/odisha-reporter/media/media_files/2026/02/13/pm-modi-2026-02-13-13-35-42.jpg)
ମୋଦି ଓ ତାରିକ
ବାଂଲାଦେଶର ସାଧାରଣ ନିର୍ବାଚନ(Bangladesh Election)ରେ ତାରିକ ରହମନଙ୍କ ଦଳ ବିଏନପି ଐତିହାସିକ ବିଜୟ ହାସଲ କରିବା ଏକ ପ୍ରକାରର ନିଶ୍ଚିତ ହୋଇଛି। ଐତିହାସିକ ବିଜୟ ସହ ଦୀର୍ଘ ୨୦ ବର୍ଷ ପରେ ବିଏନପି ବାଂଲାଦେଶରେ ସରକାର ଗଠନ କରିବାକୁ ଯାଉଛି। ସେହିପରି ୨୦୦୮ରୁ ୨୦୨୫ ଯାଏ ଲଣ୍ଡନରେ ନିର୍ବାସନ ଦଣ୍ଡ ଭୋଗିଥିବା ତାରିକ ରହମନ ବାଂଲାଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ହେବେ।
ବାଂଲାଦେଶରେ ବିଏନପିର ବିଜୟ ପରେ ବଡ଼ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଐତିହାସିକ ବିଜୟ ପାଇଁ ବିଏନପିକୁ ଶୁଭେଚ୍ଛା ଜଣାଇଛନ୍ତି। କୂଟନୀତିକ ତିକ୍ତତା ସତ୍ତ୍ୱେ ଭାରତ ପୂର୍ବଭଳି ଗୋଟିଏ ଗଣତାନ୍ତ୍ରିକ ବାଂଲାଦେଶକୁ ସମର୍ଥନ କରିବା ଜାରି ରଖିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବିଏନପିକୁ ବିଜୟ ଟିକା ପିନ୍ଧାଇଥିବା ତାରିକଙ୍କୁ ଆବେଗ ଭରା ଶୁଭେଚ୍ଛା ଜଣାଇଛନ୍ତି ମୋଦି। ସେ କହିଛନ୍ତି, “ବାଂଲାଦେଶର ସଂସଦୀୟ ନିର୍ବାଚନରେ ବିଏନପିକୁ ନିର୍ଣ୍ଣାୟକ ଜିତ ଦେଇଥିବା ତାରକ ରହମନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି।
ଏହି ବିଜୟ ଆପଣଙ୍କ ନେତୃତ୍ୱରେ ବାଂଲାଦେଶବାସୀଙ୍କ ବିଶ୍ୱାସ ରହିଥିବା କଥାକୁ ଦର୍ଶାଉଛି। ଭାରତ ସବୁବେଳେ ଲୋକତାନ୍ତ୍ରିକ, ପ୍ରଗତିଶୀଳ ଓ ସମାବେଶୀ ବାଂଲାଦେଶର ସମର୍ଥନରେ ଛିଡ଼ା ହେବ। ମୁଁ ଆମର ସମ୍ପର୍କକୁ ଆହୁରି ମଜବୁତ କରିବା ଓ ଆମର ସମୂହ ବିକାଶ ଲକ୍ଷ୍ୟକୁ ଆଗକୁ ବଢ଼ାଇବା ଦିଗରେ ଆପଣଙ୍କ ସହ କାମ କରିବାକୁ ବେଶ ଉତ୍ସାହିତ।” ମୋଦିଙ୍କ ଏହି ଶୁଭେଚ୍ଛା ପୋଷ୍ଟକୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ରିପୋଷ୍ଟ କରିଛନ୍ତି।
ବିଏନପି ବାଂଲାଦେଶର ୩୦୦ ଲୋକସଭା ଆସନରୁ ୨୦୯ଟିରେ ଜିତିବାକୁ ଯାଉଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିବା ପରେ ମୋଦିଙ୍କ ଶୁଭେଚ୍ଛା ମେସେଜ ସାମ୍ନାକୁ ଆସିଛି। ବାଂଲାଦେଶରେ ସରକାର ଗଠନ ପାଇଁ ୧୫୧ ସାଂସଦଙ୍କ ସମର୍ଥନ ଆବଶ୍ୟକ। ଏହାଠାରୁ ବିଏନପି ଯଥେଷ୍ଟ ଅଧିକ ଆସନ ଜିତିଥିବାରୁ ଦେଶରେ ସରକାର ଗଠନ କରିବାକୁ ଯାଉଛି।
ବିଏନପି ମିଡିଆ ସେଲ ପକ୍ଷରୁ ମଧ୍ୟ ଦଳ ବିପୁଳ ଆସନ ଜିତି ବାଂଲାଦେଶରେ ପରବର୍ତ୍ତୀ ସରକାର ଗଠନ କରିବାକୁ ଯାଉଥିବା ମଧ୍ୟ କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
