପଦକୁ ଟାଳି ଦେଇଥିବା ହେଁ ଉଧମପୁର, ଭୁଜ, ପଠାନକୋଟ ଓ ଭାଠିଣ୍ଡା ସ୍ଥିତ ଏୟାର ବେସ୍ ଉପକରଣ କ୍ଷତି ଗ୍ରସ୍ତ ହୋଇଛି। କିଛି କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।
ସରକାର ସ୍ପଷ୍ଟ କରିଛନ୍ତି ଯେ ରାତି ପ୍ରାୟ ୧.୪୦ରେ ପାକିସ୍ତାନ ପକ୍ଷରୁ ଗୋଟିଏ ଦ୍ରୁତଗାମୀ ମିସାଇଲ ଦ୍ୱାରା ପଞ୍ଜାବରେ ଥିବା ଏୟାର ବେସ୍କୁ ଧ୍ୱଂସ କରିବା ପାଇଁ ଚେଷ୍ଟା କରାଯାଇଥିଲା। ଏହାପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା ଯେ ଭାରତ ବେଶ ସଫଳତା ପୂର୍ବକ ପାକିସ୍ତାନୀ ଫତେହ-୨ ଏୟାର ମିସାଇଲକୁ ସିର୍ସାରେ ଧ୍ୱଂସ କରିଥିଲା।
ଶ୍ରୀନଗର, ଅବନ୍ତିପୁର ଓ ଉଧମପୁର ଏୟାର ବେସ୍ ସ୍ଥିତ ହସ୍ପିଟାଲ ଓ ସ୍କୁଲ ପରିସରକୁ ମଧ୍ୟ ପାକିସ୍ତାନ ଟାର୍ଗେଟ କରିଥିଲା। ଏପରି ଆକ୍ରମଣକୁ ସରକାର ନିନ୍ଦନୀୟ ବୋଲି କହିଛନ୍ତି।
ପାକିସ୍ତାନର ୬ ଏୟାର ବେସ୍ରେ ଆକ୍ରମଣ
ପାକିସ୍ତାନର ବିଫଳ ଉଦ୍ୟମର ଜବାବ ଭାରତୀୟ ସଶସ୍ତ୍ର ବଳ ଦମଦାର ଢଙ୍ଗରେ ଦେଇଛି। ସେନା ପକ୍ଷରୁ ପାକିସ୍ତାନରେ ଥିବା ଟେକ୍ନିକାଲ ପ୍ରତିଷ୍ଠାନ, କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର, ରାଡାର କେନ୍ଦ୍ର ଓ ଗୁଳିଗୋଳ ଗଚ୍ଛିତ ଠିକଣାରେ ଆକ୍ରମଣ କରାଯାଇଛି। ଚକଲାଲା, ରଫିକ୍ୟୁ, ମୁରିଦ, ରହିମ ୟାର ଖାନ, ସୁକୁର ଓ ଚୁନିୟାନ ସ୍ଥିତ ପାକିସ୍ତାନ ସାମରିକ ବେସ୍ରେ ଗୁଳିଗୋଳ ଓ ଯୁଦ୍ଧ ବିମାନ ଦ୍ୱାରା ଷ୍ଟ୍ରାଇକ କରାଯାଇଛି। ପସରୁର ସ୍ଥିତ ରାଡାର ସାଇଟ ଓ ସିଆଲକୋଟର ଆଭିଏସନ ବେସ୍ରେ ମଧ୍ୟ ଭାରତ ଆକ୍ରମଣ କରିଥିବା ସରକାର ସ୍ପଷ୍ଟ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Attack_1746861472.jpg)