Advertisment

ସୁପ୍ରିମକୋର୍ଟରେ ପହଞ୍ଚିଲା ଓଡ଼ିଶାର ଟ୍ରେନ ଦୁର୍ଘଟଣା

ଦୁଇ ଯାତ୍ରୀବାହୀ ଟ୍ରେନ ଓ ଗୋଟିଏ ମାଲବାହୀ ଟ୍ରେନ ମଧ୍ୟରେ ଶୁକ୍ରବାର ହୋଇଥିବା ଭୟଙ୍କର ଧକ୍କାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

author-image
Hemant Lenka
Train Accident

Train Accident

ଓଡ଼ିଶାର ବାଲେଶ୍ୱରରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଓଡ଼ିଶା ଇତିହାସର ସବୁଠାରୁ ବଡ଼ ରେଳ ଦୁର୍ଘଟଣାର ତଦନ୍ତ ବିଶେଷଜ୍ଞ କମିଟି ଦ୍ୱାରା କରିବାକୁ ଗୋଟିଏ ଜନସ୍ୱାର୍ଥ ମାମଲା ବା ପିଆଇଏଲ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ତଦନ୍ତ ପାଇଁ ଗଠନ ହେବାକୁ ଥିବା ବିଶେଷଜ୍ଞ କମିଟିର ନେତୃତ୍ୱ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ନିଅନ୍ତୁ ବୋଲି ପିଆଇଏଲରେ ନିବେଦନ କରାଯାଇଛି।

Advertisment

ଦୁଇ ଯାତ୍ରୀବାହୀ ଟ୍ରେନ ଓ ଗୋଟିଏ ମାଲବାହୀ ଟ୍ରେନ ମଧ୍ୟରେ ଶୁକ୍ରବାର ହୋଇଥିବା ଭୟଙ୍କର ଧକ୍କାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହାକୁ ନେଇ ପୂରା ଦେଶ ସ୍ତବ୍ଧ ହୋଇଯାଇଥିବା ବେଳେ ଏବେ ସୁପ୍ରିମକୋର୍ଟରେ ଘଟଣାର ତଦନ୍ତ ପାଇଁ ପିଆଇଏଲ ଦାଖଲ କରାଯାଇଛି।

ପିଆଇଏଲରେ ବିଶେଷଜ୍ଞ କମିଟି ଦ୍ୱାରା ତଦନ୍ତ ପାଇଁ ଦାବି କରାଯାଇଛି। ଏଥିସହ ଅଟୋମେଟିକ ଟ୍ରେନ ପ୍ରୋଟେକସନ ବ୍ୟବସ୍ଥା ବା କବଚ ପ୍ରୋଟେକସନ ବ୍ୟବସ୍ଥା ତୁରନ୍ତ ଲାଗୁ କରିବା ପାଇଁ ଗାଇଡଲାଇନ ଓ ନିର୍ଦ୍ଦେଶ ଭାରତୀୟ ରେଳବାଇକୁ ଦିଆଯାଉ। ଲୋକଙ୍କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟ ଏହା ଉପରେ ବିଚାର କରନ୍ତୁ ବୋଲି ଆବେଦନକାରୀ କହିଛନ୍ତି।

Advertisment

କବଚ ଦ୍ୱାରା ଲୋକ ପାଇଲଟ ସମାନ ଟ୍ରାକ୍‌ରେ ଦୁଇଟି ଟ୍ରେନ ଆସିଲେ, ଆଗୁଆ ସୂଚନା ପାଇ ପାରିବେ। ଏଥିସହ ଆପେଆପେ ଟ୍ରେନର ବ୍ରେକ୍‌ ମଧ୍ୟ ଲଗାଯାଇ ପାରିବ। ଏହି ବ୍ୟବସ୍ଥା ଭିଡ଼ ହେଉଥିବା ଟ୍ରାକ୍‌ରେ ଲାଗୁ କରିବା ପାଇଁ ୨୦୨୨ରେ ଭାରତ ସରକାର ଘୋଷଣା କରିଥିଲେ। ହେଲେ ଏବେ କେବଳ ୨% ଟ୍ରେନରେ ଏହି ବ୍ୟବସ୍ଥାକୁ ଲାଗୁ କରାଯାଇ ପାରିଛି। ତେଣୁ ତୁରନ୍ତ ସମସ୍ତ ଟ୍ରେନ ଓ ରାସ୍ତାରେ କବଚ ବ୍ୟବସ୍ଥା ପ୍ରଚଳନ କରିବାକୁ ପିଆଇଏଲରେ ଅନୁରୋଧ କରାଯାଇଛି।

ବର୍ତ୍ତମାନ ଭାରତୀୟ ରେଳବାଇ ଗ୍ରହଣ କରୁଥିବା ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ଓ ସମୀକ୍ଷା କରିବା ପାଇଁ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ବିଶେଷଜ୍ଞ କମିଟି ଗଠନ କରାଯାଉ। ରେଳବାଇର ସୁରକ୍ଷା ବ୍ୟବସ୍ଥାକୁ କେମିତି ସୁଦୃଢ଼ କରାଯାଇ ପାରିବ, ଏହାର ପରାମର୍ଶ ମଧ୍ୟ କମିଟି ଦେବ। କମିଟି ଦୁଇ ମାସ ମଧ୍ୟରେ ତା’ର ରିପୋର୍ଟ କୋର୍ଟରେ ଦାଖଲ କରୁ ବୋଲି ପିଆଇଏ କରିଥିବା ଆଇନଜୀବୀ ବିଶାଲ ତିୱାରୀ ସର୍ବୋଚ୍ଚ ଅଦାଲତକଙ୍କୁ ଅନୁରୋଧ କରିଛନ୍ତି।

ଶୁକ୍ରବାର ବାଲେଶ୍ୱରର ବାହାନଗା ନିକଟରେ ୩ଟି ଟ୍ରେନ ଗୋଟିଏ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। କରମଣ୍ଡଳ ଏକ୍ସପ୍ରେସ ଗୋଟିଏ ମାଲବାହୀ ଟ୍ରେନକୁ ଧକ୍କା ଦେବା ପରେ ଲାଇନଚ୍ୟୁତ ହୋଇଥିଲା। ଏହାପରେ ବିପରୀତ ଦିଗରୁ ଆସୁଥିବା ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସର ଦୁଇଟି ବଗି ସହ କରମଣ୍ଡଳର ଗୋଟିଏ ବଗି ମଧ୍ୟ ଧକ୍କା ହୋଇଥିଲା।

ସିଗ୍ନାଲ ବ୍ୟବସ୍ଥା ଫେଲ ଯୋଗୁ ଏପରି ହୋଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଇଣ୍ଟରଲକିଂ ବ୍ୟବସ୍ଥାର ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଥିବା କହିଛନ୍ତି।

Odisha Supreme Court Train Accident Train Tragedy