Bill
ଯଦି କୌଣସି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ଗିରଫ ହେବା ପରେ ଲଗାତର ୩୦ ଦିନ ଜେଲରେ ରହିବେ, ତା’ହେଲେ ସେମାନଙ୍କ ପଦ ଆପେଆପେ ଚାଲିଯିବ। ଗୁରୁତର ଅପରାଧିକ ଦଫାରେ ଯଦି କୌଣସି ଲୋକପ୍ରତିନିଧି ୩୦ ଦିନ ଜେଲରେ ରହୁଛନ୍ତି, ତା’ହେଲେ ୩୧ତମ ଦିନରେ ସେ ପଦ ହରାଇବେ। ଏହା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଲାଗୁ ହେବ।
ଏହା ସହ ଜଡ଼ିତ ବିଲ କେନ୍ଦ୍ର ସରକାର ଲୋକସଭାରେ ଆଗତ କରିଛନ୍ତି। ପ୍ରବଳ ହଟ୍ଟଗୋଳ ମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୃହରେ କ୍ରିମିନାଲ ନେତା ବିଲକୁ ଉପସ୍ଥାପନ କରିଛନ୍ତି। କିନ୍ତୁ ଏହାକୁ ବିରୋଧୀ ଜୋରଦାର ବିରୋଧ କରୁଛନ୍ତି। ସେମାନେ ଆଜି ଲୋକସଭା ଭିତରେ ବିଲର କପିକୁ ଚିରି ଫିଙ୍ଗି ଦେଇଛନ୍ତି। ଏହାକୁ ସେମାନେ ସମ୍ବିଧାନ ବିରୋଧୀ ବୋଲି କହିଛନ୍ତି। ବିଲ ଆଇନରେ ପରିଣତ ହେଲେ ଜନପ୍ରତିନିଧିଙ୍କ ଗୁରୁତ୍ୱ ରହିବ ନାହିଁ ଓ ଦେଶ ପୁଲିସ୍ ଷ୍ଟେଟରେ ପରିଣତ ହେବ ବୋଲି ସେମାନେ କହିଛନ୍ତି।
ଅମିତ ଶାହ ଆଜି ଲୋକସଭାରେ କେନ୍ଦ୍ର ଶାସିତ ଅଞ୍ଚଳ(ସଂଶୋଧନ ବିଲ) ୨୦୨୫, ସମ୍ବିଧାନ(୧୩୦ତମ ସଂଶୋଧନ) ବିଲ ୨୦୨୫ ଓ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ ୨୦୨୫କୁ ଉପସ୍ଥାପନ କରିଛନ୍ତି। ଏହତି ୩ ଗୁରୁତ୍ୱପୂର୍ଣ୍ଣ ବିଲଗୁଡ଼ିକର ବିଚାର ପାଇଁ ଏହାକୁ ସଂସଦୀୟ କମିଟିକୁ ପଠାଯିବ ବୋଲି ଜଣାପଡ଼ିଛି।
ଏଯାଏ ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ, ଦୋଷୀ ସାବ୍ୟସ୍ତ ହେଉଥିବା ଜନ ପ୍ରତିନିଧି ହିଁ ପଦ ହରାଇବାର ପ୍ରାବଧାନ ରହିଛି। ତେଣୁ ଏହା ଗୋଟିଏ ସାମ୍ବିଧାନିକ ସଂଶୋଧ ବିଲ। ସମ୍ବିଧାନକୁ ସଂଶୋଧନ କରି ଏପରି ପ୍ରାବଧାନକୁ ଯୋଡ଼ିବାକୁ ସରକାର ଚାହୁଁଛନ୍ତି। ଧାରା ୭୫, ୧୬୪ ଓ ୨୩୯ଏଏକୁ ସଂଶୋଧନ କରିବାକୁ ସରକାର ଚାହୁଁଛନ୍ତି।
ପ୍ରସ୍ତାବିତ ଆଇନରେ କୁହାଯାଇଛି ଯେ ଯଦି ଜଣେ ପ୍ରଧାନମନ୍ତ୍ରୀ, ଯେକୌଣସି କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳର ମନ୍ତ୍ରୀ ଗିରଫ ହୋଇ ୩୦ ଦିନ ଜେଲରେ ରୁହନ୍ତି, ତା’ହେଲେ ୩୧ ତମ ଦିନ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିବ କିମ୍ବା ସେ ଆପେଆପେ ପଦ ହରାଇବେ।
କାହିଁକି ବିରୋଧ କରୁଛନ୍ତି ବିରୋଧୀ?
ବିରୋଧୀଙ୍କ କହିବା କଥା ଯେ ଏପରି ସମ୍ବିଧାନ ସଂଶୋଧନ ବିଲ ଜରିଆରେ କେନ୍ଦ୍ର ସରକାର ବିରୋଧୀ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ରାଜନୀତିକ ଉଦ୍ଦେଶ୍ୟରେ ଗିରଫ କରି ଅସ୍ଥିର ସୃଷ୍ଟି କରିବାକୁ ସୁଯୋଗ ପାଇବେ। ଇଡି ଓ ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସି ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ମନ୍ତ୍ରୀମାନଙ୍କୁ ଗିରଫ କରିବାର ଅଧିକାର ପାଇଛନ୍ତି। ହେଲେ ପ୍ରଧାନମନ୍ତ୍ରୀଙ୍କୁ କିଏ ଗିରଫ କରିବ ବୋଲି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।
କଂଗ୍ରେସ ସାଂସଦ ଅଭିଷେକ ମନୁସିଙ୍ଘଭୀ କହିଛନ୍ତି, “ ବିରୋଧୀଙ୍କୁ ଅସ୍ଥିର କରିବାର ସବୁଠାରୁ ସହଜ ଉପାୟ ହେଉଛି ପକ୍ଷପାତିତାପୂର୍ଣ୍ଣ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ବିପକ୍ଷ ଦଳର ମୁଖ୍ୟମନ୍ତ୍ରୀମାନଙ୍କୁ ଗିରଫ କରିବା। ସେହିପରି ସେମାନଙ୍କୁ ନିର୍ବାଚନରେ ହରାଇ ନ ପାରିଲେ, ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଗିରଫ କରିବାରେ ଏହା ସହାୟକ ହେବ।”
ଗତ ବର୍ଷ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଅବକାରୀ ନୀତି ଦୁର୍ନୀତି ଅଭିଯୋଗରେ ୬ ମାସ ଜେଲରେ ରହିଥିଲେ। ଏହି ସମୟରେ ସେ ଜେଲରେ ରହି ସରକାର ଚାଳାଇଥିଲେ। ଜାମିନରେ ମୁକୁଳିବା ପରେ ସେ ପଦ ଛାଡ଼ି ଥିଲେ।
ଯଦି ନୂଆ ବିଲ ଲାଗୁ ହୋଇଥାଆନ୍ତା, ତା’ହେଲେ କେଜ୍ରିୱାଲ ଗିରଫ ହେବାର ୩୧ତମ ଦିନରେ ହିଁ ମୁଖ୍ୟମନ୍ତ୍ରୀ ପଦ ଆପେଆପେ ହରାଇ ଥାଆନ୍ତେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Bill_1755679877.jpg)