ଭାରତ-ପାକିସ୍ତାନ
ବିଶ୍ୱ ଦରବାରରେ ବାରମ୍ବାର ଅପମାନିତ ହେଉଥିବା ପାକିସ୍ତାନ ଏବେ ନିଜ ମିଛ ଦାବିର ପ୍ରଚାର ପାଇଁ ବହି ଛାପିଛି। ଦେଶର ଛୋଟ ପିଲା ଓ ଲୋକଙ୍କ ଭିତରେ ମିଛକୁ ପ୍ରଚାର କରିବା ପାଇଁ ସାଂଘାତିକ ଖେଳ ଖେଳିଛି ଅଲାଜୁକ ପାକିସ୍ତାନ। ମେ’ ମାସରେ ଭାରତ-ପାକିସ୍ତାନ ମଧ୍ୟରେ ୪ ଦିନ ଧରି ସାମରିକ ବିବାଦ(India-Pakistan War) ଦେଖା ଯାଇଥିଲା। ଏହି ସମୟରେ ପାକିସ୍ତାନ କେବଳ ମିସାଇଲ ଓ ଡ୍ରୋନ ମାଡ଼ କରି ନଥିଲା, ବରଂ ମିଛର ଯୁଦ୍ଧ ମଧ୍ୟ କରିଥିଲା।
ପାକିସ୍ତାନର ଏପରି ହରକତର ଜବାବ ଭାରତୀୟ ସେନା କେବଳ ଭୟଙ୍କର ଢଙ୍ଗରେ ଦେଇ ନଥିଲା, ବରଂ ପାକିସ୍ତାନର ଅପପ୍ରଚାର ବହିକୁ ଛିରି ଫିଙ୍ଗି ଦେଇଥିଲା। ତଥାପି ପାକିସ୍ତାନ ନିଜ ପ୍ରକୃତିକୁ ବଦଳାଇ ନାହିଁ। ଏବେ ପାକିସ୍ତାନ ନିଜ ମିଛର ପ୍ରଚାର ପାଇଁ ସ୍କୁଲ ବହିର ସାହାରା ନେଇଛି। ସ୍କୁଲ ପିଲାମାନଙ୍କୁ ଭାରତ ସହ ହୋଇଥିବା ବିବାଦ ସମ୍ପର୍କରେ ପାକିସ୍ତାନ ଭ୍ରମାତ୍ମକ ତଥ୍ୟ ଦେବାକୁ ଚେଷ୍ଟା କରିଛି।
ଏଥିରେ ପାକିସ୍ତାନ କହିଛି ଯେ ଭାରତ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲା। ପାକିସ୍ତାନ ସେନା ଭାରତୀୟ ଏୟାରବେସ୍କୁ ଧ୍ୱଂସ କରିଥିଲା ଓ ପାକିସ୍ତାନ ହିଁ ଭାରତ ସହ ଯୁଦ୍ଧରେ ଜିତିଥିଲା ବୋଲି ବହିରେ ଦାବି କରିଛି। ଏପରି ମିଛ ସାମ୍ନାକୁ ଆସିବା ପରେ ପୂରା ବିଶ୍ୱ ଆଗରେ ଲୋକଲଜାର ସମ୍ମୁଖୀନ ହୋଇଛି ପାକିସ୍ତାନ। ତଥାପି ବହିରେ ଥିବା ମିଛ ତଥ୍ୟଗୁଡ଼ିକୁ ପାକିସ୍ତାନ ବଦଳାଇ ନାହିଁ।
ବହିରେ ଥିବା କାଳ୍ପନିକ ଦାବି
ପାକିସ୍ତାନର ମିଛ ନମ୍ବର ୧: ପାକିସ୍ତାନ ବହିରେ ଦାବି କରାଯାଇଛି ଯେ ଭାରତ ଦଖଲରେ ଥିବା କଶ୍ମୀରର ଗୋଟିଏ ସହର ହେଉଛି ପହଲଗାମ। ଏଠାରେ ହୋଇଥିବା ଭୟଙ୍କର ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଥିଲେ। ଏହା ପଛରେ ପାକିସ୍ତାନର ହାତ ଥିବା ମିଥ୍ୟା ଦାବି କରି ଭାରତୀୟ ସେନା ମେ’ ୬ ତାରିଖରେ ଆକ୍ରମଣ କରିଥିଲା। ପାକିସ୍ତାନ ପହଲଗାମ ହମଲାକୁ ଅସ୍ୱୀକାର କରିଥିଲେ ହେଁ ମେ’ ୭ରେ ଭାରତୀୟ ସେନା ସାମାରିକ ଉତ୍ତେଜନା ସୃଷ୍ଟି କରିଥିଲା।
ବାସ୍ତବରେ କ’ଣ ଘଟିଥିଲା: ପହଲଗାମରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ୨୬ ଜଣଙ୍କୁ ହତ୍ୟା କରିବା ପରେ ଭାରତୀୟ ସେନା ମେ’ ୭ରେ ଅପରେସନ ସିନ୍ଦୂର (Operation Sindoor) ଆରମ୍ଭ କରିଥିଲା। ଏହି ସମୟରେ ଲସ୍କର, ଜୈଶ ଓ ହିଜବୁଲ ମୁଜାହିଦ୍ଦିନର ୯ଟି ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରାଯାଇଥିଲା। ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ସାମରିକ ଓ ସାଧାରଣ ଲୋକଙ୍କୁ ଆଦୌ ଟାର୍ଗେଟ କରାଯାଇ ନଥିଲା।
ପାକିସ୍ତାନର ମିଛ ନମ୍ବର ୨: ଭାରତୀୟ ସେନାର ଆକ୍ରମଣର ଜବାବ ପାକିସ୍ତାନ ସଶସ୍ତ୍ର ବଳ ବିରାଟ ସାହସର ସହ ଦେଇଥିଲା। ପାକିସ୍ତାନ ସେନା ଭାରତ ଅଧିକୃତ କଶ୍ମୀରରେ ଥିବା ଏକାଧିକ ଭାରତୀୟ ସାମରିକ ଘାଟିକୁ ଧ୍ୱଂସ କରିଥିଲା।
ବାସ୍ତବରେ କ’ଣ ଘଟିଥିଲା: ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିବା ପରେ ଭାରତ କହିଥିଲା ଯେ ଯଦି ପାକିସ୍ତାନ ଏହାର ଜବାବ ଦେବ, ତା’ହେଲେ ବିବାଦ ବଢ଼ିବ। ଏପରି ଚେତାବନୀ ସତ୍ତ୍ୱେ ପାକିସ୍ତାନ ପକ୍ଷରୁ ଭାରତର ୨୬ଟି ସହରକୁ ଡ୍ରୋନ ଦ୍ୱାର ଟାର୍ଗେଟ କରାଯାଇଥିଲା। ଏହାର ଜବାବରେ ଭାରତୀୟ ସେନା ପାକିସ୍ତାନର ଲାହୋରରେ ଥିବା ଏଚ୍କ୍ୟୁ-୯ ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ୱଂସ କରିଥିଲା। ଏଥିସହ ସିଆଲକୋଟ ଓ ଇସଲାମାବାଦରେ ଷ୍ଟ୍ରାଇକ କରିବାରେ ସକ୍ଷମ ହୋଇଥିଲା।
ପାକିସ୍ତାନର ମିଛ ନମ୍ବର ୩: ଭାରତ ଡ୍ରୋନ ଆଟାକ ପରେ ପାକିସ୍ତାନ ମେ’ ୧୦ରେ ଅପରେସନ ବୁନୟାନ-ଉମ-ମର୍ସୋସ ଆରମ୍ଭ କରିଥିଲା। ପାକିସ୍ତାନ ଏୟାରଫୋର୍ସ ଭାରତୀୟ ଏୟାରବେସ୍ ସମେତ ୨୬ଟି ଗୁରୁତ୍ୱପୂର୍ଣ୍ଣ ଠିକଣାକୁ ଟାର୍ଗେଟ କରିଥିଲା। ଏହି ଏୟାର ଷ୍ଟ୍ରାଇକରେ ଭାରତ ବ୍ୟାପକ କ୍ଷତି ସହିଥିଲା।
ବାସ୍ତବରେ କ’ଣ ଘଟିଥିଲା: ଭାରତର ଏୟାର ଷ୍ଟେସନଗୁଡ଼ିକୁ ଟାର୍ଗେଟ କରାଯିବାରୁ ନୂଆଦିଲ୍ଲୀ କଡ଼ା ପଦକ୍ଷେପ ନେଇଥିଲା। ଭାରତୀୟ ସେନା ପକ୍ଷରୁ ପାକିସ୍ତାନର ମୁର୍ଦି, ନୁର ଖାନ, ରଫିକ୍ୟୁ, ସର୍ଗୋଡା, ଚକଲାଲା ଓ ରହିମ ୟାର ଖାନ ଏୟାର ବେସରେ ଘାତକ ହମଲା କରିଥିଲା। ପାକିସ୍ତାନ ଆର୍ମିର ଗଡ଼ ଭାବେ ପରିଚିତ ରାୱଲପିଣ୍ଡିରେ ମଧ୍ୟ ଭାରତୀୟ ସେନା ଆଟାକ କରିବାରେ ସକ୍ଷମ ହୋଇଥିଲା। ଆକ୍ରମଣରେ ପାକିସ୍ତାନ ସହିଥିବା କ୍ଷତିକୁ ଭାରତୀୟ ସେନା ପକ୍ଷରୁ ଫଟୋ ଦ୍ୱାରା ପୂରା ବିଶ୍ୱକୁ ଅବଗତ କରାଯାଇଥିଲା।
ପାକିସ୍ତାନର ମିଛ ନମ୍ବର ୪: ପାକିସ୍ତାନ ଏୟାରଫୋର୍ସର ଆକ୍ରମଣ ଯୋଗୁ ଭାରତ ଅନେକ କ୍ଷତି ସହିଥିଲା। ଶେଷରେ ଭାରତ କୌଣସି ଉପାୟ ନ ପାଇ ଶାନ୍ତି ପ୍ରତିଷ୍ଠା ପାଇଁ ନିବେଦନ କରିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାରମ୍ବାର ଅନୁରୋଧ ପରେ ପାକିସ୍ତାନ ଯୁଦ୍ଧ ବିରତି ପାଇଁ ରାଜି ହୋଇଥିଲା।
ବାସ୍ତବରେ କ’ଣ ଘଟିଥିଲା: ମେ’ ୧୦ରେ ଆମେରିକା ଉପ ରାଷ୍ଟ୍ରପତି ଜେଡି ଭାନ୍ସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି ଶାନ୍ତି ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏହି ସମୟରେ କୌଣସି ମଧ୍ୟସ୍ଥତା ଗ୍ରହଣୀୟ ନୁହେଁ ଓ ପାକିସ୍ତାନ ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ବନ୍ଦ ନ କଲେ, ଭାରତ ଏହାର କଡ଼ା ଜବାବ ଦେବ ବୋଲି ରୋକଠୋକ ଶୁଣାଇ ଦେଇଥିଲେ।
ସେହି ଦିନ ମଧ୍ୟାହ୍ନରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ତାଙ୍କ ଭାରତ ପ୍ରତିପକ୍ଷ ଏସ ଜୟଶଙ୍କରଙ୍କ ସହ କଥା ହୋଇ ପାକିସ୍ତାନ ବିବାଦ ହ୍ରାସ କରିବାକୁ ରାଜି ଥିବା ଜଣାଇଥିଲେ। ଏହାପରେ ଭାରତ ଓ ପାକିସ୍ତାନର ଡିଜିଏମଓଙ୍କ ମଧ୍ୟରେ ସିଧାସଳଖ ଯୁଦ୍ଧ ବିରତି ପାଇଁ ଆଲୋଚନା ହୋଇଥିଲା।
ପାକିସ୍ତାନର ମିଛ ନମ୍ବର ୫: ବହିରେ କୁହାଯାଇଛି ଯେ ଭାରତ ସହ ଯୁଦ୍ଧ ବେଳେ ପାକିସ୍ତାନ ଆର୍ମି ଜେନେରାଲ ଆସିମ ମୁନିର ଅଦମ୍ୟ ବୀରତା ଦେଖାଇଥିଲେ। ଏଥିଯୋଗୁ ତାଙ୍କୁ ଫିଲ୍ଡ ମାର୍ଶଲକୁ ପଦୋନ୍ନତି କରାଯାଇଥିଲା। ଏହାପୂରା ଦେଶ ପାଇଁ ଗୋଟିଏ ଗର୍ବର ବିଷୟ।
ବାସ୍ତବରେ କ’ଣ ଘଟିଥିଲା: ଭାରତ ଠାରୁ ମାତ ଖାଇବା ପରେ ପାକିସ୍ତାନ ପ୍ରଥମେ ଯୁଦ୍ଧ ବିରତି ପାଇଁ ନିବେଦନ କରିଥିଲା। ପାକିସ୍ତାନ ବ୍ୟାପକ କ୍ଷତି ସହିଥିବାରୁ ଲୋକଙ୍କ ମଧ୍ୟରେ ନିଜ ସେନାର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠିଥିଲା। ଏଥିରୁ ବର୍ତ୍ତିବା ପାଇଁ ତଥା ରାଜନୀତିକ ସୁରକ୍ଷା ପାଇଁ ପାକିସ୍ତାନ ସରକାର ମୁନିରଙ୍କୁ ଘଣ୍ଟ ଘୋଡ଼ାଇବା ଆରମ୍ଭ କରିଥିଲେ। ଏଥିପାଇଁ ତାଙ୍କୁ ପଦୋନ୍ନତି ମିଳିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/09/24/pakistan-2025-09-24-15-08-02.jpg)