୨ ହଜାର ଟଙ୍କିଆ ନୋଟ ପାଇଁ ପେଟ୍ରୋଲ ପମ୍ପକୁ ବ୍ୟାଙ୍କ କରିଦେଲେଣି ଲୋକ!

ଆରବିଆଇ ବିଚଳିତ ନ ହେବାକୁ କହିଥିଲେ ମଧ୍ୟ ଲୋକମାନେ ୨୦୧୬ ବିମୁଦ୍ରାକରଣ ଭଳି ସ୍ଥିତି କାଳେ ସୃଷ୍ଟି ହେବ, ସେହି ଆଶଙ୍କାରେ ୨ ହଜାର ଟଙ୍କିଆ ନୋଟକୁ ବିଭିନ୍ନ ଉପାୟାରେ ଖର୍ଚ୍ଚ କରିବାରେ ଲାଗିଛନ୍ତି।

୨ ହଜାର ଟଙ୍କିଆ ନୋଟ ବଦଳାଇବାକୁ ସବୁଠି ଭିଡ଼

  • Published: Monday, 22 May 2023
  • , Updated: 22 May 2023, 05:49 PM IST

ରିର୍ଜଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇ ୨ ହଜାର ଟଙ୍କା ନୋଟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେବା ପରେ ଏବେ ବିଭିନ୍ନ ବଡ଼ବଡ଼ ମାର୍କେଟ ଓ ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଲାଣି। ୨ ହଜାର ଟଙ୍କିଆ ନୋଟକୁ ମେ’ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଲୋକମାନେ ବ୍ୟାଙ୍କ ଯାଇ ବଦଳ କରିପାରିବେ।

କିନ୍ତୁ ବ୍ୟାଙ୍କ ଯାଇ ୨୦୧୬ ବିମୁଦ୍ରାକରଣ ଭଳି କେହି ବି ଲାଇନରେ ଛିଡ଼ା ହେବା ମୁଡରେ ନାହାନ୍ତି। ତେଣୁ ଲୋକମାନେ ନିଜ ପାଖରେ ରଖିଥିବା ୨ ହଜାର ଟଙ୍କିଆ ନୋଟକୁ ଏବେ ବିଭିନ୍ନ ପେଟ୍ରୋଲ ପମ୍ପ, ସୁନା ଦୋକାନ ଓ ବଡ଼ବଡ଼ ମାର୍କେଟରେ ଖର୍ଚ୍ଚ କରିବାରେ ଲାଗିଛନ୍ତି। ଅଧିକାଂଶ ଲୋକ ପେଟ୍ରୋଲ ପମ୍ପକୁ ଏବେ ବ୍ୟାଙ୍କ ଭାବେ ବ୍ୟବହାର କରିବାରେ ଲାଗିଛନ୍ତି।

ଆରବିଆଇ ବିଚଳିତ ନ ହେବାକୁ କହିଥିଲେ ମଧ୍ୟ ଲୋକମାନେ ୨୦୧୬ ବିମୁଦ୍ରାକରଣ ଭଳି ସ୍ଥିତି କାଳେ ସୃଷ୍ଟି ହେବ, ସେହି ଆଶଙ୍କାରେ ୨ ହଜାର ଟଙ୍କିଆ ନୋଟକୁ ବିଭିନ୍ନ ଉପାୟାରେ ଖର୍ଚ୍ଚ କରିବାରେ ଲାଗିଛନ୍ତି। ଏହି କାରଣରୁ ପେଟ୍ରୋଲ ପମ୍ପରେ ଏବେ ୩ରୁ ୫ ଗୁଣ ଅଧିକ ୨ ହଜାର ଟଙ୍କିଆ ନୋଟ ଆସିବାରେ ଲାଗିଛି। ଦିଲ୍ଲୀ ଠାରୁ ଆରମ୍ଭ କରି ଚେନ୍ନାଇ ଯାଏ ଏଭଳି ପରିସ୍ଥିତି ଦେଖାଯାଇଛି। ପୂର୍ବରୁ ଲୋକମାନେ ଡିଜିଟାଲ ପେମେଣ୍ଟ କରୁଥିବା ବେଳେ ଏବେ ଅଧିକ ମାତ୍ରାରେ କ୍ୟାଶରେ ଟ୍ରାଞ୍ଜାକସନ କରୁଛନ୍ତି।

ଦିଲ୍ଲୀର ଜନପଥରେ ଛୋଟ କପଡ଼ା ଦୋକାନ କରିଥିବା କୈଳାସ ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କଥା ଶୁଣି ଚକିତ ହୋଇଛନ୍ତି। ତାଙ୍କ ମନରୁ ଏବେ ବି ୨୦୧୬ ବିମୁଦ୍ରାକରଣ ବେଳର ସ୍ଥିତି ଲିଭିନାହିଁ। ତେଣୁ ସେ ୨ ହଜାର ଟଙ୍କିଆ ନୋଟରେ ଯଥାସମ୍ଭବ ଜିନିଷ କିଣିବାକୁ ଚେଷ୍ଟା କରୁଛନ୍ତି।

ସେ କହିଛନ୍ତି, “ମୁଁ ଆମ ପରିବାରର ଏକମାତ୍ର ରୋଜଗାର କରୁଥିବା ଲୋକ। ମୋ ଛଡ଼ା କେହି ବି ପାଠ ପଢ଼ି ନାହାନ୍ତି। ତେଣୁ ନୋଟ ବଦଳାଇବା ପାଇଁ ମୋତେ ହିଁ ବ୍ୟାଙ୍କକୁ ଯିବାକୁ ପଡ଼ିବ। ବ୍ୟାଙ୍କ ଯାଇ ଧାଡ଼ିରେ ଛିଡ଼ା ହେଲେ, ଗୋଟିଏ ଦିନ ଦୋକାନ ବନ୍ଦ କରିବାକୁ ପଡ଼ିବ।

ତେଣୁ ମୁଁ ୨ ହଜାର ଟଙ୍କିଆ ନୋଟ ହୋଲସେଲ ମାର୍କେଟରେ ଖର୍ଚ୍ଚ କରିବାକୁ ଚେଷ୍ଟା କରୁଛି। କିନ୍ତୁ ଅଧିକାଂଶ ଦୋକାନୀ ୨ ହଜାର ଟଙ୍କିଆ ନୋଟ ନେବାକୁ ମନା କରୁଛନ୍ତି କିମ୍ବା ସେମାନଙ୍କ ପାଖରେ ଖୁଚୁରା ନାହିଁ ବୋଲି କହୁଛନ୍ତି।”

ଶାଲିନୀ ମେହେତା ନାମକ ଜଣେ ଗ୍ରାହକ ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ହେବା ସମ୍ପର୍କରେ ଜାଣି ନାହାନ୍ତି। ତେଣୁ ଅଧିକାଂଶ ଦୋକାନୀ ତାଙ୍କ ଠାରୁ ଏହି ବଡ଼ ନୋଟକୁ ନ ନେବାରୁ ସେ ଚକିତ ହୋଇଛନ୍ତି। ପୂର୍ବ ଦିଲ୍ଲୀର ଗାନ୍ଧି ନଗର ମାର୍କେଟରେ ଥିବା ରେଡିମେଡ୍‌ ଗାରମେଣ୍ଟ ହବ୍‌ରେ ପ୍ରବଳ ଭିଡ଼ ଦେଖାଯାଉଛି।

ଏଠାରେ ଲୋକମାନେ ସେମାନଙ୍କ ୨ ହଜାର ଟଙ୍କିଆ ନୋଟ ଜମା କରିବାକୁ ଚେଷ୍ଟା କରୁଛନ୍ତି। ଏଠାରେ ୧୧ ହଜାର ହୋଲସେଲ ଓ ରିଟେଲ ଗାରମେଣ୍ଟ ଦୋକାନ ରହିଛି। ଦୋକାନୀ ମହାସଂଘର ସଭାପତି ବିମଳ ଜୈନ କହିଛନ୍ତି, “ଦୁଇ ଦିନ ହେଲାଣି ଲୋକମାନେ ୨ ହଜାର ଟଙ୍କିଆ ନୋଟ ଝିନଝଟରୁ ମୁକୁଳିବାକୁ ଚେଷ୍ଟା କରୁଛନ୍ତି।

ଲୋକଙ୍କ ଠାରୁ ଆରମ୍ଭ କରି ରିଟେଲ ବ୍ୟବସାୟୀ ଏହାକୁ ନେଇ ଆତଙ୍କିତ ହୋଇଛନ୍ତି। ଏଥିପାଇଁ ସେମାନେ ୨ ହଜାର ଟଙ୍କିଆ ନୋଟ ଗ୍ରହଣ କରୁ ନାହାନ୍ତି କିମ୍ବା ଚେଞ୍ଜ ଦେଉ ନାହାନ୍ତି। ତେବେ ବଡ଼ବଡ଼ ବ୍ୟବସାୟୀମାନେ ଆଦୌ ବିଚଳିତ ହେଉନାହାନ୍ତି ଓ ସେମାନେ ୨ ହଜାର ଟଙ୍କିଆ ନୋଟ ମଧ୍ୟ ଗ୍ରହଣ କରୁଛନ୍ତି।”

ସହରରେ ଥିବା ପେଟ୍ରୋଲ ପମ୍ପରେ ମଧ୍ୟ ପ୍ରବଳ ଭିଡ଼ ଦେଖାଯାଉଛି। ଭିଡ଼ ଦେଖାଯାଉଥିବା ଗୋଟିଏ ପେଟ୍ରୋଲ ପମ୍ପର ମାଲିକ ଅନୁରାଗ ନାରାୟଣ କହିଛନ୍ତି, “ ପୂର୍ବରୁ ଲୋକମାନେ ଅଧିକ ସଂଖ୍ୟାରେ ଡିଜିଟାଲ କିମ୍ବା କାର୍ଡରେ ପେମେଣ୍ଟ କରୁଥିଲେ। ଏବେ ତେଲ ପକାଇବା ମାତ୍ରେ ସେମାନେ ୨ ହଜାର ଟଙ୍କିଆ ନୋଟ ଦେଉଛନ୍ତି। ସେମାନେ ପେଟ୍ରୋଲ ପମ୍ପକୁ ବ୍ୟାଙ୍କ ଭାବେ ବ୍ୟବହାର କରୁଛନ୍ତି।”

ଦିଲ୍ଲୀର ସହରାଞ୍ଚଳରେ ପ୍ରାୟ ୪୦୦ ପେଟ୍ରୋଲ ପମ୍ପ ରହିଛି। ପ୍ରାୟ ସବୁ ପେଟ୍ରୋଲ ପମ୍ପରେ ୨ ହଜାର ଟଙ୍କିଆ ନୋଟ ବଦଳ କରିବାକୁ ପ୍ରବଳ ଭିଡ଼ ଦେଖାଯାଉଛି।

ଦୁଇ ଦିନ ଭିତରେ ୨ ହଜାର ଟଙ୍କିଆ ନୋଟର ଟ୍ରାଞ୍ଜାକସନ ୪ରୁ ୫ ଗୁଣା ବଢ଼ିଛି। ଏହାକୁ ଦେଖି କିଛି ପେଟ୍ରୋଲ ପମ୍ପ ପକ୍ଷରୁ ୨ ହଜାର ଟଙ୍କିଆ ନୋଟ ଗ୍ରହଣ କରାଯାଉ ନଥିବା ବୋର୍ଡ ମଧ୍ୟ ଲଗାଯିବା ଆରମ୍ଭ ହେଲାଣି।

Related story