/odisha-reporter/media/post_attachments/uploadimage/library/16_9/16_9_0/IMAGE_1751107773.jpg)
Terror Camp
ଭାରତୀୟ ସେନାର ଅପରେସନ ସିନ୍ଦୂରରେ ଧ୍ୱଂସ ପାଇ ଯାଇଥିବା ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡ ଓ ଟ୍ରେନିଂ କ୍ୟାମ୍ପକୁ ପୁଣି ଥରେ ତିଆରି କରିବା ଆରମ୍ଭ କରିଛି ପାକିସ୍ତାନ। ଏପ୍ରିଲ ୨୨ ପହଲଗାମ ନରସଂହାରର ବଦଲା ନେବାକୁ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା। ଏବେ ପାକିସ୍ତାନ ସେଗୁଡ଼ିକୁ ପୁଣି ସଜାଡ଼ିବା ଆରମ୍ଭ କରିଥିବା ଜଣାପଡ଼ିଛି।
ପାକିସ୍ତାନୀ ସେନ, ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଓ ସରକାର ମିଳିତ ଭାବେ ଆତଙ୍କୀ ଭିତ୍ତିଭୂମିଗୁଡ଼ିକୁ ପୁଣି ତିଆରି କରୁଛନ୍ତି। ପାକିସ୍ତାନ ଅଧିକୃତ କଶ୍ମୀର ଓ ଏହାର ଆଖପାଖ ଅଞ୍ଚଳରେ ପୁଣି ଆତଙ୍କୀ ଲଞ୍ଚ ପ୍ୟାଡ ଓ ଟ୍ରେନିଂ କ୍ୟାମ୍ପ ତିଆରି କରାଯାଉଛି।
ଗୁଇନ୍ଦା ଏଜେନ୍ସି ସୂତ୍ରରୁ ମିଳିଥିବା ଖବର ଅନୁସାରେ, ପାକିସ୍ତାନ ଅଧିକୃତ କଶ୍ମୀର ଓ ଏହାର ଆଖପାଖ ଜଙ୍ଗଲିଆ ଅଞ୍ଚଳରେ ଆତଙ୍କୀ ଲଞ୍ଚ ପ୍ୟାଡର ନିର୍ମାଣ କାମ ଚାଲିଛି। ନିର୍ମାଣ କାମକୁ ପାକିସ୍ତାନ ସେନା, ସରକାର ଓ ଆଇଏସ୍ଆଇ ମିଳିତ ଭାବେ ସହାୟତା କରୁଛନ୍ତି। ଏଥିପାଇଁ ବାହାବଲପୁରରେ ଆଇଏସ୍ଆଇ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଜୈଶ, ଲସ୍କର, ହିଜବୁଲ ଓ ଟିଆରଏଫ ଭଳି ଆତଙ୍କୀ ସଂଗଠନର କମାଣ୍ଡରଙ୍କ ଗୋଟିଏ ବୈଠକ ହୋଇଥିଲା।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆତଙ୍କୀ ଲଞ୍ଚ ପ୍ୟାଡ ଓ ଟ୍ରେନିଂ କ୍ୟାମ୍ପକୁ ପୁଣି ତିଆରି କରିବା ପାଇଁ ପାକିସ୍ତାନ ବିଶ୍ୱ ବ୍ୟାଙ୍କ ଓ ଏଡିବି ଠାରୁ ପାଇଥିବା ପାଣ୍ଠିର ବଡ଼ ଅଂଶ ବ୍ୟବହାର କରୁଛି। ଏହି ସବୁ ଆତଙ୍କୀ କ୍ୟାମ୍ପକୁ ସଂପୂର୍ଣ୍ଣ ଭାବେ ହାଇଟେକ ଶୈଳୀରେ ତିଆରି କରାଯାଉଛି। କୁହାଯାଉଛି ଯେ ନୂଆ ଟ୍ରେନିଂ କ୍ୟାମ୍ପକୁ ଏଭଳି ଢଙ୍ଗରେ ତିଆରି କରାଯାଉଛି ଯେମିତି ସର୍ଭେଲାନ୍ସ ଓ ଏୟାର ଷ୍ଟ୍ରାଇକରୁ ଏହା ବର୍ତ୍ତି ପାରିବ।
ପ୍ରତିଟି କ୍ୟାମ୍ପର ସୁରକ୍ଷା ପାଇଁ ସ୍ପେଶାଲ ତାଲିମ ପ୍ରାପ୍ତ କମାଣ୍ଡୋ ମୁତୟନ ହେବେ। ଏମାନଙ୍କ ପାଖରେ ଆଧୁନିକ ଅସ୍ତ୍ରଶସ୍ତ୍ର ରହିବ। ତେବେ ଗୋଟିଏ କ୍ୟାମ୍ପରେ ୨୦୦ରୁ ଅଧିକ ଆତଙ୍କବାଦୀଙ୍କୁ ତାଲିମ ଦିଆଯିବ ନାହିଁ। ପର୍ଯ୍ୟାୟକ୍ରମେ ସମସ୍ତଙ୍କ ଦୃଷ୍ଟି ଆଢ଼ୁଆଳରେ ଛୋଟ ଛୋଟ ଗ୍ରୁପରେ ଆତଙ୍କବାଦୀଙ୍କୁ ହମଲା ପାଇଁ ପ୍ରସ୍ତୁତ କରାଯିବ। ଭିଡ଼ ହେଲେ ଧରା ପଡ଼ି ଯିବାର ଆଶଙ୍କା ଥିବାରୁ ପାକିସ୍ତାନ ଏଭଳି ଯୋଜନା କରିଛି।
ଛୋଟ ଛୋଟ ଟ୍ରେନିଂ କ୍ୟାମ୍ପ କାହିଁକି ତିଆରି କରାଯାଉଛି?
ସୂତ୍ର ଅନୁସାରେ, ପାକିସ୍ତାନ ଏବେ ଜଙ୍ଗଲିଆ ଓ ପାହାଡ଼ିଆ ଅଞ୍ଚଳରେ ଅଧିକ ସଂଖ୍ୟକ ଛୋଟ ଛୋଟ ଆତଙ୍କୀ ଟ୍ରେନିଂ କ୍ୟାମ୍ପ ତିଆରି କରିବା ଉପରେ ଫୋକସ କରୁଛି। କ୍ୟାମ୍ପରେ ଆତଙ୍କବାଦୀଙ୍କ ସଂଖ୍ୟା ସୀମିତ ରହିବ। ପାକିସ୍ତାନର ଲୁନି, ପୁଟୱାଲ, ତୈପୁ ପୋଷ୍ଟ, ଜାମିଲା ପୋଷ୍ଟ, ଉମରାନୱାଲି, ଚପରାର, ଫରୱାର୍ଡ କାହୁତା, ଛୋଟା ଚୌକ ଓ ଜଙ୍ଗଲୋରାରେ ଧ୍ୱଂସ ପାଇଥିବା ସବୁ ଆତଙ୍କୀ କ୍ୟାମ୍ପକୁ ପୁଣି ତିଆରି କରିବାକୁ ଅଣ୍ଟା ଭିଡ଼ିଛି।
ଭାରତୀୟ ଏଜେନ୍ସିଗୁଡ଼ିକୁ ଚକମା ଦେବା ପାଇଁ କ୍ୟାମ୍ପଗୁଡ଼ିକୁ ହାଇଟେକ ଶୈଳୀରେ ତିଆରି କରାଯିବ। ଥର୍ମାଲ ଇମେଜର୍ସ, ରାଡାର ଓ ସ୍ୟାଟେଲାଇଟ ସର୍ଭେଲାନ୍ସରୁ କ୍ୟାମ୍ପଗୁଡ଼ିକୁ ସୁରକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଉଛି। ଏହାବାଦ ପାକିସ୍ତାନ ଆର୍ମି ଓ ଆଇଏସ୍ଆଇ ପିଓକେରେ ଭାରତର ଏୟାର ଷ୍ଟ୍ରାଇକରେ ନଷ୍ଟ ହୋଇଥିବା ୧୩ଟି ଲଞ୍ଚ ପ୍ୟାଡକୁ ପୁନଃ ବିକଶିତ କରୁଥିବା ଖବର ମିଳିଛି।
କେଲ, ଶାର୍ଡି, ଦୁଧନିୟାଲ, ଅଥମୁକ୍ୱାମ, ଜୁରା, ଲିପା ଭ୍ୟାଲି, ପଚିବନ ଚମନ, ତଣ୍ଡପାନି, ନୈୟାଲି, ଜାନକୋଟ, ଚକୋଟି, ନିକାଇଲ ଓ ଫରୱାର୍ଡ କାଠୁଆରେ ଲଞ୍ଚ ପ୍ୟାଡର ମରାମତି କରାଯାଉଛି। ସେହିପରି ଅପରେସନ ସିନ୍ଦୂରରେ ଧ୍ୱଂସ ପାଇଥିବା ଅନ୍ତର୍ଜାତୀୟ ସୀମା ନିକଟ ୪ଟି ଲଞ୍ଚ ପ୍ୟାଡକୁ ମଧ୍ୟ ପୁଣି ସକ୍ରିୟ କରାଯାଉଛି। ଏହା ମଧ୍ୟରେ ପାକିସ୍ତାନ ରେଞ୍ଜର୍ସର ନିୟମିତ ପୋଷ୍ଟ ବି ରହିଛି।
ଅନ୍ତର୍ଜାତୀୟ ସୀମାରେ ଆଇଏସ୍ଆଇର ନୂଆ ରଣନୀତି
ଜମ୍ମୁ ସେକ୍ଟରର ଅନ୍ତର୍ଜାତୀୟ ସୀମାରେ ଆଇଏସଆଇ ୪ଟି ଲଞ୍ଚ ପ୍ୟାଡକୁ ପୁନଃ ବିକଶିତ କରୁଛି। ମସରୁର ବଡ଼ ଭାଇ, ଚରପରା, ଲୁନି ଓ ଶଙ୍କରଗଡ଼ ଠାରେ ଥିବା ଗୋଟିଏ ଡ୍ରୋନ ସେଣ୍ଟରକୁ ତିଆରି କରାଯାଉଛି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ନୂଆ ରଣନୀତି ଅନୁସାରେ ବଡ଼ବଡ଼ ଟେରର କ୍ୟାମ୍ପକୁ ଛୋଟ ଛୋଟ ଭାଗରେ ବିଭକ୍ତ କରୁଛି। ଅଧିକ ସଂଖ୍ୟକ ଆତଙ୍କୀ ଯେମିତି ଗୋଟିଏ ସ୍ଥାନରେ ଏକାଠି ହେବେନି ଓ ଆକ୍ରମଣ ବେଳେ ଯେମିତି ଅଧିକ କ୍ଷୟକ୍ଷତି ହେବନି, ତା’ହା ଏଥର ଆଇଏସଆଇ ଗୁରୁତ୍ୱ ଦେଉଛି।
ପ୍ରତିଟି ମିନି କ୍ୟାମ୍ପର ନିଜସ୍ୱ ସୁରକ୍ଷା ବ୍ୟବସ୍ଥା ରହିବ। ଏହାକୁ ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ ପାକିସ୍ତାନୀ ଆର୍ମି ଅଧିକାରୀ ମନିଟର କରିବେ। ସୁରକ୍ଷାରେ ନିୟୋଜିତ କମାଣ୍ଡୋଙ୍କ ପାଖରେ ଥର୍ମାଲ ସେସନର୍ସ, କମ ଫ୍ରିକ୍ୟୁଏନ୍ସର ରାଡାର ସିଷ୍ଟମ ଓ ଡ୍ରୋନ ନିରୋଧୀ ଟେକ୍ନୋଲୋଜି ରହିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
