Jaishankar
ଏପ୍ରିଲ ୨୨ ପହଲଗାମ ନରସଂହାରର ବଦଲା ନେବାକୁ ଭାରତୀୟ ସେନା ମେ’ ୭ ତାରିଖରେ ଆରମ୍ଭ କରିଥିଲା ଅପରେସନ ସିନ୍ଦୂର। ଅପରେସନ ସିନ୍ଦୂର ଜରିଆରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ୯ଟି ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରି ଦେଇଥିଲା। ତେବେ ଅପରେସନ ସିନ୍ଦୂର ଆରମ୍ଭ ହେବା ୩୦ ମିନିଟ ପରେ ଭାରତ ସରକାର ଏକଥା ପାକିସ୍ତାନକୁ ଜଣାଇ ଦେଇଥିଲେ।
ଭାରତୀୟ ସେନା କେବଳ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କରିଥିବା ଇସଲାମାବାଦକୁ କୁହାଯାଇଥିଲା। ଏକଥା ଆଜି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନିଜେ କହିଛନ୍ତି। ଗୋଟିଏ ସଂସଦୀୟ ପରାମର୍ଶଦାତା କମିଟିକୁ ସେ ଅପରେସନ ସିନ୍ଦୂର ସମ୍ପର୍କରେ ଅବଗତ କରିବା ବେଳେ ଏକଥା କହିଥିବା ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ରିପୋର୍ଟ ପ୍ରକାଶ ପାଇଛି।
ଉକ୍ତ ଗଣମାଧ୍ୟମ ବୈଠକର ସୂତ୍ରରୁ ତଥ୍ୟ ସଂଗ୍ରହ କରି ରିପୋର୍ଟ ପ୍ରକାଶ କରିଛି। ବୈଠକରେ ଜୟଶଙ୍କର କହିଛନ୍ତି ଯେ “ଅପରେସନ ସିନ୍ଦୂର ଆରମ୍ଭ ହେବାର ୩୦ ମିନିଟ ପରେ ପାକିସ୍ତାନକୁ ଏ ସମ୍ପର୍କରେ କୁହାଯାଇଥିଲା। ଅପରେସନ ସିନ୍ଦୂର ଜରିଆରେ କେବଳ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରାଯାଥିବା ପାକିସ୍ତାନକୁ ଅବଗତ କରାଯାଇଥିଲା। ତଥାପି ପାକିସ୍ତାନ ଏହାର ଜବାବରେ ଭାରତୀୟ ସେନା ପ୍ରତିଷ୍ଠାନ ଓ ଜନବସତିକୁ ଟାର୍ଗେଟ କରିଥିଲା।
ଏହାର ଦୃଢ଼ ଜବାବ ଭାରତୀୟ ସେନା ଦେଇଛି। ସେହିପରି ଦୁଇ ଦେଶ ମଧ୍ୟରେ ଲାଗୁ ହୋଇଥିବା ଯୁଦ୍ଧ ବିରତିରେ କୌଣସି ତୃତୀୟ ପକ୍ଷ ହସ୍ତକ୍ଷେପ କରି ନାହାନ୍ତି। ଦୁଇ ଦେଶର ଡିଜିଏମଓ ସିଧାସଳଖ କଥାବାର୍ତ୍ତା ହୋଇ ଯୁଦ୍ଧ ବିରତି ଲାଗୁ କରିଛନ୍ତି। ଯୁଦ୍ଧ ବିରତି ପାଇଁ ପଦକ୍ଷେପ ଇସଲାମାବାଦ ପକ୍ଷରୁ ପ୍ରଥମେ ଆରମ୍ଭ କରାଯାଇଥିଲା।”
ବୈଦେଶିକ ବ୍ୟାପାର ସଂକ୍ରାନ୍ତ ସଂସଦୀୟ ପରାମର୍ଶଦାତା କମିଟିର ଅଧ୍ୟକ୍ଷତା ଏସ ଜୟଶଙ୍କର କରିଛନ୍ତି। ବୈଠକରେ ଅପରେସନ ସିନ୍ଦୂର ଓ ସୀମାର ଆତଙ୍କବାଦ ସମ୍ପର୍କରେ ଆଲୋଚନା ହୋଇଛି। କେସି ଭେନୁଗୋପାଲ, ମନୀଷ ତିୱାରୀ, ମୁକୁଲ ୱାସନିକ, ପ୍ରିୟଙ୍କା ଚତୁର୍ବେଦୀ, ଅପରାଜିତା ଷଡ଼ଙ୍ଗୀ ଓ ଗୁରଜିତ ଅଉଜାଲଙ୍କ ଭଳି ବିଭିନ୍ନ ଦଳର ସାଂସଦ ଏଥିରେ ଉପସ୍ଥିତ ଥିଲେ।
ସୂତ୍ର ଅନୁସାରେ ଜୟଶଙ୍କର ବୈଠକରେ ଉପସ୍ଥିତ ସଦସ୍ୟମାନଙ୍କୁ ଅବଗତ କରାଇଛନ୍ତି ଯେ ଭାରତୀୟ ସେନା କେବଳ ଆତଙ୍କବାଦ ଭିତ୍ତିଭୂମିକୁ ଟାର୍ଗେଟ କରିଥିଲା। ଏଥିସହ ଉତ୍ତେଜନାକୁ ଦୂରେଇ ରଖିବା ପାଇଁ ଏ ସମ୍ପର୍କରେ ପାକିସ୍ତାନକୁ ଅବଗତ ମଧ୍ୟ କରାଯାଇଥିଲା।
ଯୁଦ୍ଧ ବିରତିରେ ତୃତୀୟ ପକ୍ଷ ବିଶେଷ କରି ଆମେରିକା ହସ୍ତକ୍ଷେପ କରିଥିବା ନେଇ ହେଉଥିବା ଚର୍ଚ୍ଚାକୁ ଜୟଶଙ୍କର ଖଣ୍ଡନ କରିଛନ୍ତି। ଜୟଶଙ୍କର ଭାରତର ଆଭିମୁଖ୍ୟ ସମ୍ପର୍କରେ ୧୦ଟି ଶବ୍ଦରେ ଆମେରିକାକୁ ଅବଗତ କରାଯାଇଥିଲା ବୋଲି ବୈଠକରେ କହିଛନ୍ତି। ଆମେରିକାକୁ ଭାରତ କହିଥିଲା ଯେ “ସେମାନେ ଗୁଳି କଲେ, ଆମେ କରିବୁ। ସେମାନେ ବନ୍ଦ କଲେ, ଆମେ ବନ୍ଦ କରିବୁ।”
ଜୟଶଙ୍କର ଆହୁରି କହିଛନ୍ତି ଯେ “ଆମେରିକାର ବୈଦେଶିକ ମନ୍ତ୍ରୀ ଆମକୁ କହିଥିଲେ ଯେ ପାକିସ୍ତାନ ଉତ୍ତେଜନାକୁ ତୀବ୍ର କରିବାକୁ ବଡ଼ ଆକ୍ରମଣ କରିପାରେ ବୋଲି ଗୁଇନ୍ଦା ତଥ୍ୟରୁ ଜଣାପଡ଼ିଛି। ଆମେ ଏହାର ଜବାବରେ କହିଥିଲୁ ଯେ ଯଦି ପାକିସ୍ତାନ ସ୍ଥିତିକୁ ତୀବ୍ର କରିବ, ତା’ହେଲେ ଭାରତ ଏହାର ଜବାବ ସେହି ଅନୁସାରେ ଦେବାକୁ ପ୍ରସ୍ତୁତ ରହିଛି।”
କିଛି ଦିନ ପୂର୍ବରୁ ଜୟଶଙ୍କରଙ୍କ ଗୋଟିଏ ଭିଡିଓ ଭାଇରାଲ ହେଉଥିଲା। ଏଥିରେ ସେ ଅପରେସନ ସିନ୍ଦୂର ସମ୍ପର୍କରେ ପୂର୍ବରୁ ପାକିସ୍ତାନକୁ ଅବଗତ କରାଯାଇଥିବା କହୁଥିବା ଶୁଣିବାକୁ ମିଳିଥିଲା। ଏହାକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଶେୟାର କରି ଜୟଶଙ୍କରଙ୍କୁ ଟାର୍ଗେଟ କରିଥିଲେ। ପାକିସ୍ତାନକୁ ଅପରେସନ ସିନ୍ଦୂର ସମ୍ପର୍କରେ ଆଗୁଆ ଅବଗତ କରାଇବା ଅପରାଧ ବୋଲି ସେ କହିଥିଲେ। ଏହାକୁ ନେଇ ବିବାଦ ଦେଖାଯିବାର କିଛି ଦିନ ପରେ ଜୟଶଙ୍କର ଏପରି ସ୍ପଷ୍ଟୀକରଣ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Jaishankar_1748259305.jpg)