Advertisment

ତୁର୍କୀ ଡ୍ରୋନରେ ଭାରତକୁ ଟାର୍ଗେଟ କରିଥିଲା ପାକିସ୍ତାନ

ବୈଦେଶିକ ମନ୍ତ୍ରଣାଳୟ ସଚିବ ବିକ୍ରିମ ମିସ୍ରି, ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଓ କର୍ଣ୍ଣେଲ ସୋଫିୟା କ୍ୟୁରେଶି ମିଳିତ ଭାବେ ଅପରେସନ ସିନ୍ଦୂର ସମ୍ପର୍କରେ ସୂଚନା ଦେଇଛନ୍ତି।

author-image
Hemant Lenka
Pak

Pak

ଅପରେସନ ସିନ୍ଦୂର ସମ୍ପର୍କରେ ଅପଡେଟ ଦେବା ବେଳେ ପାକିସ୍ତାନର ମୁଖା ଖୋଲି ଦେଇଛି ଭାରତ। ଗୁରୁବାର ଭାରତକୁ ଟାର୍ଗେଟ କରିବା ପାଇଁ ପାକିସ୍ତାନ ପକ୍ଷରୁ ତୁର୍କୀର ସ୍ୱତନ୍ତ୍ର ଡ୍ରୋନକୁ ବ୍ୟବହାର କରାଯାଇଥିଲା। ଭାରତ ଅଧିକାଂଶ ଡ୍ରୋନକୁ ନଷ୍ଟ କରିବାରେ ସଫଳ ହୋଇଥିଲେ ହେଁ ପାକିସ୍ତାନ ନୂଆଦିଲ୍ଲୀର ଡିଫେନ୍ସ ସିଷ୍ଟମର ପରୀକ୍ଷା କରିବା ଓ ଗୁଇନ୍ଦା ତଥ୍ୟ ହାସଲ କରିବା ପାଇଁ ଘନଘନ ଆକ୍ରମଣ କରିଥିଲା ବୋଲି ଭାରତ ସରକାର ସ୍ପଷ୍ଟ କରିଛନ୍ତି।

Advertisment

ବୈଦେଶିକ ମନ୍ତ୍ରଣାଳୟ ସଚିବ ବିକ୍ରିମ ମିସ୍ରି, ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଓ କର୍ଣ୍ଣେଲ ସୋଫିୟା କ୍ୟୁରେଶି ମିଳିତ ଭାବେ ଅପରେସନ ସିନ୍ଦୂର ସମ୍ପର୍କରେ ସୂଚନା ଦେଇଛନ୍ତି। ସେମାନେ କହିଛନ୍ତି ଯେ ମେ’ ୮ ଓ ୯ ତାରିଖ ରାତିରେ ପାକିସ୍ତାନ ସେନା ଭାରତୀୟ ଆକାଶ ପଥର ଉଲ୍ଲଙ୍ଘନ ଏକାଧିକ ଥର କରିଛି। ପୂରା ପଶ୍ଚିମ ସୀମାରେ ଥିବା ଆକାଶ ପଥକୁ ଉଲ୍ଲଙ୍ଘନ କରି ପାକିସ୍ତାନ ସେନା ଭାରତର ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା। ପାକିସ୍ତାନ ମିଲିଟାରୀ ଏଲଓସିରେ ମଧ୍ୟ ପ୍ରବଳ ଗୁଳି ମାଡ଼ କରିଛି।

ଅନ୍ତର୍ଜାତୀୟ ସୀମା ଓ ଏଲଓସିରେ ଡ୍ରୋନ ଅନୁପ୍ରବେଶ ହୋଇଛି। ଲେହ ଠାରୁ ଆରମ୍ଭ କରି ଗୁଜରାଟର ସାର କ୍ରିକ ଯାଏ ୩୬ଟି ସ୍ଥାନରେ ୩୦୦ରୁ ୪୦୦ଟି ଡ୍ରୋନ ଦ୍ୱାରା ଆକ୍ରମଣ କରିଥିଲା। ଏହା ମଧ୍ୟରୁ ଅନେକକୁ ନଷ୍ଟ କରାଯାଇଛି। ଏହାର ଧ୍ୱଂସାବଶେଷକୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି। କିନ୍ତୁ ପ୍ରାଥମିକ ଭାବେ ଜଣାପଡ଼ିଛି ଯେ ପାକିସ୍ତାନ ପକ୍ଷରୁ ତୁର୍କୀ ନିର୍ମିତ "Asisguard Songar" ଡ୍ରୋନକୁ ବ୍ୟବହାର କରାଯାଇଛି।

Advertisment

ସରକାରଙ୍କ କହିବା କଥା ଯେ ଭାରତର ଏୟାର ଡିଫେନ୍ସ ବ୍ୟବସ୍ଥାକୁ ଯାଞ୍ଚ କରିବା ଓ ଗୁଇନ୍ଦା ତଥ୍ୟକୁ ଏକାଠି କରିବା ହୁଏତ ଏତେ ସଂଖ୍ୟକ ଏରିୟାଲ ଅନୁପ୍ରବେଶ ପଛରେ କାରଣ ହୋଇପାରେ। ତେବେ ସ୍ଥିତି ବିଳମ୍ବିତ ରାତିରେ ଆହୁରି ବିଗିଡ଼ିଥିଲା। ପାକିସ୍ତାନର ଗୋଟିଏ ସଶସ୍ତ୍ର ୟୁଏଭି ପଞ୍ଜାବର ଭାଠିଣ୍ଡାରେ ଥିବା ସାମରିକ ଘାଟିକୁ ଟାର୍ଗେଟ କରିଥିଲା। ତେବେ ୟୁଏଭି ସଫଳ ହେବା ପୂର୍ବରୁ ଏହାକୁ ଚିହ୍ନଟ କରାଯିବା ସହ ନିଷ୍କ୍ରିୟ କରି ଦିଆଯାଇଥିଲା।

ଭାରତ ପକ୍ଷରୁ ଡ୍ରୋନ ହମଲାର ଦୃଢ଼ ଜବାବ ଦିଆଯାଇଥିଲା। ପାକିସ୍ତାନ ଆକ୍ରମଣର ଜବାବ ଦେବାକୁ ୪ଟି ସଶସ୍ତ୍ର ଡ୍ରୋନ ଲଞ୍ଚ କରାଯାଇଥିଲା। ପାକିସ୍ତାନର ୪ଟି ଏୟାର ଡିଫେନ୍ସ ସାଇଟରେ ଏହାକୁ ଛଡ଼ା ଯାଇଥିଲା। ଏହା ମଧ୍ୟରୁ ଗୋଟିଏ ସଫଳତାର ସହ ପାକିସ୍ତାନ ଏୟାର ଡିଫେନ୍ସ ରାଡାରକୁ ଧ୍ୱଂସ କରିବାରେ ସକ୍ଷମ ହୋଇଛି।

ପାକିସ୍ତାନର ସୀମା ପାର ହରକତ କେବଳ ଡ୍ରୋନ ଆକ୍ରମଣରେ ସୀମିତ ନଥିବା ସରକାର ସ୍ପଷ୍ଟ କରିଛନ୍ତି। ସରକାର କହିଛନ୍ତି ଯେ ପାକିସ୍ତାନ ଏଲଓସିରେ ମଧ୍ୟ ଗୁଳି ବର୍ଷା କରିଛି। ଆର୍ଟିଲେରୀ ଗନ ଓ ଆର୍ମଡ ଡ୍ରୋନ ଦ୍ୱାରା ପାକିସ୍ତାନ ସୁନ୍ଦରବେନ, ଉରି, ପୁଞ୍ଚ, ମେନ୍ଧର, ରଜୌରୀ, ଅଖନୁର ଓ ଉଧମପୁରରେ ଆକ୍ରମଣ କରିଛି। ଏହି ଆକ୍ରମଣରେ କିଛି ସେନା କର୍ମଚାରୀ ଆହତ ହୋଇଛନ୍ତି। ଭାରତର ପାଲଟା ଜବାବରେ ମଧ୍ୟ ପାକିସ୍ତାନ ସେନା ବ୍ୟାପକ କ୍ଷତି ସହିଛି।

ସାମ୍ବାଦିକ ସମ୍ମିଳନୀରେ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ କହିଛନ୍ତି, “ଗୁରୁବାର ସନ୍ଧ୍ୟାରେ ପାକିସ୍ତାନ ଭାରତ ଉପରେ ଉତ୍ତେଜନା ସୃଷ୍ଟି କରିବା ପାଇଁ ଡ୍ରୋନ ଓ ମିସାଇଲ ମାଡ଼ କରିଥିଲେ ହେଁ ବିଫଳ ହୋଇଛି। ପାକିସ୍ତାନ ଆକ୍ରମଣ କରିବା ବେଳେ ଜାଣିଶୁଣି ନିଜର ଆକାଶ ପଥକୁ ବେସାମରିକ ବିମାନ ଚଳାଚଳ ପାଇଁ ଖୋଲା ରଖିଥିଲା। ପାକିସ୍ତାନ ବେସାମରିକ ବିମାନକୁ ତା’ର ସୁରକ୍ଷା ଢାଳ ଭାବେ ବ୍ୟବହାର କରୁଛି। କାରଣ ପାକିସ୍ତାନ ଭଲ ଭାବେ ଜାଣିଥିଲା ଯେ ତା’ର ହରକତର ଜବାବ ଭାରତୀୟ ବାୟୁ ସେନା ଭଲ ଭାବେ ଦେବ।

ଖାସ ଏହି କାରଣ ପାଇଁ ଆକ୍ରମଣ କରିବା ବେଳେ ମଧ୍ୟ ସାଧାରଣ ଯାତ୍ରୀବାହୀ ବିମାନଗୁଡ଼ିକ ପାଇଁ ନିଜର ଆକାଶ ପଥ ଖୋଲା ରଖିଥିଲା। ଏହି ସମୟରେ ଗୋଟିଏ ବିମାନ ମଧ୍ୟ ଲାହୋରରେ ଅବତରଣ କରିଛି। ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ସାଧାରଣ ଘରୋଇ ଓ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନର ଉଡ଼ାଣ ଆଦୌ ସୁରକ୍ଷିତ ନୁହେଁ। ପାକିସ୍ତାନ ସାଧାରଣ ଯାତ୍ରୀବାହୀ ବିମାନକୁ ମାନବ ଢାଲ ବ୍ୟବହାର କରୁଥିବାରୁ ଭାରତୀୟ ବାୟୁ ସେନା ବେଶ ସଂଯମତାର ସହ ପଦକ୍ଷେପ ନେଇଥିଲା।”

ବୈଦେଶିକ ସଚିବ ବିକ୍ରିମ ମିସ୍ରି କହିଛନ୍ତି ଯେ ପାକିସ୍ତାନ ମିଛର ପ୍ରଚାର କରିବା ସହ ଭାରତରେ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାକୁ ଚାହୁଁଛି। ଏଥିପାଇଁ ପାକିସ୍ତାନ ସେନା ସୀମାରେ ଗୁରୁଦ୍ୱାରା ଓ ଖ୍ରୀଷ୍ଟିୟାନ ଠିକଣାକୁ ଟାର୍ଗେଟ କରୁଛି। ପାକିସ୍ତାନ ଗୁଳିରେ ୨ ଉଭଣୀ ପ୍ରାଣ ହରାଇଛନ୍ତି। ପାକିସ୍ତାନ କହୁଛି ଯେ ଭାରତ ନିଜ ସହରରେ ହମଲା କରୁଛି। ଏହାଠାରୁ ହାସ୍ୟାସ୍ପଦ କଥା କିଛି ହୋଇ ନପାରେ। ପାକିସ୍ତାନ ସମାନ କାମ କରୁଥିବାରୁ ଭାରତକୁ ସେମିତି ଭାବୁଛି ବୋଲି ମିସ୍ରି କହିଛନ୍ତି।

Terror Attack Indo-Pakistani War Pahalgam