Advertisment

ସାଧୁଙ୍କୁ ପିଟିପିଟି ହତ୍ୟା ଘଟଣା: ତଦନ୍ତ କରିବ ସିବିଆଇ

୨୦୨୦ ଏପ୍ରିଲ ମାସରେ ପାଲଘରର ଗଡଚିନଞ୍ଚେଲ ଠାରେ ଦୁଇ ଜଣ ସାଧୁ ଓ ସେମାନଙ୍କ କାର୍‌ର ଡ୍ରାଇଭରଙ୍କୁ କିଛି ଲୋକ ପିଟିପିଟି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ।

author-image
Hemant Lenka
SC

SC

ମହାରାଷ୍ଟ୍ରର ପାଲଘରରେ ୨ ଜଣ ସାଧୁଙ୍କୁ ପିଟିପିଟି ହତ୍ୟା କରିବା ଘଟଣାର ତଦନ୍ତ ସିବିଆଇ କରିବ। ତଦନ୍ତ ସଂକ୍ରାନ୍ତ ସମସ୍ତ ଫାଇଲ ମହାରାଷ୍ଟ୍ର ପୁଲିସ୍‌ ସିବିଆଇକୁ ହସ୍ତାନ୍ତର କରିବ ବୋଲି ଆଜି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ୨୦୨୦ ଏପ୍ରିଲ ମାସରେ ପାଲଘରର ଗଡଚିନଞ୍ଚେଲ ଠାରେ ଦୁଇ ଜଣ ସାଧୁ ଓ ସେମାନଙ୍କ କାର୍‌ର ଡ୍ରାଇଭରଙ୍କୁ କିଛି ଲୋକ ପିଟିପିଟି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ।

Advertisment

ଏହି ସମୟରେ ମହା ବିକାଶ ଅଘାଡ଼ି ସରକାର ମହାରାଷ୍ଟ୍ରରେ କ୍ଷମତାରେ ଥିଲା। ଏହି ଘଟଣାକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହେବା ସହ ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଥିଲା। ଏବେ ଶେଷରେ ମହାରାଷ୍ଟ୍ର ସରକାର ସିବିଆଇ ଘଟଣାର ତଦନ୍ତ କରିବ ବୋଲି କହିଛନ୍ତି।

୨୦୨୦ ମସିହା ଏପ୍ରିଲ ୧୬ ତାରିଖରେ ଦୁଇ ଜଣ ସାଧୁ ଓ ସେମାନଙ୍କ ଡ୍ରାଇଭର ପାଲଘର ଦେଇ ଗୁଜରାଟର ସୁରତ ଯାଉଥିଲେ। ସେଠାରେ ସେମାନେ ଜଣେ ଧର୍ମଗୁରୁଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥାଆନ୍ତେ। ମହାରାଷ୍ଟ୍ର-ଗୁଜରାଟ ସୀମାରୁ ପୁଲିସ୍‌ ଟିମ ସେମାନଙ୍କୁ ଫେରାଇ ଦେଇଥିଲା। ଏହାପରେ ସେମାନେ ଗାଁ ରାସ୍ତାରେ ସୁରତରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ।

Advertisment

ତେବେ ସେମାନେ ଗାଁ ରାସ୍ତାରେ ଯାଉଥିବା ବେଳେ ପିଲା ଚୋରି ନେଇ ଗୁଜବ ପ୍ରଚାର ହୋଇଥିଲା। ଘଟଣାର ଦୁଇ ସପ୍ତାହ ପୂର୍ବରୁ ମଧ୍ୟ ଗଡଚିନଞ୍ଚେଲ ଗାଁରେ ପିଲା ଚୋରି ଗୁଜବ ଜୋରଦାର ପ୍ରଚାର ହୋଇଥିଲା। ଏସବୁ ଭିତରେ କାର୍‌ରେ ଯାଉଥିବା ଦୁଇ ସାଧୁ ଓ ସେମାନଙ୍କ ଡ୍ରାଇଭରକୁ ଲୋକମାନେ ପିଲା ଚୋର ଭାବେ ଭାବି ନେଇଥିଲେ।

ଶେଷରେ ପୁଲିସ୍‌ ଉପସ୍ଥିତରେ ସେମାନେ ୩ ଜଣଙ୍କୁ ପିଟିପିଟି ମାରି ଦେଇଥିଲେ। ଏହି ଘଟଣାରେ ୨୫୦ ଜଣଙ୍କୁ ପୁଲିସ୍‌ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ କିଛି ନାବାଳକ ମଧ୍ୟ ରହିଥିଲେ। ଏବେ ସିବିଆଇ ଘଟଣାର ଅଧିକ ତଦନ୍ତ କରିବ।

Sadhu And Thief Lynched