Advertisment

ପହଲଗାମ ନରସଂହାର ପଛରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା!

ପହଲଗାମ ନରସଂହାରର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା ପାକିସ୍ତାନର ଅସଲମୁଖାକୁ ଖୋଲି ଦେଇଛି।

Terror

Terror

Advertisment

ପହଲଗାମ ନରସଂହାରକୁ ୧୦ ଦିନ ବିତି ସାରିଲାଣି। ସାଧାରଣ ପର୍ଯ୍ୟଟକମାନେ ପ୍ରକୃତିର ସୌନ୍ଦର୍ଯ୍ୟକୁ ପହଲଗାମର ବୈସାନର ଭ୍ୟାଲିରେ ଉପଭୋଗ କରୁଥିବା ବେଳେ ସେମାନଙ୍କୁ ୪ ଜଣ ଆତଙ୍କବାଦୀ ଗୁଳି କରିଥିଲେ। ଏଥିରେ ୨୫ ଜଣ ପର୍ଯ୍ୟଟକ ଓ ସେମାନଙ୍କୁ ରକ୍ଷା କରିବାକୁ ଯାଇ ଜଣେ ସ୍ଥାନୀୟ ଘୋଡ଼ା ବାଲା ଆତଙ୍କବାଦୀଙ୍କ ଗୁଳିରେ ଆଖି ବୁଜିଥିଲେ।

Advertisment

ଆତଙ୍କବାଦୀ ଆକ୍ରମଣ ପାକିସ୍ତାନ ପ୍ରାୟୋଜିତ ବୋଲି ଭାରତ କହି ଆସୁଥିବା ବେଳେ ଏହାକୁ ଇସଲାମାବାଦ ଖଣ୍ଡନ କରିଛି। ଆତଙ୍କବାଦର ମୂଳପୋଛ ପାଇଁ ଭାରତ ପ୍ରସ୍ତୁତି କରୁଥିବା ବେଳେ ପାକିସ୍ତାନ ମଧ୍ୟ ନାଲି ଆଖି ଦେଖାଇବାକୁ ପଛାଉ ନାହିଁ। ଏଥିସହ ପୂରା ବିଶ୍ୱରେ ନିର୍ଦ୍ଦୋଷର କାର୍ଡ ଖେଳିବାକୁ ମଧ୍ୟ ପାକିସ୍ତାନ ପଛାଉ ନାହିଁ।

କିନ୍ତୁ ପହଲଗାମ ନରସଂହାରର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା ପାକିସ୍ତାନର ଅସଲମୁଖାକୁ ଖୋଲି ଦେଇଛି। ପହଲଗାମ ଆତଙ୍କବାଦୀ ହମଲାରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବୋଲି ଏନଆଇଏ ହାତରେ ପ୍ରମାଣ ଲାଗିଛି। ଆଇଏସଆଇ ଓ ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବା ମିଳିତ ଭାବେ ଏପରି ଭୟଙ୍କର ଆତଙ୍କବାଦୀ ଆକ୍ରମଣକୁ କାର୍ଯ୍ୟକାରୀ କରିଥିଲେ ବୋଲି ଏନଆଇଏ ତା’ର ପ୍ରାଥମିକ ରିପୋର୍ଟରେ ଉଲ୍ଲେଖ କରିଛି।

Advertisment

ଏନଆଇଏ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ପହଲଗାମରେ ନରସଂହାର ପାଇଁ ଯୋଜନା ଲସ୍କର ତରଫରୁ କରାଯାଇଥିଲା। ଏଥିପାଇଁ ଆଇଏସଆଇର ଜଣେ ବରିଷ୍ଠ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। ପାକିସ୍ତାନରେ ଥିବା ଲସ୍କରର ମୁଖ୍ୟାଳୟରେ ଆତଙ୍କବାଦୀ ହମଲାର ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ଏଥିରେ ମଧ୍ୟ ଆଇଏସଆଇ ସକ୍ରିୟ ଭୂମିକା ଗ୍ରହଣ କରିଥିଲା। ଆକ୍ରମଣ କେମିତି ହେବ? କେଉଁମାନଙ୍କୁ ଟାର୍ଗେଟ କରାଯିବ? ଆକ୍ରମଣ ପରେ କ’ଣ ପଦକ୍ଷେପ ନିଆଯିବ, ସେସବୁ ପୂର୍ବରୁ ପ୍ଲାନ କରାଯାଇଥିଲା। ସେହି ଅନୁସାରେ ପହଲଗାମର ବୈସାରନ ଭ୍ୟାଲିରେ ଆତଙ୍କବାଦୀମାନେ ନିରୀହ ଲୋକଙ୍କ ଉପରେ ଗୁଳି ବର୍ଷା କରିଥିଲେ।

ହମଲାରେ ପାକିସ୍ତାନ ନାଗରିକ ହାଶିମ ମୁସା ଓରଫ ସୁଲେମାନ ଓ ଅଲୀ ଭାଇ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେମାନଙ୍କୁ ଜଣେ ସ୍ଥାନୀୟ ଆତଙ୍କବାଦୀ ସହାୟତା କରିଥିଲା। ସୁଲେମାନ ଓ ଅଲୀ ଭାଇ ନିୟମିତ ଭାବେ ସେମାନଙ୍କର ପାକିସ୍ତାନ ଭିତ୍ତିକ ହ୍ୟାଣ୍ଡେଲର୍ସଙ୍କ ଯୋଗାଯୋଗରେ ରହିଥିଲେ। ସେଠାରୁ ସେମାନଙ୍କୁ ଆକ୍ରମଣର ସମୟ, ସ୍ଥାନ ଓ ଶୈଳୀ ସମ୍ପର୍କରେ ନିୟମିତ ନିର୍ଦ୍ଦେଶ ମିଳୁଥିଲା। ଆକ୍ରମଣର କିଛି ସପ୍ତାହ ପୂର୍ବରୁ ଆତଙ୍କବାଦୀମାଦେ ସୀମାରେ ଅନୁପ୍ରବେଶ କରିଥିଲେ। ସେମାନଙ୍କୁ କଶ୍ମୀରରେ ଥିବା ଓଭର ଗ୍ରାଉଣ୍ଡ ୱାରକର୍ସ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଇଥିଲେ।

ପ୍ରମାଣ ସଂଗ୍ରହ

ଏନଆଇଏ ଘଟଣା ସ୍ଥଳରେ ପହଞ୍ଚି ଫରେନ୍ସିକ ଓ ବୈଦ୍ୟୁତିକ ତଥ୍ୟକୁ ଏକାଠି କରିବାରେ ଲାଗିଛି। ବୈସାରନ ଭ୍ୟାଲିରୁ ପ୍ରାୟ ୪୦ଟି କ୍ୟାଟ୍ରିଜ ଜବତ ହୋଇଛି। ସେଗୁଡ଼ିକୁ ବାଲିଷ୍ଟିକ ଓ କେମିକାଲ ବିଶ୍ଲେଷଣ ପାଇଁ ପଠାଯାଇଛି। ଆକ୍ରମଣ ସ୍ଥଳରେ ତଦନ୍ତକାରୀ ସଂସ୍ଥା ୩ଡି ମ୍ୟାପିଂ କରିଛି ଓ ଉପତ୍ୟକାରେ ରେକର୍ଡ ହୋଇଥିବା ମୋବାଇଲ ଟାୱାରରୁ ତଥ୍ୟ ବାହାର କରିବା ପାଇଁ ଚେଷ୍ଟା କରିଛି। ଆକ୍ରମଣ ପୂର୍ବରୁ ଉକ୍ତ ଅଞ୍ଚଳରେ ସ୍ୟାଟେଲାଇଟ ଫୋନ ଆକ୍ଟିଭେଟ ରହିଥିଲା। ବୈସାରନ ଭ୍ୟାଲିର ଆଖପାଖ ଅଞ୍ଚଳରେ ୩ଟି ସ୍ୟାଟେଲାଇଟ ଫୋନ ଆକ୍ଟିଭେଟ ରହିଥିବା ବେଳେ ତା’ ମଧ୍ୟରୁ ୨ଟିର ସିଗ୍ନାଲ ଚିହ୍ନଟ ହୋଇଛି।

ଜେରା ଓ ଅଟକ

ଏନଆଇଏ ଓ ଅନ୍ୟ ତଦନ୍ତକାରୀ ସଂସ୍ଥା ପହଲଗାମ ଆକ୍ରମଣ ପରେ ୨୮ ଶହରୁ ଅଧିକ ଲୋକଙ୍କୁ ଜେରା କରି ସାରିଲେଣି। ମେ’ ୨ ସୁଦ୍ଧା ୧୫୦ରୁ ଅଧିକ ଲୋକଙ୍କୁ ତଦନ୍ତକାରୀ ସଂସ୍ଥା ହେପାଜତକୁ ନେଇ ଅଧିକ ଜେରା କରୁଛି। ଏମାନଙ୍କ ମଧ୍ୟରେ ଆତଙ୍କବାଦୀଙ୍କ ସନ୍ଧିଗ୍ଧ ଓଭର ଗ୍ରାଉଣ୍ଡ ସଦସ୍ୟ ଓ ଜମାତ-ଇସଲାମି ଓ ବିଭିନ୍ନ ହୁରିୟାତ କନଫରେନ୍ସର ସଦସ୍ୟ ରହିଛନ୍ତି।

କୁପୱାଡା, ହାଣ୍ଡୱାରା, ଅନନ୍ତନାଗ, ତ୍ରାଲ, ପୁଲୱାମା, ସୋପର, ବାରମୁଲ୍ଲା ଓ ବାନ୍ଦିପୁରା ଭଳି ଜିଲ୍ଲାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ରେଡ ବେଳେ ସନ୍ଧିଗ୍ସମାନଙ୍କୁ ଅଟକ ରଖାଯାଉଛି ଓ ସେମାନଙ୍କ କଲ ତଥ୍ୟକୁ ଯାଞ୍ଚ କରାଯାଉଛି।

ଏପ୍ରିଲ ୧୫ରେ ଆତଙ୍କବାଦୀମାନେ ପହଲଗାମରେ ପହଞ୍ଚିଥିଲେ ଓ ସେଠାରେ ଥିବା ପ୍ରାୟ ୪ଟି ସ୍ଥାନକୁ ଭଲ ଭାବେ ବୁଲି ଦେଖିଥିଲେ। ଏହା ମଧ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ବୈସାରନ ଭ୍ୟାଲି ମଧ୍ୟ ରହିଥିଲା। ସେମାନଙ୍କ ଟାର୍ଗେଟରେ ବୈସାରନ ଭ୍ୟାଲି ବ୍ୟତୀତ ଅରୁ ଭ୍ୟାଲି, ସ୍ଥାନୀୟ ଆମ୍ୟୁଜମେଣ୍ଟ ପାର୍କ ଓ ବେତାବ ଭ୍ୟାଲି ମଧ୍ୟ ରହିଥିଲା। ସେମାନେ ଉକ୍ତ ସ୍ଥାନଗୁଡ଼ିକରେ ପହଞ୍ଚି ରେକି ମଧ୍ୟ କରିଥିଲେ। ବୈସାରନ ଭ୍ୟାଲିକୁ ଛାଡ଼ି ଦେଲେ ବାକି ୩ଟି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବେଶ କଡ଼ାକଡ଼ି ରହିଥିଲା। ତେଣୁ ଆତଙ୍କବାଦୀମାନେ ବୈସାରନ ଭ୍ୟାଲିକୁ ନିଜର ଟାର୍ଗେଟ ଭାବେ ବାଛିଥିଲେ।

ଏନଆଇଏ ତା’ର ତଦନ୍ତ ବେଳେ ବିଦେଶୀ ଆତଙ୍କବାଦୀଙ୍କୁ ସହାୟତା କରିଥିବା ପ୍ରାୟ ୨୦ ଜଣ ଓଭର ଗ୍ରାଉଣ୍ଡ ୱାର୍କରଙ୍କୁ ଚିହ୍ନଟ କରିଛି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ସର୍ଭେଲାନ୍ସ ମଧ୍ୟରେ ରଖାଯାଇଛି। 

ଗୁଇନ୍ଦା ତଥ୍ୟ ଅନୁସାରେ, ଅତି କମରେ ୪ ଜଣ ଓଭର ଗ୍ରାଉଣ୍ଡ ୱାର୍କର ଆତଙ୍କବାଦୀମାନଙ୍କୁ ହମଲା ପୂର୍ବରୁ ଓ ପରେ ସହାୟତା କରିଥିଲେ। ସେମାନଙ୍କଚୁ ଲଜିଷ୍ଟିକ ସୁବିଧା ଯୋଗାଇ ଦେଇଥିଲେ। 

Terror Attack Jammu Kashmir Pahalgam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe