Advertisment

‘ମୋତେ କ୍ଷମା କରାଯାଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ’

ଶନିବାର ଦଳ ପ୍ରଥମ ପର୍ଯ୍ୟାୟରେ ୧୯୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ନାଁ ସେଥିରେ ନାହିଁ।

Sadhvi Pragya Singh Thakur

Sadhvi Pragya Singh Thakur

Advertisment

୨୦୧୯ ନିର୍ବାଚନରେ ବିଜେପି ଟିକେଟରେ ମଧ୍ୟ ପ୍ରଦେଶର ଭୋପାଳ ଆସନରୁ ବିଜୟୀ ହୋଇ ଲୋକସଭାକୁ ଯାଇଥିଲେ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର। କିନ୍ତୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ତାଙ୍କୁ ଟିକେଟ୍ ଦିଆଯାଇନାହିଁ। ଶନିବାର ଦଳ ପ୍ରଥମ ପର୍ଯ୍ୟାୟରେ ୧୯୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ନାଁ ସେଥିରେ ନାହିଁ। ତାଙ୍କ ବଦଳରେ ଦଳ ପୂର୍ବତନ ମେୟର ଆଲୋକ ଶର୍ମାଙ୍କୁ ଭୋପାଳରୁ ପ୍ରାର୍ଥୀ କରିଛି।

Advertisment

ଟିକେଟ୍ ନମିଳିବା ପରେ ପ୍ରତିକ୍ରିୟା ଦେଇ ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର କହିଛନ୍ତି, ମୁଁ ପୂର୍ବରୁ ବି କେବେ ଟିକେଟ ମାଗି ନଥିଲି। ଏବେ ବି ମାଗି ନାହିଁ। ପୂର୍ବରୁ ମୁଁ ଦେଇଥିବା କିଛି ମନ୍ତବ୍ୟରେ ଏମିତି କିଛି ନିର୍ଦ୍ଦିଷ୍ଟ ଶବ୍ଦର ପ୍ରୟୋଗ କରିଥିଲି, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଲ ଲାଗି ନଥିଲା। ମୋତେ କେବେ ବି କ୍ଷମା କରାଯାଇପାରିବ ନାହିଁ ବୋଲି ସେ କହିଥିଲେ। 

ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଦଳର ନିଷ୍ପତ୍ତିକୁ ଗ୍ରହଣ କରିଛନ୍ତି। ତାଙ୍କୁ କାହିଁକି ଟିକେଟ୍ ଦିଆଗଲା ନାହିଁ, ସେ ବିଷୟରେ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି। ତା’ସହିତ ଦଳ ଛାଡ଼ିବା ନେଇ ତାଙ୍କର କୌଣସି ଯୋଜନା ନାହିଁ। ଦଳର ସଂଗଠନ କାର୍ଯ୍ୟ ପାଇଁ ସେ ସର୍ବଦା ଉପଲବ୍ଧ ରହିବେ ଓ ଯେଉଁ ଦାୟିତ୍ୱ ଦିଆଯିବ ତାକୁ ନିର୍ବାହ କରିବେ ବୋଲି କହିଛନ୍ତି ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର।

Advertisment

ପ୍ରଥମ ପର୍ଯ୍ୟାୟରେ ବିଜେପି ୧୯୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ବିଭିନ୍ନ ରାଜ୍ୟର ୩୦ରୁ ଅଧିକ ସାଂସଦକୁ ଟିକେଟ୍ ଦେଇନି। ସେମାନଙ୍କ ଆସନରେ ନୂଆ ପ୍ରାର୍ଥୀ ଦେଇଛି ଦଳ। ସେମାନଙ୍କ ମଧ୍ୟରେ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଅଛନ୍ତି। ସେ ମାଲେଗାଁଓ ବିସ୍ଫୋରଣ ମାମଲାର ଅଭିଯୁକ୍ତ ଅଛନ୍ତି।

୨୦୧୯ ମେ’ ମାସରେ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଏକ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ ଯେ ନାଥୁରାମ ଗଡସେ ହେଉଛନ୍ତି ପ୍ରକୃତ ଦେଶପ୍ରେମୀ।

ତାଙ୍କର ଏହି ମନ୍ତବ୍ୟକୁ ନେଇ କ୍ଷୁବ୍ଧ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ସେତେବେଳେ କହିଥିଲେ, ଗାନ୍ଧିଜୀ ଅବା ନାଥୁରାମ ଗଡସେଙ୍କ ବିଷୟରେ ଦିଆଯାଇଥିବା ମନ୍ତବ୍ୟଗୁଡ଼ିକ ବହୁତ ଖରାପ ଏବଂ ଏଗୁଡ଼ିକ ସମାଜକୁ ଖରାପ ବର୍ତ୍ତା ଦେଉଛି। ସେ କ୍ଷମା ପ୍ରାର୍ଥନା କରିଛନ୍ତି। କିନ୍ତୁ ମୁଁ ତାଙ୍କୁ ହୃଦୟରୁ କେବେ ବି କ୍ଷମା କରି ପାରିବି ନାହିଁ।

PM Narendra Modi Sadhvi Pragya Singh Thakur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe