pilot
ଦେଶର ରାଜଧାନୀ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ବୁଧବାର ବଡ଼ ଘଟଣା ଘଟିଛି। ଜଣେ ମହିଳା ପାଇଲଟ ଓ ତାଙ୍କ ସ୍ୱାମୀଙ୍କୁ ସ୍ଥାନୀୟ ଲୋକମାନେ ଘର ଭିତରୁ ଘୋଷାଡ଼ି ଆଣି ପ୍ରବଳ ମାଡ଼ ମାରିଛନ୍ତି। ଏହି ଦମ୍ପତି ସେମାନଙ୍କ ଘରେ କାମ କରୁଥିବା ଜଣେ ୧୦ ବର୍ଷୀୟ ଝିଅକୁ ଅକଥନୀୟ ନିର୍ଯାତନା ଦେଉଥିଲେ।
ଏଥିପାଇଁ ଦମ୍ପତିଙ୍କୁ ସ୍ଥାନୀୟ ମହିଳା ଓ ପୁରୁଷମାନେ ପ୍ରବଳ ପିଟିଛନ୍ତି। ଏହି ଘଟଣାର ଭିଡିଓ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ମାଡ଼ ଖାଇଥିବା ମହିଳା ଜଣଙ୍କ ପାଇଲଟ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଗୋଟିଏ ଏୟାରଲାଇନର ଗ୍ରାଉଣ୍ଡ କର୍ମଚାରୀ ଭାବେ କାମ କରନ୍ତି।
ସାମ୍ନାକୁ ଆସିଥିବା ଭିଡିଓରେ, ମହିଳା ପାଇଲଟ ଜଣଙ୍କ ତାଙ୍କ ୟୁନିଫର୍ମରେ ରହିଛନ୍ତି। ଏହି ସମୟରେ କିଛି ମହିଳା ତାଙ୍କୁ ଘର ଭିତରୁ ଚୁଟି ଧରି ଘୋଷାଡ଼ି ଆଣିବା ସହ ରାସ୍ତା ଉପରେ ପ୍ରବଳ ପିଟୁଛନ୍ତି। ସ୍ୱାମୀ ଏଥିରେ ହସ୍ତକ୍ଷେପ କରିବାରୁ ତାଙ୍କୁ ମଧ୍ୟ ଉପସ୍ଥିତ ଥିବା ପୁରୁଷ ଲୋକମାନେ ମାଡ଼ ମାରିଛନ୍ତି।
୨ ମାସ ତଳେ ଦମ୍ପତିଙ୍କ ଘରେ ୧୦ ବର୍ଷୀୟ ଝିଅଟି ଘରୋଇ ସହାୟକ ଭାବେ କାମ ଆରମ୍ଭ କରିଥିଲେ। ତେବେ ଝିଅଟିର ମୁହଁ ଓ ଶରୀରରେ ଭୟଙ୍କର ଆଘାତ ଚିହ୍ନ ଥିବା ତାଙ୍କର ଜଣେ ସମ୍ପର୍କୀୟ ଦେଖିବା ସହ ପୁଲିସକୁ ଖବର ଦେଇଥିଲେ।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ବସ୍ତିରେ ରହୁଥିବା ମହିଳା ଓ ପୁରୁଷମାନେ ସକାଳ ପ୍ରାୟ ୯ଟା ବେଳେ ଦମ୍ପତିଙ୍କ ଘର ସାମ୍ନାରେ ପହଞ୍ଚି ଯାଇଥିଲେ। ଏହାପରେ ସେମାନେ ମହିଳା ପାଇଲଟଙ୍କୁ ପ୍ରବଳ ପିଟିଥିଲେ। ପତ୍ନୀଙ୍କୁ ରକ୍ଷା କରିବାକୁ ଯାଇ ସ୍ୱାମୀ ମଧ୍ୟ ପ୍ରବଳ ଛେଚା ଖାଇଛନ୍ତି।
ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ଶାନ୍ତ କରିବା ସହ ଦମ୍ପତିଙ୍କୁ ଆକ୍ରମଣରୁ ରକ୍ଷା କରିଥିଲେ। ଦମ୍ପତି ନିଜ ଘରେ ଶିଶୁଟିକୁ କାମ କରାଇବା ସହ ମାଡ଼ ମାରିଥିବାରୁ ସେମାନଙ୍କ ନାଁରେ ମାମଲା ହୋଇଛି। ସେହିପରି ମାଡ଼ ଖାଇଥିବା ଶିଶୁ କନ୍ୟାର ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଇଛି।
ଡିସିପି ହର୍ଷବର୍ଦ୍ଧନ ଯୌନ ନିର୍ଯାତନା ନେଇ କୌଣସି ପ୍ରକାରର ଅଭିଯୋଗ ନଥିବା ସ୍ପଷ୍ଟ କରିଛନ୍ତି। ତେବେ ଝିଅଟିକୁ ଦମ୍ପତିଙ୍କ ପାଖରେ ତାଙ୍କର ଜଣେ ସମ୍ପର୍କୀୟ ଛାଡ଼ି ଥିଲେ। ସମ୍ପର୍କୀୟ ଜଣଙ୍କ ଦମ୍ପତିଙ୍କ ଘର ପାଖରେ ଘରୋଇ ସହାୟକ ଭାବେ କାମ କରନ୍ତି। ପୁଲିସ୍ ଏବେ ଦମ୍ପତିଙ୍କ ବିରୋଧରେ ମାମଲା କରି ଉଭୟଙ୍କୁ ଗିରଫ କରିଛି। ସେହିପରି ଘଟଣାର ଅଧିକ ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/_pilot_1689763545.jpg)