Doctor
ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି ବିବେଚନା କରାଯାଇଥାଏ। କାରଣ ଭଗବାନ ଥରେ ଜୀବନ ଦେଇଥିବା ବେଳେ ଡାକ୍ତର ଦେଇଥାନ୍ତି ପୁନଃଜନ୍ମ । ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀ ଡାକ୍ତରକୁ ହିଁ ଭଗବାନ ରୂପେ ବିବେଚନା କରିଥାଏ। ମାତ୍ର ଡାକ୍ତରଙ୍କ ସାମାନ୍ୟ ଖାମଖିଆଲିପଣ ପାଇଁ ଅକାଳରେ ରୋଗୀ ଆଖି ବୁଜି ଦେଇଥିବା ଅଭିଯୋଗ ସାମନାକୁ ଆସିଛି। ।
ଏପରି ଏକ ଘଟଣା ମହାରାଷ୍ଟ୍ରର ନାଗପୁରରେ ୫ ବର୍ଷ ତଳେ ଘଟିଥିଲା। ଏହି ମାମଲାରେ ନାଗପୁରର ସରକାରୀ ମେଡିକାଲ ହସ୍ପିଟାଲର ଡିନଙ୍କ ସମେତ ୧୧ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଆଦେଶ ପରେ ନାଗପୁରର ଅଜନୀ ପୁଲିସ୍ ଥାନାରେ ସମସ୍ତ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
କେବଳରାମ ପାଣ୍ଡୁରଙ୍ଗ ପଟୋଲେଙ୍କ ପତ୍ନୀ ପୁଷ୍ପାଙ୍କ ବେକରେ ଏକ ବଥ ହୋଇଥିବା ବେଳେ ତାଙ୍କୁ ସେ ନାଗପୁରର ସରକାରୀ ମେଡିକାଲ କଲେଜ ନେଇଥିଲେ। ସେଠାରେ ସର୍ଜରୀ ବିଭାଗ ମୁଖ୍ୟ ତଥା କଲେଜର ଡିନ୍ ଡା. ଗଜଭିଏ ତାଙ୍କ ପରୀକ୍ଷା କରିଥିଲେ। ଏହାପରେ ତୁରନ୍ତ ତାଙ୍କର ଅସ୍ତ୍ରୋପଚାର ଆବଶ୍ୟକ ବୋଲି କହିଥିଲେ।
ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ୨୦୨୦ ମସିହାରେ କେବଳରାମ ପତ୍ନୀ ପୁଷ୍ପାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ଅପରେସନ ପରେ ଅବସ୍ଥା ଗୁରୁତର ଥିବା କହି ଡାକ୍ତର ଆଇସିୟୁରେ ଭର୍ତ୍ତି କରିଥିଲ। ତା’ ପର ଦିନ ପୁଷ୍ପା ଆଖି ବୁଜି ଦେଇଥିଲେ। ହୃଦଘାତ ଯୋଗୁ ପୁଷ୍ପାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ।
ମାତ୍ର ଡାକ୍ତଙ୍କ ଖାମଖିଆଲିପଣ ଯୋଗୁ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି କେବଳରାମ ୨୦୨୦ ଜୁନ୍ ୩୦ରେ ସମସ୍ତ ଡାକ୍ତରଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କେବଳରାମଙ୍କ ଅଭିଯୋଗ ଆଧାରରେ ମେଡିକାଲ ପ୍ରଶାସନ ତରଫରୁ ଏକ ଯାଞ୍ଚ ସମିତି ଗଠନ କରାଯାଇଥିଲା। ଉକ୍ତ କମିଟି ନିଜ ରିପୋର୍ଟରେ ପୁଷ୍ପାଙ୍କ ମୃତ୍ୟୁ ହୃଦଘାତଜନିତ ବୋଲି କହିଥିଲା।
ମାତ୍ର କେବଳରାମଙ୍କର ଏହା ବିଶ୍ୱାସ ନ ହେବାରୁ ସେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିକଟରେ ଅଭିଯୋଗ କରିଥିଲେ। ମନ୍ତ୍ରାଳୟ ତରଫରୁ ଏକ କମିଟି ଗଠିତ କରାଯାଇ ମାମଲାର ପୁନଃ ତଦନ୍ତ ଆରମ୍ଭ ହୋଇଥିଲା। ଏହି ରିପୋର୍ଟରେ ଡାକ୍ତରଙ୍କ ଖାମଖିଆଲି ମନୋଭାବ ତଥା ଚିକିତ୍ସାରେ ଅବହେଳା ଯୋଗୁ ପୁଷ୍ପାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା।
ଏହାକୁ ଆଧାର କରି କେବଳରାମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହି ମାମଲାର ଶୁଣାଣି କରି ସମ୍ପୃକ୍ତ ଡାକ୍ତରମାନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପୁଲିସ୍କୁ ନିର୍ଦ୍ଦେଶ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
