ହସ୍ପିଟାଲରେ ମୋଦି
ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୁଇ ଦିନିଆ ଭୁଟାନ ଗସ୍ତରେ ଥିବା ମୋଦି ଆଜି ଭାରତ ଫେରିବା କ୍ଷଣୀ ସିଧା ଦିଲ୍ଲୀର ଲୋକ ନାୟକ ଜୟ ପ୍ରକାଶ(ଏଲଏନଜେପି) ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ସୋମବାର ବିସ୍ଫୋରଣ ପରଠାରୁ ଚିକିତ୍ସିତ ହେଉଥିବା ଲୋକଙ୍କୁ ଭେଟିଥିଲେ। ଡାକ୍ତରଙ୍କ ସହ ସମସ୍ତ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବି ସେ ପଚାରି ବୁଝିଛନ୍ତି। ସୋମବାର ରାଜଧାନୀରେ ହୋଇଥିବା କାର ବିସ୍ଫୋରଣରେ ୧୩ ଜଣ ପ୍ରାଣ ହରାଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିଲେ।
ଏହାକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଘଟଣା ପଛର କାରଣ ଖୋଜା ଚାଲିଛି। ଏସବୁ ଭିତରେ ମୋଦି ଆଜି ଭୁଟାନରୁ ଫେରି ହସ୍ପିଟାଲରେ ପହଞ୍ଚିବା ସହ ଆହତଙ୍କୁ ଭେଟିଛନ୍ତି। ମୋଦି ଆହତମାନଙ୍କ ସହ କଥା ହେବା ବେଳେ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେମାନଙ୍କୁ ସବୁ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମଧ୍ୟ ସେ ଡାକ୍ତରମାନଙ୍କୁ କହିଛନ୍ତି।
ଭେଟଘାଟର ଫୋଟକୁ ଏକ୍ସରେ ପୋଷ୍ଟ କରି ସେ ଦୋଷୀମାନଙ୍କୁ ଆଦୌ ଛଡ଼ା ଯିବ ନାହିଁ ବୋଲି ଦୋହରାଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ହସ୍ପିଟାଲର ପଛ ପାଖରେ ଥିବା ସ୍ୱତନ୍ତ୍ର ଗେଟରେ ମୋଦି ଭିତରକୁ ଯାଇଥିଲେ। ମୁଖ୍ୟ ଫାଟକରେ ଗଣମାଧ୍ୟମର ଭିଡ଼ ହୋଇଥିଲେ ହେଁ ମୋଦି ଅଲଗା ରାସ୍ତାରେ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଛନ୍ତି।
ସେ ଏକ୍ସରେ ଫଟୋ ପୋଷ୍ଟ କରି କହିଛନ୍ତି, “ଏଲଏନଜେପି ହସ୍ପିଟାଲ ଯାଇଥିଲି ଓ ଦିଲ୍ଲୀ ବିସ୍ଫୋରଣରେ ଆହତ ଲୋକଙ୍କୁ ଭେଟିଛି। ସମସ୍ତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଏହି ଷଡ଼ଯନ୍ତ୍ର ପଛରେ ଥିବା ସମସ୍ତଙ୍କୁ ନ୍ୟାୟର କାଡଗଡ଼ାକୁ ଅଣାଯିବ।”
ଏହାପୂର୍ବରୁ ଭୁଟାନ ମାଟିରେ ଦିଲ୍ଲୀ ବିସ୍ଫୋରଣକୁ ନେଇ ବଡ଼ ସଙ୍କେତ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି। ଦିଲ୍ଲୀ ବିସ୍ଫୋରଣ ସତ୍ତ୍ୱେ ମୋଦି ଭୁଟାନ ଗସ୍ତ କରିଥିଲେ। କିନ୍ତୁ ମଙ୍ଗଳବାର ଥିମ୍ଫୁରେ ଆୟୋଜିତ ଗ୍ଲୋବାଲ ପିସ ପ୍ରେୟାର ଫେଷ୍ଟିଭାଲ(ଜିପିପିଏଫ)ରେ ବିସ୍ଫୋରଣ ପଛରେ ଥିବା ଲୋକଙ୍କୁ କଡ଼ା ବାର୍ତ୍ତା ଦେଇଥିଲେ।
ସେ କହିଥିଲେ, “ ଆଜି ମୁଁ ଏଠାକୁ ଅତ୍ୟନ୍ତ ଦୁଃଖ ମନରେ ଆସିଛି। ଗତକାଲି(ସୋମବାର) ଦିଲ୍ଲୀରେ ଯାହା ଘଟିଛି, ତାହା ସମସ୍ତଙ୍କୁ ମର୍ମାହତ କରିଛି। ମୁଁ ପ୍ରଭାବିତ ଲୋକଙ୍କ ପରିବାରର ଦୁଃଖ ଓ ଯନ୍ତ୍ରଣାକୁ ବୁଝି ପାରୁଛି। ପୂରା ଦେଶ ଆଜି ପ୍ରଭାବିତ ଲୋକଙ୍କ ସହ ରହିଛି। ରାତି ସାରା ମୁଁ ସମସ୍ତ ତଦନ୍ତକାରୀ ଏଜେନ୍ସି ସହ ଯୋଗାଯୋଗରେ ରହିଥିଲି।
ଆମ ଏଜେନ୍ସିଗୁଡ଼ିକ ଏହି ଷଡ଼ଯନ୍ତ୍ରର ମୂଳରେ ପହଞ୍ଚିବେ।” ଏସବୁ ହିନ୍ଦୀରେ କହିଥିବା ମୋଦି ହଠାତ୍ ଇଂରାଜୀ ଭାଷାର ପ୍ରୟୋଗ କରିଥିଲେ। ସେ ଥିଲେ “ଏଥିପାଇଁ ଦାୟୀ ସମସ୍ତ ଲୋକଙ୍କୁ ନ୍ୟାୟର କାଠଗଡ଼ାକୁ ଅଣାଯିବ।”
ଏପ୍ରିଲ ୨୨ ପହଲଗାମ ନରସଂହାର ପରେ ଦେଶକୁ ସମ୍ବୋଧନ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ସମାନ ଢଙ୍ଗରେ ନିଜର ହିନ୍ଦୀ ସମ୍ବୋଧନକୁ ଇଂରାଜୀକୁ ବଦଳାଇ ଦେଇଥିଲେ। ସେ ହଠାତ୍ କହିଥିଲେ ଯେ “ଭାରତ ନିଶ୍ଚିତ ଭାବେ ସମସ୍ତ ଆତଙ୍କବାଦୀ ଓ ସେମାନଙ୍କ ସମର୍ଥକଙ୍କୁ ଚିହ୍ନଟ କରିବ, ଧରିବ ଓ ଦଣ୍ଡଦେବ।”
ଏପରି ଇଂରାଜୀ ବୟାନର ଗୋଟିଏ ସପ୍ତାହ ପରେ ଭାରତୀୟ ସେନା ପହଲଗାମ ନରସଂହାରର ବଦଲା ନେବାକୁ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଅପରେସନ ସିନ୍ଦୂର ଜରିଆରେ ଏୟାର ଷ୍ଟ୍ରାଇକ କରିଥିଲା। ଏବେ ମୋଦି( PM Modi ) ସମାନ ଢଙ୍ଗରେ ଦିଲ୍ଲୀ ୧୦/୧୧ ବିସ୍ଫୋରଣ ପଛରେ ଥିବା ସମସ୍ତଙ୍କୁ ଦଣ୍ଡ ଦିଆଯିବ ବୋଲି ଇଂରାଜୀରେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/12/g5i3zhqaqaaduat-2025-11-12-15-41-11.jpg)