କାର୍‌ରେ ୩ ବର୍ଷର ଝିଅକୁ ଛାଡ଼ି ବାହାଘର ପାର୍ଟିକୁ ଚାଲିଗଲେ ବାପା ମା’, ମିଳିଲା ମୃତଦେହ

ବାପା ମା’ ବାହାଘର ପାର୍ଟି ଆଟେଣ୍ଡ୍‌ କରିବାକୁ ଏତେ ବିକଳ ଥିଲେ ଯେ ସେମାନେ ନିଜ ଝିଅକୁ ମଧ୍ୟ ଭୁଲି ଗଲେ।

Representational image

  • Published: Thursday, 16 May 2024
  • , Updated: 16 May 2024, 04:08 PM IST

ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଘଟଣା। ସାମାନ୍ୟ ଅବହେଲା ପ୍ରାଣ ହରାଇଛନ୍ତି ଜଣେ ୩ ବର୍ଷର ଝିଅ। ବାପା ମା’ ବାହାଘର ପାର୍ଟି ଆଟେଣ୍ଡ୍‌ କରିବାକୁ ଏତେ ବିକଳ ଥିଲେ ଯେ ସେମାନେ ନିଜ ଝିଅକୁ ମଧ୍ୟ ଭୁଲି ଗଲେ।

କାର୍‌ରେ ୩ ବର୍ଷର ଝିଅକୁ ଛାଡ଼ି ଦେଇ ସେମାନେ ବାହାଘର ପାର୍ଟିକୁ ଚାଲି ଯାଇଥିଲେ। ଶେଷରେ ୩ ଘଣ୍ଟା ପରେ କାର୍‌ରୁ ୩ ବର୍ଷୀୟ ଝିଅର ମୃତଦେହ ମିଳିଛି। ରାଜସ୍ଥାନର କୋଟାରେ ଏଭଳି ଦୁଃଖଦ ଘଟଣା ଘଟିଛି।

ପୁଲିସ୍‌ କହିଛି ଯେ ବୁଧବାର ସନ୍ଧ୍ୟାରେ ପୂରା ଘଟଣା ଝଟିଛି। ମୃତ ୩ ବର୍ଷୀୟ ଝିଅ ଜଣଙ୍କ ହେଲେ ଗୋରଭିକା ନାଗର। ଝିଅଟିର ବାପା ହେଉଛନ୍ତି ପ୍ରଦୀପ ନାଗର। ସେ ବୁଧବାର ସନ୍ଧ୍ୟାରେ ୨ ଝିଅ ଓ ପତ୍ନୀଙ୍କୁ ସାଙ୍ଗରେ ଧରି ଗୋଟିଏ ବାହାଘର ପାର୍ଟି ଆଟେଣ୍ଡ୍‌ କରିବାକୁ ଯାଇଥିଲେ। ବାହାଘର ମଣ୍ତପ ସାମ୍ନାରେ ପତ୍ନୀ ଓ ବଡ଼ ଝିଅ କାର ଭିତରୁ ଓହ୍ଲାଇ ପଡ଼ିଥିଲେ।

ପ୍ରଦୀପ କାର ପାର୍କିଂ କରିବାକୁ ଚାଲି ଯାଇଥିଲେ। କାର ପାର୍କିଂ କରି ସାରିବା ପରେ ସେ ଆଉ ପଛ ସିଟ୍‌କୁ ଚାହିଁ ନଥିଲେ। ଭାବିଥିଲେ ଯେ ଦୁଇ ଝିଅ ଓ ସେମାନଙ୍କ ମା’ ବାହାଘର ପାର୍ଟିକୁ ଚାଲି ଯାଇଛନ୍ତି। ତେଣୁ ସେ କାର୍‌କୁ ଲକ କରି ବାହାଘର ପାର୍ଟିକୁ ଚାଲି ଯାଇଥିଲେ।

୨ ଘଣ୍ଟା ଧରି ସେମାନେ ବାହାଘର ପାର୍ଟିରେ ବୁଲିଥିଲେ। ଅନେକ ଲୋକଙ୍କୁ ସାକ୍ଷାତ କରିଥିଲେ। ହେଲେ ପ୍ରଦୀପ ତାଙ୍କ ପତ୍ନୀଙ୍କ ସହ ଦେଖା ହୋଇ ନଥିଲେ। ୨ ଘଣ୍ଟା ପରେ ପ୍ରଦୀପ ଓ ତାଙ୍କ ପତ୍ନୀ ପରସ୍ପରକୁ ଭେଟିବା ବେଳେ ସାନ ଝିଅ ଗୋରଭିକା ଉଭୟଙ୍କ ପାଖରେ ନଥିବା ଜାଣିବାକୁ ପାଇଥିଲେ। ସେମାନେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ।

ପ୍ରାୟ ୧ ଘଣ୍ଟା ଧରି ସେମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ କାର ପାଖକୁ ଆସିଥିଲେ। ଏହି ସମୟରେ ଗୋରଭିକ କାରର ପଛ ସିଟରେ ଅଚେତ ହୋଇ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ପ୍ରଦୀପ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପରିବାର ଲୋକ ପିଲାଟିର ଶବକୁ ବ୍ୟବଚ୍ଛେଦ କରିବାକୁ ମନା କରିଦେଇଛନ୍ତି। ସେହିପରି କୌଣସି ପ୍ରକାରର ପୁଲିସ୍‌ କେସ୍‌ ମଧ୍ୟ କରି ନାହାନ୍ତି।

Related story