/odisha-reporter/media/media_files/2025/12/07/nikita-2025-12-07-18-24-29.jpg)
ପାକିସ୍ତାନର ଜଣେ ବ୍ୟକ୍ତି ଗୁପ୍ତ ଭାବେ ଦ୍ୱିତୀୟ ବିବାହ କରିବା ପାଇଁ ଯୋଜନା କରୁଥିବା ବେଳେ ନ୍ୟାୟ ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି ତାଙ୍କ ପତ୍ନୀ। ତା’ ସହିତ ଉଭୟ ଭାରତ ଓ ପାକିସ୍ତାନର ବିଭିନ୍ନ ସାମାଜିକ ସଂଗଠନଗୁଡ଼ିକୁ ମଧ୍ୟ ସେ ହସ୍ତକ୍ଷେପ କରି ନ୍ୟାୟ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି।
ଏହି ମହିଳାଙ୍କ ନାଁ ନିକିତା ନାଗଦେବ। ସେ ପାକିସ୍ତାନର କରାଚିର ବାସିନ୍ଦା। ୨୦୨୦ ଜାନୁଆରୀ ୨୬ ତାରିଖରେ ସେ ହିନ୍ଦୁ ରୀତିନୀତିରେ ବିକ୍ରମ ନାଗଦେବଙ୍କୁ ବିବାହ କରିଥିଲେ। ବିକ୍ରମ ମଧ୍ୟ ପାକିସ୍ତାନର ନାଗରିକ। ତେବେ ଦୀର୍ଘକାଳୀନ ଭିସାରେ ସେ ଭାରତର ମଧ୍ୟ ପ୍ରଦେଶର ଇନ୍ଦୋରରେ ରହୁଛନ୍ତି।
ବାହାଘରର ମାସକ ପରେ ନିକିତାଙ୍କୁ ତାଙ୍କ ସ୍ୱାମୀ ବିକ୍ରମ ଇନ୍ଦୋର ନେଇ ଆସିଥିଲେ। ତା’ର କିଛି ମାସ ପରେ ନିକିତାଙ୍କ ଜୀବନ ନର୍କ ପାଲଟି ଯାଇଥିଲା।
ସେ ଅଭିଯୋଗ କରିଛନ୍ତି ଯେ ୨୦୨୦ ଜୁଲାଇ ୯ ତାରିଖରେ ବିକ୍ରମ ତାଙ୍କୁ ଅଟ୍ଟ୍ରି ସୀମାରେ ଛାଡ଼ି ପଳାଇ ଯାଇଥିଲେ। ଭିସା ସମସ୍ୟା ଦେଖାଇ ସେ ସେଠାରେ ତାଙ୍କୁ ଛାଡ଼ି ଦେଇଥିଲେ ଓ ଜୋରଜବରଦସ୍ତ ପାକିସ୍ତାନ ପଠାଇ ଦେଇଥିଲେ। ସେହିଦିନଠାରୁ ବିକ୍ରମ କେବେ ବି ତାଙ୍କୁ ଇନ୍ଦୋର ନେବାକୁ ଆଉ ପ୍ରୟାସ କରି ନାହାନ୍ତି।
ନିକିତା ପାକିସ୍ତାନ ଫେରିଯିବା ପରେ ତାଙ୍କ ପ୍ରତି ଶାଶୁ ଘର ଲୋକଙ୍କର ବ୍ୟବହାର ପୂରା ବଦଳି ଯାଇଥିଲା। ସେହିପରି ପରବର୍ତ୍ତୀ ସମୟରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ୱାମୀଙ୍କର ତାଙ୍କର (ନିକିତାଙ୍କର) ଜଣେ ସଂପର୍କୀୟଙ୍କ ସହିତ ସଂପର୍କ ରହିଛି। ଏନେଇ ସେ ତାଙ୍କ ଶ୍ୱଶୁରଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ତାଙ୍କ ଶ୍ୱଶୁର ଏହା ଭିତ୍ତିହୀନ ବୋଲି କହିଥିଲେ।
ଚଳିତ ବର୍ଷ ଜାନୁଆରୀ ମାସରେ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ପ୍ରାଧିକୃତ ସିନ୍ଧି ପଞ୍ଚ ମିଡିଏସନ ଓ ଲିଗାଲ କାଉନସିଲ ସେଣ୍ଟର ଏହି ମାମଲାକୁ ନିଜ ହାତକୁ ନେଇଥିଲା। ବିକ୍ରମ ଓ ତାଙ୍କର ତଥାକଥିତ ଭାବିପତ୍ନୀଙ୍କୁ ସମନ ଜାରି କରାଯାଇଥିଲା ଓ ମାମଲାର ଶୁଣାଣି କରାଯାଇଥିଲା। କିନ୍ତୁ କିଛି ସୁଫଳ ମିଳି ନଥିଲା। କାରଣ ସିନ୍ଧି ପଞ୍ଚ ମିଡିଏସନ ଓ ଲିଗାଲ କାଉନସିଲ ସେଣ୍ଟର ପକ୍ଷରୁ କୁହାଯାଇଥିଲା ଯେ ବିକ୍ରମ ଓ ନିକିତା ଭାରତୀୟ ନାଗରିକ ହୋଇନଥିବା କାରଣରୁ ଏହି ମାମଲା ପାକିସ୍ତାନର ନ୍ୟାୟିକ ପ୍ରକ୍ରିୟା ଭିତରେ ଯାଉଛି। ତେଣୁ ବିକ୍ରମଙ୍କୁ ପାକିସ୍ତାନ ପଠାଇ ଦେବାକୁ ସୁପାରିସ କରାଯାଇଥିଲା।
୨୦୨୦ ମେ’ ମାସରେ ନିକିତା ଇନ୍ଦୋର ସୋଶିଆଲ ପଞ୍ଚାୟତରେ ଏନେଇ ଆବେଦନ କରିଥିଲେ। ତାହା ମଧ୍ୟ ବିକ୍ରମଙ୍କୁ ପାକିସ୍ତାନ ପଠାଇ ଦେବା ପାଇଁ ସୁପାରିସ କରିଥିଲା।
ଜାରି କରିଥିବା ଭିଡିଓରେ ନିକିତା କହିଛନ୍ତି, ମୁଁ ତାଙ୍କୁ ଅନେକ ଥର ଅନୁରୋଧ କରିଛି ମୋତେ ଭାରତ ନେଇଯିବାକୁ। କିନ୍ତୁ ସବୁଥର ସେ ମନା କରି ଦେଇଛନ୍ତି।
ସେ ଆହୁରି କହିଛନ୍ତି, ଯଦି ଆଜି ନ୍ୟାୟ ପ୍ରଦାନ ନକରାଯାଏ, ବ୍ୟବସ୍ଥା ଉପରୁ ମହିଳାମାନଙ୍କର ବିଶ୍ୱାସ ଉଠିଯିବ। ବହୁ ଝିଅ ସେମାନଙ୍କ ଶାଶୁ ଘରେ ଉଭୟ ମାନସିକ ଓ ଶାରୀରିକ ନିର୍ଯାତନାର ଶିକର ହେଉଛନ୍ତି। ମୋ ସହିତ ଛିଡ଼ା ହେବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି।
ଇନ୍ଦୋର ଜିଲ୍ଲାପାଳ କହିଛନ୍ତି ଯେ ଏକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିବା ପରେ ତା’ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
