/odisha-reporter/media/post_attachments/uploadimage/library/16_9/16_9_0/Biden_1703070870.jpg)
Biden
ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁକୁ ଆମେରିକାରେ ହତ୍ୟା ପାଇଁ ହୋଇଥିବା ଷଡ଼ଯନ୍ତ୍ର ପଛରେ ଭାରତର ହାତ ଥିବା ଅଭିଯୋଗ ହୋଇଛି। ଆମେରିକା ଏପରି ଅଭିଯୋଗ ଆଣିବା ସହ ଭାରତ ସରକାରଙ୍କୁ ମଧ୍ୟ ଜଣାଇଥିଲା। ଏବେ ଏହି ଘଟଣା ଉପରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୱାଶିଂଟନ ଦେଇଥିବା ବା ଦେବାକୁ ଥିବା ସମସ୍ତ ପ୍ରମାଣକୁ ଭାରତ ସରକାର ଭଲ ଭାବେ ଯାଞ୍ଚ କରିବେ ବୋଲି ମୋଦି କହିଛନ୍ତି।
ଗୋଟିଏ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଏମିତି କିଛି ଘଟଣା ଭାରତ ଓ ଆମେରିକା ମଧ୍ୟରେ ଥିବା ସମ୍ପର୍କକୁ ପ୍ରଭାବିତ କରିପାରିବ ନାହିଁ। ଭାରତ ସବୁବେଳେ ପ୍ରଚଳିତ ଆଇନାରେ ବିଶ୍ୱାସ କରେ। ଭାରତ ପାଖକୁ ଏ ସମ୍ପର୍କରେ ପ୍ରମାଣ ଆସିଲେ, ନିଶ୍ଚିତ ଭାବେ ଯାଞ୍ଚ କରାଯିବ। ଯଦି ଆମର କୌଣସି ନାଗରିକ କିଛି ଭୁଲ କିମ୍ବା ଠିକ କରିଛନ୍ତି, ଆମେ ଏହାକୁ ଜାଣିବା ପାଇଁ ପ୍ରସ୍ତୁତ। ଆଇନ ପ୍ରତି ଆମେ ସବୁବେଳେ ପ୍ରତିଶ୍ରୁତିବଦ୍ଧ ବୋଲି ମୋଦି କହିଛନ୍ତି।
ପନ୍ନୁକୁ ଆମେରିକାରେ ହତ୍ୟା କରିବା ପାଇଁ ଭାରତ ଷଡ଼ଯନ୍ତ୍ର କରିଥିବା ପ୍ରଥମେ ୱାଶିଂଟନ ପକ୍ଷରୁ ଦାବି କରାଯାଇଥିଲା। ଏହି ଘଟଣାକୁ ୱାଶିଂଟନ ବେଶ ଗୁରୁତର ସହ ନେଇଥିବା ମଧ୍ୟ କହିଥିଲା। ଆମେରିକା ପକ୍ଷରୁ ଭାରତ ସରକାରଙ୍କୁ ଏ ବାବଦରେ ଅବଗତ ମଧ୍ୟ କରାଯାଇଥିଲା।
ତେବେ ମୋଦିଙ୍କ କହିବା କଥା ଯେ ଘଟଣା ପଛରେ କୌଣସି କୂଟନୀତିକ ତ୍ରୁଟି ନାହିଁ। ଭାରତ-ଆମେରିକା ସମ୍ପର୍କକୁ ସଶକ୍ତ କରିବା ପାଇଁ ଅଖଣ୍ଡ ସମର୍ଥନ ରହିଛି। ଏହା ବଳିଷ୍ଠ ଓ ସ୍ଥିର ଭାଗିଦାରୀର ସଙ୍କେତ। ସୁରକ୍ଷା ଓ ଆତଙ୍କବାଦ ନିରୋଧ ଅପରେସନ ଆମ ଭାଗିଦାରୀ ମୂଳ ଲକ୍ଷ୍ୟ। ତେଣୁ ଏମିତି କିଛି ଘଟଣାକୁ ଦୁଇ ଦେଶର କୂଟନୀତିକ ସମ୍ପର୍କ ସହ ଯୋଡ଼ିବା ଆଦୌ ଠିକ ନୁହେଁ ବୋଲି ସେ କହିଛନ୍ତି।
ବିଦେଶରେ ରହୁଥିବା ଖଲିସ୍ତାନୀ ଆତଙ୍କବାଦୀମାନେ ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିବାରୁ ମୋଦି ଚିନ୍ତା ପ୍ରକଟ କରିଛନ୍ତି। ଏହି ତତ୍ତ୍ୱମାନେ ବାକ ସ୍ୱାଧୀନତା ନାଁରେ ଧମକ ଦେବା ସହ ହିଂସା ପାଇଁ ଲୋକଙ୍କୁ ଉସକାଉଥିବା ପ୍ରଧାନମନ୍ତ୍ରୀ ମୋଦି ମତ ରଖିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
