PM Narendra Modi
ସାରା ଦେଶ ଆଜି ପାଳନ କରୁଛି ୭୯ତମ ସ୍ୱାଧୀନତା ଦିବସ। ଏହି ଅବସରରେ ଦିଲ୍ଲୀର ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାତୀୟ ପତାକା ଉତ୍ତୋଳନ କରିବା ପରେ ପ୍ରଧାନମନ୍ତ୍ରୀ ୧୦୩ ମିନିଟ୍ ଧରି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ, ଯାହା ଦେଶର ସ୍ୱାଧୀନତା ଦିବସ ଇତିହାସର ସବୁଠୁ ଲମ୍ବା ଅଭିଭାଷଣ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ୭ଟା ୩୩ ମିନିଟ୍ରେ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ୯ଟା ୧୬ ମିନିଟ୍ରେ ସେ ଅଭିଭାଷଣ ବନ୍ଦ କରିଥିଲେ। ଏହା ସହିତ ସେ ତାଙ୍କର ପୂର୍ବ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ୨୦୨୪ ସ୍ୱାଧୀନତା ଦିବସରେ ସେ ୯୮ ମିନିଟ୍ ଧରି ଭାଷଣ ଦେଇଥିଲେ।
ପୂର୍ବର ପ୍ରଧାନମନ୍ତ୍ରୀମାନଙ୍କ ଅପେକ୍ଷା ମୋଦିଙ୍କର ସ୍ୱାଧୀନତା ଦିବସ ଅଭିଭାଷଣ ଅପେକ୍ଷାକୃତ ଲମ୍ବା ରହିଆସିଛି। ୨୦୨୩ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୦ ମିନିଟ୍ ଧରି ଦେଶକୁ ସମ୍ବୋଧିତ କରିଥିଲେ। ୨୦୧୬ ସ୍ୱାଧୀନତା ଦିବସରେ ତାଙ୍କ ଅଭିଭାଷଣର ଅବଧି ୯୬ ମିନିଟ୍ ରହିଥିବା ବେଳେ ୨୦୧୯ ସ୍ୱାଧୀନତା ଦିବସରେ ସେ ୯୨ ମିନିଟ୍ ଧରି ଭାଷଣ ଦେଇଥିଲେ।
ସ୍ୱାଧୀନତା ଦିବସରେ ସବୁଠୁ ଲମ୍ବା ସମୟ ଧରି ଭାଷଣ ଦେବାର ରେକର୍ଡ ଥିଲା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ନାଁରେ। ୧୯୪୭ ମସିହାରେ ସେ ୭୨ ମିନିଟ୍ ଧରି ଭାଷଣ ଦେଇଥିଲେ। ତାଙ୍କ ପଛକୁ ରହିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଆଇକେ ଗୁଜରାଲ। ୧୯୯୭ ମସିହା ସ୍ୱାଧୀନତା ଦିବସରେ ସେ ୭୧ ମିନିଟ୍ ଧରି ଦେଶକୁ ସମ୍ବୋଧିତ କରିଥିଲେ। ତେବେ ୨୦୧୫ ମସିହାରେ ଏହି ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ରେକର୍ଡ ଭାଙ୍ଗିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହି ବର୍ଷ ସ୍ୱାଧୀନତା ଦିବସରେ ସେ ୮୫ ମିନିଟ୍ ଧରି ଭାଷଣ ଦେଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରଥମ ସ୍ୱାଧୀନତା ଦିବସ ଅଭିଭାଷଣ ଦେଇଥିଲେ ୨୦୧୪ ମସିହାରେ। ସେଥର ସେ ୬୫ ମିନିଟ୍ ପାଇଁ ଭାଷଣ ଦେଇଥିଲେ। ୨୦୧୭ ସ୍ୱାଧୀନତା ଦିବସରେ ସେ ୫୬ ମିନିଟ୍ ଧରି ଦେଶକୁ ସମ୍ବୋଧିତ କରିଥିଲେ, ଯାହା ତାଙ୍କର ସବୁଠୁ ଛୋଟ ସ୍ୱାଧୀନତା ଦିବସ ଅଭିଭାଷଣ।
ସ୍ୱାଧୀନତା ଦିବସରେ ସବୁଠୁ କମ୍ ସମୟ ପାଇଁ ଭାଷଣ ଦେବାର ରେକର୍ଡ ରହିଛି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଓ ଇନ୍ଦିରା ଗାନ୍ଧୀଙ୍କ ନାଁରେ। ୧୯୫୪ ମସିହା ସ୍ୱାଧୀନତା ଦିବସରେ ଜବାହରଲାଲ ନେହରୁ ମାତ୍ର ୧୪ ମିନିଟ୍ ପାଇଁ ଭାଷଣ ଦେଇଥିଲେ। ସେହିପରି ୧୯୬୬ ମସିହା ସ୍ୱାଧୀନତା ଦିବସରେ ଇନ୍ଦିରା ଗାନ୍ଧୀ ମଧ୍ୟ ୧୪ ମିନିଟ୍ ପାଇଁ ଦେଶକୁ ସମ୍ବୋଧିତ କରିଥିଲେ। ୨୦୧୨ ଓ ୨୦୧୩ ମସିହା ସ୍ୱାଧୀନତା ଦିବସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଯଥାକ୍ରମେ ୩୨ ଓ ୩୫ ମିନିଟ୍ ପାଇଁ ଭାଷଣ ଦେଇଥିଲେ। ୨୦୦୨ ଓ ୨୦୦୩ ସ୍ୱାଧୀନତା ଦିବସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଯଥାକ୍ରମେ ୨୫ ଓ ୩୦ ମିନିଟ୍ ପାଇଁ ଦେଶକୁ ସମ୍ବୋଧିତ କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ଆଜି ଆଉ ଏକ ରେକର୍ଡ ମଧ୍ୟ ଯୋଡ଼ି ହୋଇଛି। ଲଗାତାର ୧୨ ଥର ସ୍ୱାଧୀନତା ଦିବସ ଅଭିଭାଷଣ ଦେବାରେ ସେ ବନିଯାଇଛନ୍ତି ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ। ତାଙ୍କ ଆଗରେ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ। ସେ ଲଗାତାର ୧୭ ଥର ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିବା ସହିତ ଦେଶକୁ ସମ୍ବୋଧିତ କରିଥିଲେ।
ଆଜିର ୧୦୩ ମିନିଟ୍ର ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରେସନ ସିନ୍ଦୂର, ସିନ୍ଧୁ ନଦୀ ଚୁକ୍ତି, ଆତ୍ମନିର୍ଭର ଭାରତ ଠାରୁ ଆରମ୍ଭ କରି ଦେଶର ପରମାଣୁ ଶକ୍ତି, ଜିଏସ୍ଟିରେ ସଂସ୍କାର, ଅନୁପ୍ରବେଶ ଏବଂ ଚାଷୀ ଓ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ ଆଦି ବ୍ୟାପକ ବିଷୟରେ କହିଥିଲେ। ତା’ ସହିତ ଯୁବବର୍ଗଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ବିକଶିତ ଭାରତ ରୋଜଗାର ଯୋଜନା ଘୋଷଣା କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1755243720.jpg)