Advertisment

ରାଜ୍ୟସଭାରେ ୩ ଅପରାଧିକ ବିଲ୍‌ ପାସ୍‌, ସରିଲା ସଂସଦର ଶୀତ ଅଧିବେଶନ

ବ୍ରିଟିଶ ଅମଳରୁ ପ୍ରଚଳିତ ଆଇପିସି, ସିଆରପିସି ଓ ଭାରତୀୟ ପ୍ରମାଣ ଆଇନ(ଆଇଇଏ) ବଦଳରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ସାକ୍ଷ୍ୟ ଆଇନ ଲାଗୁ ହେବ।

author-image
Hemant Lenka
RS

RS

ଲୋକସଭା ପରେ ରାଜ୍ୟସଭାରେ ପାସ୍‌ ହୋଇଛି ୩ ନୂଆ ଅପରାଧିକ ବିଲ୍‌। ବିନା ବିରୋଧୀରେ ସଂସଦର ଉଚ୍ଚ ସଦନରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ସାକ୍ଷ୍ୟ ବିଲ ପାସ୍‌ ହୋଇଛି। ବୁଧବାର ଏହି ୩ ବିଲ୍‌ ଲୋକସଭାରେ ପାରିତ ହୋଇଥିଲା।

Advertisment

୯୭ ଜଣ ସାଂସଦ ନିଲମ୍ବିତ ହୋଇ ଲୋକସଭା ବାହାରେ ଥିଲେ ମଧ୍ୟ ସରକାର ଏହି ୩ ଗୁରୁତ୍ୱପୂର୍ଣ୍ଣ ବିଲକୁ ନିମ୍ନ ସଦରେ ପାସ୍‌ କରାଇଥିଲେ। ଆଜି ରାଜ୍ୟସଭାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି।

ବିନା ବିରୋଧୀରେ ସରକାର ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ସାକ୍ଷ୍ୟ ବିଲ ପାସ କରିଛନ୍ତି। ସଂସଦରେ ଏହା ପାରିତ ହୋଇଥିବାରୁ ଏବେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଯିବ। ରାଷ୍ଟ୍ରପତି ମୋହର ମାରିବା କ୍ଷଣି ଏହା ଆଇନରେ ପରିଣତ ହେବ।

Advertisment

ବ୍ରିଟିଶ ଅମଳରୁ ପ୍ରଚଳିତ ଆଇପିସି, ସିଆରପିସି ଓ ଭାରତୀୟ ପ୍ରମାଣ ଆଇନ(ଆଇଇଏ) ବଦଳରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ସାକ୍ଷ୍ୟ ଆଇନ ଲାଗୁ ହେବ। ଅପରାଧ ପାଇଁ ଭାରତୀୟ ନ୍ୟାୟ ସଂହିତା ବଳରେ ଦୋଷୀକୁ ଦଣ୍ଡବିଧାନ କରାଯିବ।

ଉଭୟ ଲୋକସଭା ଓ ରାଜ୍ୟସଭାରେ ୩ ନୂଆ ଅପରାଧିକ ବିଲ ପାସ୍‌ ହୋଇଥିବାରୁ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି। ଏହି ବିଲ୍‌ ପାସ୍‌ ହେବା ଦ୍ୱାରା ବ୍ରିଟିଶ ଶାସନର ଅନ୍ତ ଘଟିଛି। ଏଥିସହ ନୂଆ ଯୁଗ ଆରମ୍ଭ ହୋଇଛି ବୋଲି ମୋଦି ତାଙ୍କ ଏକ୍ସ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି। 

ପୂର୍ବରୁ ଆଇପିସିରେ ଥିବା ଦେଶଦ୍ରୋହ ଆଇନକୁ ବଦଳାଇ ଦିଆଯାଇଛି। ପ୍ରସ୍ତାବିତ ଆଇନରେ ଦେଶଦ୍ରୋହର ଶବ୍ଦ ନାହିଁ। ଏହି ଶ୍ରେଣୀରେ ଆସୁଥିବା ଅପରାଧକୁ ଧାରା ୧୫୦ ଅଧୀନରେ ବିଚାର କରାଯିବ।

ବିଲ୍‌ରେ ଭିଡ଼ ହିଂସା ବା ମବ ଲିଚିଂ ପାଇଁ ମୃତ୍ୟୁ ଦଣ୍ଡର ବ୍ୟବସ୍ଥା କରାଯାଇଛି। ଗଣଦୁଷ୍କର୍ମ ପାଇଁ ୨୦ ବର୍ଷ ଜେଲ ଓ ନାବାଳିକା ଦୁଷ୍କର୍ମ ଘଟଣା ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ହୋଇଛି। ନୂଆ ବିଲ୍‌ରେ ମହିଳା, ଛୋଟ ପିଲା, ହତ୍ୟା ଓ ଦେଶ ବିରୋଧୀ କାର୍ଯ୍ୟକଳାପକୁ ରୋକିବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି।

ଏହି ୩ ବିଲ୍‌ ପାସ୍‌ ହେବା ସହ ରାଜ୍ୟସଭାର ଶୀତ ଅଧିବେଶନ ଶେଷ ହୋଇଛି। ଏହାପୂର୍ବରୁ ଲୋକସଭାର ଶୀତ ଅଧିବେଶନ ମଧ୍ୟ ଶେଷ ହୋଇଥିଲା। ଶେଷ ଦିନରେ ଲୋକସଭାରେ ସିଇସି ନିଯୁକ୍ତି ସଂକ୍ରାନ୍ତ ବିଲ୍‌ ପାରିତ କରାଯାଇଥିଲା। ଦୁଇ ତୃତୀୟାଂଶ ବିରୋଧୀଙ୍କ ଅନୁପସ୍ଥିତିରେ ସରକାର ସିଇସି ନିଯୁକ୍ତି ଓ ସେବା ବିଲ୍‌ ପାସ୍‌ କରାଇଛନ୍ତି।

Rajya Sabha IPC CrPC