Advertisment

୩୬ ଘଣ୍ଟା ଭିତରେ ପାକିସ୍ତାନ ଉପରେ ଭାରତ କରିବ କି ବଡ଼ ହମଲା?

ସେନାକୁ ଗ୍ରୀନ ସିଗ୍ନାଲ ମିଳିବା ପରେ ପାକିସ୍ତାନ ଆହୁରି ଡରି ଯାଇଛି। ଏଲଓସିରେ ପାକିସ୍ତାନ ସେନା ଯବାନ ଓ ଯୁଦ୍ଧାସ୍ତ୍ର ମୁତୟନ କରିବା ଆରମ୍ଭ କରିଦେଇଛି।

author-image
Hemant Lenka
Army

Army

ପହଲଗାମ ନରସଂହାର ପରେ ଭାରତରେ ସବୁଠାରୁ ବଡ଼ ହଲଚଲ। ଭାରତରେ ହେଉଥିବା ଘନଘନ ବୈଠକ ଦେଖି ପାକିସ୍ତାନ ଛାନିଆ। କୁହାଯାଉଛି ଯେ ପହଲଗାମ ଆକ୍ରମଣର ବଦଲା ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପ୍ଲାନ ତୟାର ହୋଇ ସାରିଛି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ମଙ୍ଗଳବାର ଠାରୁ ସେନା ବାହିନୀକୁ ନିଜ ଇଚ୍ଛାରେ ଅପରେସନ କରିବାକୁ ଅନୁମତି ଦେଇ ସାରିଛନ୍ତି।

Advertisment

ସେନାକୁ ଗ୍ରୀନ ସିଗ୍ନାଲ ମିଳିବା ପରେ ପାକିସ୍ତାନ ଆହୁରି ଡରି ଯାଇଛି। ଏଲଓସିରେ ପାକିସ୍ତାନ ସେନା ଯବାନ ଓ ଯୁଦ୍ଧାସ୍ତ୍ର ମୁତୟନ କରିବା ଆରମ୍ଭ କରିଦେଇଛି। ମଙ୍ଗଳବାର ଠାରୁ ପାକିସ୍ତାନ ଏପରି ପଦକ୍ଷେପ ନେଇଥିବା ବେଳେ ଆଜି ମୋଦିଙ୍କ ଅଧ୍ୟକ୍ଷତାରେ ସିସିଏସ୍‌ ଠାରୁ ଆରମ୍ଭ କରି କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ଅପରାହ୍ନ ୩ଟାରେ ବଡ଼ ଘୋଷଣାର ସମ୍ଭାବନା ଥିବା ବେଳେ ପାକିସ୍ତାନ ଛାତି ଧଡ଼ଧଡ଼ ହେବାରେ ଲାଗିଛି।

ବୁଧବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୈଠକ ପୂର୍ବରୁ ପାକିସ୍ତାନ ମଙ୍ଗଳବାର ବିଳମ୍ବିତ ରାତିରେ ଆକ୍ରମଣ ଆଶଙ୍କା କରି ସାମ୍ବାଦିକ ସମ୍ମିଳନୀ କରିଛି। ଭାରତ ୨୪ରୁ ୩୬ ଘଣ୍ଟା ମଧ୍ୟରେ ପହଲଗାମ ଆତଙ୍କୀ ହମଲାର ବଦଲା ନେବା ପାଇଁ ପାକିସ୍ତାନ ଉପରେ ହମଲା କରିପାରେ ବୋଲି ଇସଲାମାବାଦ ଆଶଙ୍କା କରିଛି। ଇସଲାମାବାଦର ଏପରି ଆଶଙ୍କା ଓ ଭାରତରେ ଘନଘନ ବୈଠକ ଆକ୍ରମଣର ସଙ୍କେତ ଦେଇଛି।

Advertisment

ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାନର ସୂଚନା ମନ୍ତ୍ରୀ ଅତାତୁଲ୍ଲା ତରାର ଦାବି କରିଛନ୍ତି ଯେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ଆସନ୍ତା ୨୪ରୁ ୩୬ ଘଣ୍ଟା ମଧ୍ୟରେ ହେବା ଆସନ୍ନ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି। ଭାରତର ମନମାନୀ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

ଅତାତୁଲ୍ଲା କହିଛନ୍ତି, “ପାକିସ୍ତାନ ପାଖରେ ନିର୍ଭରଯୋଗ୍ୟ ଗୁଇନ୍ଦା ତଥ୍ୟ ରହିଛି ଯେ ଭାରତ ୨୪ରୁ ୩୬ ଘଣ୍ଟା ମଧ୍ୟରେ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନେଇପାରେ। ପହଲଗାମ ଘଟଣାରେ ଭାରତ କରୁଥିବା ଭିତ୍ତିହୀନ ଓ ଅମୂଳକ ଅଭିଯୋଗକୁ ଆଧାର କରି ନୂଆଦିଲ୍ଲୀ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁଛି। ଏହି କ୍ଷେତ୍ରରେ ଭାରତ ନିଜେ ଜଜ, ଜୁରୀ ଭାବେ କାମ କରିବା ଆଦୌ ଗ୍ରହଣୀୟ ନୁହେଁ।

ପାକିସ୍ତାନ ନିଜେ ଆତଙ୍କବାଦର ପୀଡ଼ିତ। ପାକିସ୍ତାନ ଭଲ ଭାବେ ଏହି ଆଘାତର କଷ୍ଟକୁ ବୁଝିପାରୁଛି। ଆମେ ସବୁବେଳେ ସବୁ ମଞ୍ଚରେ ଏହାକୁ ନିନ୍ଦା କରି ଆସିଛୁ। ତଥାପି ଆମ ବିରୋଧରେ ଅମୂଳକ ଓ ଭିତ୍ତିହୀନ ଅଭିଯୋଗ ଭାରତ କରି ଆସିଛି। ଭାରତ ଯଦି କୌଣସି ସାମରିକ ଦୁଃସାହସ କରିବ, ତା’ହେଲେ ପାକିସ୍ତାନ ଏହାର ଜବାବ ଦୃଢ଼ ଭାବେ ଦେବ। ଅନ୍ତର୍ଜାତୀୟ ସମୂହ ନିଶ୍ଚତ ଭାବେ ବାସ୍ତବ ଚିତ୍ରକୁ ଦେଖିବା ଦରକାର।

ପାକିସ୍ତାନ ତା’ର ଅଞ୍ଚଳର ସୁରକ୍ଷା ପାଇଁ ସବୁ ସ୍ତରକୁ ଯିବ। ଭାରତକୁ ଦୃଢ଼ ଭାବେ ଜବାବ ଦିଆଯିବ। ଭାରତ ଯଦି ପାକିସ୍ତାନ ସହ ଯୁଦ୍ଧ କରିବ, ତା’ହେଲେ ଏହାର ଭୟଙ୍କର ପରିଣାମ ପାଇଁ ନୂଆଦିଲ୍ଲୀ ନିଜେ ଦାୟୀ ରହିବ। ଭାରତ ପହଲଗାମ ଘଟଣାକୁ ନେଇ କୌଣସି ପ୍ରମାଣ ଦେଇ ନାହିଁ। ପ୍ରମାଣ ନ ଦେଇ ଭାରତୀୟ ସେନା ଭିତ୍ତିହୀନ ଅଭିଯୋଗକୁ ଆଧାର କରି ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି।”

ଏହାପୂର୍ବରୁ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ ଦାବି କରିଥିଲେ ଯେ ଭାରତର ଆକ୍ରମଣ ଆସନ୍ନ। ଏଥିପାଇଁ ଇସଲାମାବାଦ ହାଇଆଲର୍ଟରେ ରହିଛି। ଏଭଳି ସ୍ଥିତିରେ କିଛି ରଣନୀତିକ ନିଷ୍ପତ୍ତି ନେବାର ଥିଲା ଓ ତା’ର ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଥିଲେ।

ପୂର୍ବରୁ ଭାରତର କୂଟନୀତିକ ଝଟକାରେ ଥରହର ପାକିସ୍ତାନ ରକ୍ତ ଚାଉଳ ଚୋବାଇବା ସହ ନୂଆଦିଲ୍ଲୀକୁ ପରମାଣୁ ବୋମାର ଧମକ ଦେଇଥିଲା। ଭାରତ କୂଟନୀତିକ ଗୋଟିଏ ଚାଳନା ପରେ ପାକିସ୍ତାନକୁ ଏୟାର ଷ୍ଟ୍ରାଇକର ଭୟ ଘାରିଛି। ଏଥିପାଇଁ ପାକିସ୍ତାନ ପକ୍ଷରୁ ତା’ର ସିଆଲକୋଟ ଡିଫେନ୍ସ ରାଡାର ସିଷ୍ଟମକୁ ଫର୍‌ୱାର୍ଡ ପୋଜିସନକୁ ଆଣିଛି। ଭାରତୀୟ ବାୟୁସେନାର ଗତିବିଧିକୁ ଆଗୁଆ ଜାଣିବା ପାଇଁ ପାକିସ୍ତାନ ଏପରି ପଦକ୍ଷେପ ନେଇଛି।

ଏପ୍ରିଲ ୨୨ ପହଲଗାମ ଆତଙ୍କବାଦୀ ହମଲା ପରେ ପାକିସ୍ତାନ ପୂରା ଡରି ଯାଇଛି। ଭାରତ ପଟୁ ଆକ୍ରମଣର ଭୟ ଥିବାରୁ ପାକିସ୍ତାନୀ ବିମାନଗୁଡ଼ିକ ଭାରତର ଆକାଶ ପଥ ବ୍ୟବହାର କରୁ ନାହାନ୍ତି। ଏବେ ଭାରତ ସରକାର ଆକାଶ ପଥକୁ ପାକିସ୍ତାନ ବିମାନଗୁଡ଼ିକ ପାଇଁ ବନ୍ଦ କଲେ, ଇସଲାମାବାଦ ଅନେକ ସମସ୍ୟାରେ ପଡ଼ିବ। ପାକିସ୍ତାନ ବିମାନ ଗୁଡ଼ିକ ଅଧିକ ଇନ୍ଧନ ଖର୍ଚ୍ଚ କରି ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ବାଧ୍ୟ ହେବେ।

ଏପ୍ରିଲ ୨୩ରେ ଭାରତ ସରକାରଙ୍କ କୂଟନୀତିକ ଗୋଟି ଚାଳନାରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ପାକିସ୍ତାନ ଭାରତୀୟ ବିମାନ ଗୁଡ଼ିକ ପାଇଁ ତା’ର ଆକାଶ ପଥକୁ ବନ୍ଦ କରି ଦେଇଥିଲା। ଏଥିଯୋଗୁ ୟୁରୋପ ଓ ଦକ୍ଷିଣ ଆମେରିକାକୁ ଯାଉଥିବା ଭାରତୀୟ ବିମାନ ଗୁଡ଼ିକ ଆରବ ସାଗର ଉପର ଦେଇ ଯାତ୍ରା କରୁଛନ୍ତି। ଏଥିପାଇଁ ଅଧିକ ଇନ୍ଧନ ଖର୍ଚ୍ଚ ହେଉଛି ଓ ଅଧିକ ସମୟ ଲାଗୁଛି। ତଥାପି ଭାରତୀୟ ବିମାନ ଗୁଡ଼ିକ ଲୋକଙ୍କୁ ସେବା ଯୋଗାଇ ଦେଉଛନ୍ତି।

ହେଲେ ପାକିସ୍ତାନ ଆକାଶ ପଥ ଦେଇ ବିମାନ ଯିବା ବେଳେ ଦେଶକୁ ମିଳୁଥିବା ଓଭର ଫ୍ଲାଇଟ ଫି’ ଇସଲାମାବାଦ ଏବେ ହରାଇ ଦେଇଛି। ପାକିସ୍ତାନକୁ ଆଉ ବିମାନ କମ୍ପାନୀଗୁଡ଼ିକ ଦେଉଥିବା ଫି’ ମିଳିବ ନାହିଁ।

୨୦୧୯ ଜୁଲାଇ ମାସରେ ପ୍ରକାଶିତ ରିପୋର୍ଟରେ କୁହାଯାଇଥିଲା ଯେ ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ତା’ର ଆକାଶ ପଥକୁ ଭାରତ ପାଇଁ ବନ୍ଦ କରିଥିଲା। ଏଥିଯୋଗୁ ପାକିସ୍ତାନ ପ୍ରାୟ ୧୦୦ ମିଲିୟନ ଡଲାରର କ୍ଷତି ସହିଥିଲା। ଆକାଶ ପଥ ବନ୍ଦ ଯୋଗୁ ଦୈନିକ ୪୦୦ ବିମାନ ପ୍ରଭାବିତ ହେଉଥିଲେ। ପାକିସ୍ତାନର ବେସାମରିକ ବିମାନ ଚଳଚଳ ପ୍ରାଧିକରଣ ବା ସିଏଏ ଓ ପାକିସ୍ତାନ ଅନର୍ଜାତୀୟ ଏୟାରଲାଇଇନ୍ସ ବା ପିଆଇଏକୁ ବଡ଼ଧରଣର କ୍ଷତି ସହିବାକୁ ପଡ଼ିଥିଲା।

Terror Attack Jammu Kashmir Pahalgam