Advertisment

ଆଉ ଗୋଟିଏ ପାକ୍‌ ଗୁଇନ୍ଦାଗିରି ନେଟୱର୍କର ପର୍ଦ୍ଦାଫାସ

ପହଲଗାମ ନରସଂହାର ପରେ ଆଇଏସଆଇ ଦୁଇ ଅଭିଯୁକ୍ତଙ୍କୁ ଆକ୍ଟିଭ କରିଥିଲା। ସେମାନଙ୍କ ଆକାଉଣ୍ଟକୁ ୧ ଲକ୍ଷ ଲେଖାଏ ଟଙ୍କା ବି ଆସିଥିଲା।

author-image
Hemant Lenka
Punjab

Punjab

ଭାରତର ରହି ପାକିସ୍ତାନ ପାଇଁ କାମ କରୁଥିବା ଜଣଙ୍କ ପରେ ଜଣେ ଗିରଫ ହେବାରେ ଲାଗିଛନ୍ତି। ଅପରେସନ ସିନ୍ଦୂର ପରେ ଭାରତରେ ଏବେ ଗୁଇନ୍ଦାଗିରି ବିରୋଧୀ ଅପରେସନ ଆରମ୍ଭ ହୋଇଛି। ଏହିକ୍ରମରେ ପଞ୍ଜାବ ପୁଲିସ ଗୋଟିଏ ପାକ୍‌ ଗୁଇନ୍ଦାଗିରି ନେଟୱର୍କର ପର୍ଦ୍ଦାଫାସ କରିଛି। ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ସମ୍ବେଦନଶୀଳ ତଥ୍ୟ ଲିକ କରିଥିବା ଅଭିଯୋଗରେ ପୁଲିସ୍‌ ଗୁରଦାସପୁରରୁ ୨ ଜଣଙ୍କୁ ଗିରଫ କରିଛି।

Advertisment

ଗିରଫ ଦୁଇ ଯୁବକ ହେଲେ ସୁଖପ୍ରୀତ ସିଂହ ଓ କରନବୀର ସିଂହ। ଏମାନେ ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ବିଭିନ୍ନ ଗୁପ୍ତ ତଥ୍ୟ ଦେଇଥିଲେ। ବିଶେଷ କରି ସୁରକ୍ଷାକର୍ମୀଙ୍କ ଗତିବିଧିର ତଥ୍ୟ ଲିକ କରିଥିଲେ। ଏହାବାଦ ପଞ୍ଜାବ, ହିମାଚଳ ପ୍ରଦେଶ ଓ ଜମ୍ମୁ-କଶ୍ମୀରରେ ଥିବା ଦେଶର ପ୍ରମୁଖ ପ୍ରତିଷ୍ଠାନ ସହ ଜଡ଼ିତ ତଥ୍ୟକୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ହାତରେ ଟେକି ଦେଥିଲେ ବୋଲି ପଞ୍ଜାବର ପୁଲିସ୍‌ ମହାନିର୍ଦ୍ଦେଶକ ଗୌରବ ଯାଦବ କହିଛନ୍ତି।

ସେ କହିଛନ୍ତି, “ଫରେନ୍ସିକ ଯାଞ୍ଚରୁ ସେମାନେ ଗୁପ୍ତ ତଥ୍ୟ ଶେୟାର କରିଥିବା ସ୍ପଷ୍ଟ ହୋଇଛି। ସେମାନଙ୍କ ନିକଟରୁ ୩ଟି ମୋବାଇଲ ଫୋନ ଓ ୮ଟି ଜବୀନ୍ତ ଗୁଳି ଜବତ କରାଯାଇଥିଲା।” ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଦୁଇ ଅଭିଯୁକ୍ତ ସିଧାସଳଖ ଆଇଏସଆଇ ହ୍ୟାଣ୍ଡେଲର୍ସଙ୍କ ଯୋଗାଯୋଗରେ ଥିଲେ। ଭାରତୀୟ ସଶସ୍ତ୍ର ବଳ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ସେମାନେ ଲିକ କରିଥିବା ଡିଜିପି ସୂଚନା ଦେଇଛନ୍ତି।

Advertisment

ବର୍ଡର ରେଞ୍ଜ ଡିଆଇଜି ସତିନ୍ଦର ସିଂହ କହିଛନ୍ତି ଯେ ପହଲଗାମ ନରସଂହାର ପରେ ଆଇଏସଆଇ ଦୁଇ ଅଭିଯୁକ୍ତଙ୍କୁ ଆକ୍ଟିଭ କରିଥିଲା। ସେମାନଙ୍କ ଆକାଉଣ୍ଟକୁ ୧ ଲକ୍ଷ ଲେଖାଏ ଟଙ୍କା ବି ଆସିଥିଲା। ସେ କହିଛନ୍ତି, “ଗୁରଦାସପୁର ପୁଲିସ୍‌ ପାକିସ୍ତାନକୁ ତଥ୍ୟ ଲିକ କରୁଥିବା ଗୋଟିଏ ନେଟୱର୍କର ପର୍ଦ୍ଦାଫାସ କରିଛି। ୨ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଜମ୍ମୁ-କଶ୍ମୀର ଓ ହିମାଚଳ ପ୍ରଦେଶରେ ଥିବା ଆମ ସୁରକ୍ଷାକର୍ମୀଙ୍କ ଗୁପ୍ତ ତଥ୍ୟକୁ ସେମାନେ ଲିକ କରିଥିଲେ। ଯେଉଁମାନେ ଏପରି କାମ କରୁଛନ୍ତି ସେମାନେ ପାକିସ୍ତାନୀ ଗୁପ୍ତଚର। ସେମାନେ ଆମ ଦେଶ ସହ ଧୋକା କରିଛନ୍ତି। ସେମାନେ ସିଧାସଳଖ ପାକିସ୍ତାନ ଗୁଇନ୍ଦା ଆଇଏସଆଇ ସହ ଯୋଗାଯୋଗରେ ରହିଥିଲେ।”

ଗିରଫ ଦୁଇ ଯୁବକଙ୍କ ଘର ଗୁଚଦାସପୁରରେ। ସେମାନଙ୍କ ବୟସ ୧୯ରୁ ୨୦ ବର୍ଷ ହେବ। ସେମାନେ ନିଶା କାରବାର କରିବା ସହ ଡ୍ରଗ୍ସ ନିଅନ୍ତି। ପ୍ରାୟ ୧୫ରୁ ୨୦ ଦିନ ହେଲା ସେମାନେ ପାକିସ୍ତାନ ଆଇଏସଆଇକୁ ତଥ୍ୟ ଦେଉଥିଲେ।

ଏହାପୂର୍ବରୁ ଶନିବାର ହରିୟାଣା ଭିତ୍ତିକ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସମେତ ୬ ଜଣଙ୍କୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଗିରଫ କରାଯାଇଥିଲା। ଜ୍ୟୋତି ଟ୍ରେଭଲ ୱିଥ ଜୋ ନାଁରେ ଗୋଟିଏ ୟୁଟ୍ୟୁବ ଚ୍ୟାନେଲ ଚଳାଉଥିଲେ। କିନ୍ତୁ ତାଙ୍କର ଲିଙ୍କ ନୂଆଦିଲ୍ଲୀରେ ଥିବା ପାକିସ୍ତାନ ହାଇ କମିଶନ ସହ ଥିଲା। ସେ ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଭାରତର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ସମ୍ପର୍କରେ ଗୁପ୍ତ ତଥ୍ୟ ଦେଇଥିଲେ।

ଏପରି କି ସେ ଏକାଧିକ ଥର ପାକିସ୍ତାନ ଗସ୍ତ କରିଥିଲା। ସେହିପରି ରବିବାର ଉତ୍ତର ପ୍ରଦେଶର ମୋରଦାବାଦ ଓ ସୋମବାର ହରିୟାଣାର ନୁହରୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଘଟଣାରେ ୨ ଜଣଙ୍କୁ ପୁଲିସ୍‌ ଗିରଫ କରିଛି।

Pakistan Punjab Spying