Advertisment

ଏୟାରବେସକୁ ଯାଇ ବାୟୁ ବୀରଙ୍କୁ ଭେଟିଲେ ମୋଦି, କହିଲେ ଏମିତି କଥା

ଅପରେସନ ସିନ୍ଦୂରରେ ଆଦମପୁର ଏୟାର ବେସ୍‌ ସକ୍ରିୟ ଭୂମିକା ଗ୍ରହଣ କରିଥିଲା। ଖାସ ଏହି କାରଣ ପାଇଁ ପାକିସ୍ତାନ ଏହା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା।

PM Modi

PM Modi

Advertisment

ପହଲଗାମ ନରସଂହାର, ଅପରେସନ ସିନ୍ଦୂର ଓ ଭାରତ-ପାକିସ୍ତାନ ଅସ୍ତ୍ରବିରତି ଘୋଷଣା ପରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବର ଆଦମପୁର ଏୟାରବେସ୍‌ରେ ପହଞ୍ଚି ବାୟୁ ବୀରଙ୍କୁ ଭେଟିଛନ୍ତି। ଏଠାରେ ସେ ଅପରେସନ ସିନ୍ଦୂରରେ ସାମିଲ ଥିବା ପାଇଲଟ ଓ ବୈଷୟିକ ଟିମର ସଦସ୍ୟଙ୍କ ସହ କଥା ହୋଇଛନ୍ତି। ଏଥିସହ ବାୟୁ ସେନାର ସୈନ୍ୟଙ୍କ ସହ ସମୟ ବିତାଇଛନ୍ତି।

Advertisment

ଏପ୍ରିଲ ୨୨ ପହଲଗାମ ନରସଂହାରର ବଦଲା ନେବାକୁ ଭାରତୀୟ ସେନା ମେ’ ୭ରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରି ଦେଇଥିଲା। ଏହାପରେ ପାକିସ୍ତାନ ସେନା ଭାରତର ସାମରିକ ପ୍ରତିଷ୍ଠାନ ଓ ଜନବସତିକୁ ଟାର୍ଗେଟ କରିବାରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ୩ ଦିନର ବିବାଦୀୟ ସ୍ଥିତି ପରେ ଦୁଇ ଦେଶ ମଧ୍ୟ ଅସ୍ତ୍ରବିରତି ଲାଗୁ ହୋଇଛି।  

ଅପରେସନ ସିନ୍ଦୂର ପରେ ପାକିସ୍ତାନ ସେନା ମେ’ ୯ ଓ ୧୦ରେ କରିଥିବା ହମଲାର ଟାର୍ଗେଟରେ ଆଦମପୁର ଏୟାର ବେସ୍‌ ରହିଥିଲା। କିନ୍ତୁ ଭାରତୀୟ ସେନାର ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ସବୁ ଉଦ୍ୟମକୁ ପଣ୍ଡ କରି ଦେଇଥିଲା। ପାକିସ୍ତାନ ଦାବି କରିଥିଲା ଯେ ଜେଏଫ-୧୭ ଯୁଦ୍ଧ ବିମାନରୁ ମାଡ଼ ହୋଇଥିବା ହାଇପରସୋନିକ ମିସାଇଲ ଆଦମପୁର ଏୟାରବେସରେ ଲାଗିଥିବା ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ୱଂସ କରି ଦେଇଥିଲା। ହେଲେ ଭାରତୀୟ ସେନା ଏହାକୁ ଖଣ୍ଡନ କରିଛି। ଆଦମପୁର ଏୟାରବେସ୍‌ ସଂପୂର୍ଣ୍ଣ ସୁରକ୍ଷିତ ଥିବା ଆଜି ମୋଦିଙ୍କ ଗସ୍ତ ପରେ ମଧ୍ୟ ସ୍ପଷ୍ଟ ହୋଇଛି।

Advertisment

ବାୟୁ ବୀରଙ୍କୁ ଭେଟିବା ପରେ ମୋଦି ଏକ୍ସରେ କହିଛନ୍ତି ଯେ “ଆଜି ସକାଳେ ମୁଁ ଏଏଫଏସ୍‌ ଆଦମପୁର ଯାଇଥିଲି ଓ ସେଠାରେ ଆମର ବୀର ବାୟୁ ଯୋଦ୍ଧା ଓ ସୈନ୍ୟମାନଙ୍କୁ ଭେଟିଥିଲି। ସାହସ, ଦୃଢ଼ ସଂକଳ୍ପ ଓ ବୀରତାର ପ୍ରତୀକ ସାଜିଥିବା ଲୋକଙ୍କ ସହ ରହିବା ବହୁତ ଖାସ ଅନୁଭବ। ଦେଶ ପାଇଁ ସବୁ କିଛି କରୁଥିବା ଆମର ସଶସ୍ତ୍ରବଳଙ୍କ ପାଖରେ ଭାରତ ସବୁବେଳେ କୃତଜ୍ଞ ରହିବ।” ମୋଦି ବାୟୁ ବୀରଙ୍କୁ ଭେଟିବା ବେଳର ଫଟୋ ଓ ଭିଡିଓ ମଧ୍ୟ ଶେୟାର କରିଛନ୍ତି।

ମେ’ ୭ରେ ଭାରତୀୟ ସେନା କରିଥିବା ଅପରେସନ ସିନ୍ଦୂରକୁ ପ୍ରଧାନମନ୍ତ୍ରୀ ମୋଦି ସୋମବାର ଦେଶବାସୀଙ୍କୁ ସମ୍ବୋଧନ କରିବା ବେଳେ ପ୍ରଶଂସା କରିଥିଲେ। ଏହାର ଦିନକ ପରେ ସେ ଆଦମପୁର ଏୟାରବେସରେ ପହଞ୍ଚି ବାୟୁ ବୀରମାନଙ୍କୁ ଭେଟିଛନ୍ତି।

ଅପରେସନ ସିନ୍ଦୂରରେ ଆଦମପୁର ଏୟାର ବେସ୍‌ ସକ୍ରିୟ ଭୂମିକା ଗ୍ରହଣ କରିଥିଲା। ଖାସ ଏହି କାରଣ ପାଇଁ ପାକିସ୍ତାନ ଏହା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଆଦମପୁର ବ୍ୟତୀତ ଭାଠିଣ୍ଡା, ଉଧମପୁର, ପଠାନକୋଟ ଓ ଚଣ୍ଡିଗଡ଼ ସ୍ଥିତ ଏୟାରବେସ୍‌କୁ ମଧ୍ୟ ପାକିସ୍ତାନ ଟାର୍ଗେଟ କରିଥିଲା। ହେଲେ ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ସବୁ ପ୍ରକାରର ଉଦ୍ୟମରେ ପାଣି ପକାଇ ଦେଇଥିଲା।

PM Modi Jammu Kashmir Operation Sindoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe