ATM
ଟ୍ରେନ ଯାତ୍ରା ବେଳେ ଅନେକ ଲୋକ ଇଣ୍ଟରନେଟ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଯାତ୍ରା ବେଳେ କୌଣସି ଖାଇବା ଜିନିଷ କିଣିବା ବେଳେ ଡିଜିଟାଲ ପେମେଣ୍ଟରେ ସମସ୍ୟା ଦେଖାଯାଏ। ଅନେକ ସମୟରେ ନଗଦ ଟଙ୍କାର ଆବଶ୍ୟକ ପଡ଼ୁଥିବା ବେଳେ ଯାତ୍ରୀମାନେ ଏଥିଯୋଗୁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ବିଶେଷ କରି ଦୂର ରାସ୍ତାକୁ ଯାତ୍ରା କରିବା ବେଳେ ଏପରି ସମସ୍ୟା ଅଧିକ ଦେଖାଯାଏ।
କିନ୍ତୁ ଏବେ ଆଉ ଏହି ସମସ୍ୟା ରହିବ ନାହିଁ। କାରଣ ଟ୍ରେନ ଯାତ୍ରା ବେଳେ ମଧ୍ୟ ଯାତ୍ରୀମାନେ ଏଟିଏମରୁ ଟଙ୍କା ଉଠାଣ କରିପାରିବେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଭାରତ ଇତିହାସରେ ଏପରି ଘଟଣା ଘଟିଛି। ପ୍ରଥମଥର ପାଇଁ ଟ୍ରେନରେ ଏଟିଏମ ଖଞ୍ଜା ଯାଇଛି। ମୁମ୍ବାଇ-ମନମାଦ ପଞ୍ଚବାଟି ଏକ୍ସପ୍ରେସରେ ପ୍ରଥମଥର ପାଇଁ ଏଟିଏମ ଇନଷ୍ଟଲ କରାଯାଇଛି। ଏହି ଏଟିଏମରୁ ଲୋକମାନେ ନଗଦ ଟଙ୍କା ମଧ୍ୟ ଯାତ୍ରା ବେଳେ ଉଠାଇ ପାରିବେ।
ଏଟିଏମକୁ ଏକ୍ସପ୍ରେସ ଟ୍ରେନର ଗୋଟିଏ ଏୟାର କଣ୍ଡିସନ କୋଚରେ ଲଗାଯାଇଛି। ଏହାର ସଫଳ ଟ୍ରାଏଲ ରନ ମଧ୍ୟ ଶେଷ ହୋଇଛି। ଟ୍ରେନ ଚାଲିବା ସମୟରେ ଯାତ୍ରୀମାନେ ଏଣିକି ଉକ୍ତ ଏଟିଏମରୁ ଟଙ୍କା ଉଠାଇବାର ସୁବିଧା ପାଇପାରିବେ। ଭାରତୀୟ ରେଳବାଇର Innovative and Non-Fare Revenue Ideas ଯୋଜନା ଅଧୀନରେ ଏପରି ବ୍ୟବସ୍ଥା ଯାତ୍ରୀମାନଙ୍କ ପାଇଁ କରାଯାଇଛି।
ଭାରତୀୟ ରେଳବାଇର ଭୂସୱାଲ ଡିଭିଜନ ଓ ବ୍ୟାଙ୍କ ଅଫ ମହାରାଷ୍ଟ୍ର ମିଳିତ ଭାବେ ଚଳନ୍ତା ଟ୍ରେନରେ ଏଟିଏମ ବ୍ୟବସ୍ଥା କରିବାକୁ ଯୋଜନା କରିଥିଲେ। ଏବେ ଏହା ସଫଳ ରୂପ ନେଇଛି। ରେଳବାଇର ଜଣେ ଅଧିକାରୀ କହିଛନ୍ତି, ଏଟିଏମର ପରୀକ୍ଷା ସଫଳ ହୋଇଛି। ଟ୍ରେନ ଚାଲିବା ସମୟରେ ଏଟିଏମ ବେଶ ଭଲ ଭାବେ ସେବା ପ୍ରଦାନ କରିପାରୁଛି। ତେବେ ଇଗାତପୁରୀ ଓ କାସାରା ମଧ୍ୟରେ ନେଟୱର୍କର ସମସ୍ୟା ସାମାନ୍ୟ ଦେଖାଯାଇଛି। ଏଠାରେ ଟନେଲ ଓ ସୀମିତ ମୋବାଇଲ ଯୋଗାଯୋଗର ବ୍ୟବସ୍ଥା ଥିବାରୁ ସିଗ୍ନାଲ ଠିକ ଭାବେ ମିଳିପାରୁ ନାହିଁ। ଏହା ଉପରେ କାମ ଚାଲିଛି ବୋଲି ସେ କହିଛନ୍ତି।
ଭୂସୱାଲର ଡିଭିଜନାଲ ମ୍ୟାନେଜର ଇତି ପାଣ୍ଡେ କହିଛନ୍ତି, ଟ୍ରାଏଲ ରନରୁ ଭଲ ରେଜଲ୍ଟ ମିଳିଛି। ଲୋକମାନେ ଏଣିକି ଟ୍ରେନରେ ଯାତ୍ରା କରିବା ବେଳେ ମଧ୍ୟ ଟଙ୍କା ଉଠାଇ ପାରିବେ। ଆମେ ମେସିନ କେମିତି କାମ କରୁଛି, ତା’କୁ ନିୟମିତ ସମୀକ୍ଷା କରିବୁ। ଭାରତୀୟ ରେଳବାଇର Innovative and Non-Fare Revenue Ideas ଯୋଜନାର ବୈଠକ ଭୂସୱାଲ ଡିଭିଜନ ପକ୍ଷରୁ ଆୟୋଜନ କରାଯାଇଥିଲା। ଏହି ସମୟରେ ଏଟିଏମ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ମିଳିଥିଲା। ପ୍ରସ୍ତାବ ମିଳିବା କ୍ଷଣୀ ଆମେ ଏହାକୁ କାର୍ଯ୍ୟକାରୀ କରିବାକୁ କାମ ଆରମ୍ଭ କରି ଦେଇଥିଲୁ।”
ଏଟିଏମ ଏସି କୋଚରେ ଲାଗିଥିଲେ ହେଁ ଏହାର ସେବା ପଞ୍ଚବାଟି ଏକ୍ସପ୍ରେସର ସମସ୍ତ ୨୨ଟି ଯାକ କୋଚରେ ଯାତ୍ରା କରୁଥିବା ଲୋକମାନେ ପାଇ ପାରିବେ। ଏଟିଏମ ଲାଗିଥିବା କୋଚକୁ ଯାଇ ଯାତ୍ରୀମାନେ ଟଙ୍କା ଉଠାଇବାରେ କୌଣସି ସମସ୍ୟା ନାହିଁ। କୌତୁହଳର ବିଷୟ ହେଲା ଯେ ମୁମ୍ବାଇ-ହିଙ୍ଗୋଲି ଜନ ଶତାବ୍ଦୀ ଏକ୍ସପ୍ରେସର ଯାତ୍ରୀମାନେ ମଧ୍ୟ ଏହି ଏଟିଏମର ସେବା ପାଇ ପାରିବେ। କାରଣ ପଞ୍ଚବାଟି ଏକ୍ସପ୍ରେସର ବଗି ଜନ ଶତାବ୍ଦୀରେ ମଧ୍ୟ ଲାଗିଥାଏ। ଏହାର ଅର୍ଥ ଦୂର ବାଟକୁ ଯାତ୍ରା କରୁଥିବା ଅଧିକରୁ ଅଧିକ ଯାତ୍ରୀ ଏଟିଏମ ସେବା ପାଇ ପାରିବେ।
ଏଟିଏମର ସୁରକ୍ଷା ପାଇଁ ଏହାକୁ ଗୋଟିଏ ଶଟର ସିଷ୍ଟମରେ ଫିଟ କରାଯାଇଛି। ଏହାର ଚାରିପାଖରେ ସିସିଟିଭି କ୍ୟାମେରା ଲାଗିଛି। ଯଦି ଟ୍ରେନରେ ଏଟିଏମ ଯୋଜନା ଯାତ୍ରୀଙ୍କୁ ଅଧିକ ଆକୃଷ୍ଟ କରିପାରିବ, ତା’ହେଲେ ଅନ୍ୟ ଟ୍ରେନଗୁଡ଼ିକରେ ବି ଏପରି ବ୍ୟବସ୍ଥା ହେବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/ATM_1744799866.jpg)