Advertisment

ବୋହରା ମୁସଲିମ ସଂପ୍ରଦାୟଙ୍କ ପାଖରେ ମୋଦି, ନୂଆ ଏକାଡେମୀର କଲେ ଉଦଘାଟନ

ପ୍ରଧାନମନ୍ତ୍ରୀ ନିଜକୁ ଦାଉଦୀ ବୋହରା ମୁସଲିମ ସଂପ୍ରଦାୟର ପରିବାର ସଦସ୍ୟ ବୋଲି ମଧ୍ୟ କହିଛନ୍ତି

author-image
Hemant Lenka
 Bohra Muslims

Bohra Muslims

ବ୍ରିହାନମୁମ୍ବାଇ ପୌରପାଳିକା ନିର୍ବାଚନ ପୂର୍ବରୁ ମୁମ୍ବାଇର ଦାଉଦୀ ବୋହରା ମୁସଲିମ ସଂପ୍ରଦାୟର ଲୋକଙ୍କୁ ନିଜ ଆଡ଼କୁ ଆଣିବାକୁ ଚେଷ୍ଟା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ମୋଦି ଉକ୍ତ ସଂପ୍ରଦାୟର ଲୋକଙ୍କ ପାଖରେ ପହଞ୍ଚିବା ସହ ସେମାନଙ୍କର ଗୋଟିଏ ନୂଆ ଶିକ୍ଷାନୁଷ୍ଠାନକୁ ଉଦଘାଟନ କରିଛନ୍ତି। ଦାଉଦୀ ବୋହରା ମୁସଲିମ ସଂପ୍ରଦାୟର ଦବଦବା ମୁମ୍ବାଇରେ ବେଶ ଅଧିକ ରହିଛି। ତେଣୁ ମୋଦି ଏବେଠାରୁ ସେମାନଙ୍କ ସହ ମିଶି ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଥିବା କୁହାଯାଉଛି।

Advertisment

ନୂଆ କ୍ୟାମ୍ପସ ଅଲଜାମେଆ –ତୁସ-ସୈଫିୟା ବା ଦି ସୈଫୀ ଏକାଡେମୀକୁ ମୋଦି ଉଦଘାଟନ କରିଛନ୍ତି। ଏଥିସହ ଏହାର ମୁଖ୍ୟ ସୟିଦନା ମୁଫାଡଲ ସୈଫୁଦ୍ଦିନଙ୍କ ହାତରେ ହାତ ରଖି ଚାଲିଛନ୍ତି। ଅନ୍ଧେରୀ ଉପକଣ୍ଠ ମାରୋଲ ଠାରେ ଦାଉଦୀ ବୋହରା ମୁସଲିମ ସଂପ୍ରଦାୟର ମୂଳ ଶିକ୍ଷାନୁଷ୍ଠାନରେ ହିଁ ଏହି ନୂଆ କ୍ୟାମ୍ପସର ଉଦଘାଟନ ହୋଇଛି। ଏହାର ପ୍ରିନ୍ସିପାଲ ହେଉଛନ୍ତି ସୈଫୁଦ୍ଦିନ।

ପ୍ରଧାନମନ୍ତ୍ରୀ ନିଜକୁ ଦାଉଦୀ ବୋହରା ମୁସଲିମ ସଂପ୍ରଦାୟର ପରିବାର ସଦସ୍ୟ ବୋଲି ମଧ୍ୟ କହିଛନ୍ତି। ସେ କହିଛନ୍ତି, “ସୟିଦନା ସାହେବଙ୍କ ପରିବାରର ୪ ପିଢ଼ିଙ୍କୁ ମୁଁ ଜାଣିଛି। ମୁଁ ଏଠାକୁ ପ୍ରଧାନମନ୍ତ୍ରୀ ଭାବେ ନୁହେଁ, ବରଂ ପରିବାରର ସଦସ୍ୟ ହିସାବରେ ଆସିଛି। ଆପଣ ଏହି ଇନଷ୍ଟିଚ୍ୟୁଟକୁ ପ୍ରତିଷ୍ଠା କରି ୧୫୦ ବର୍ଷ ତଳର ସ୍ୱପ୍ନକୁ ପୂରଣ କରିଛନ୍ତି।”

Advertisment

ଏହି ଇନଷ୍ଟିଚ୍ୟୁଟରେ ଉକ୍ତ ସଂପ୍ରଦାୟର ପିଲାମାନଙ୍କୁ ପାରମ୍ପରିକ ଶିକ୍ଷା ପ୍ରଦାନ କରାଯାଏ। ନୂଆ କେନ୍ଦ୍ରଟି ଏବେ ଆରବିକ ଶିକ୍ଷାରେ ସହାୟତା କରିବ।

ପ୍ରଧାନମନ୍ତ୍ରୀ ମୋଦି ମାସକ ମଧ୍ୟରେ ଦ୍ୱିତୀୟ ଥର ଆଜି ମୁମ୍ବାଇ ଗସ୍ତ କରି ବିଭିନ୍ନ ଭିତ୍ତିଭୂମିର ଶୁଭାରମ୍ଭ କରିଛନ୍ତି। ଏହାପୂର୍ବରୁ ଜାନୁଆରୀ ୧୯ ମୋଦି ମୁମ୍ବାଇରେ ୩୮ ହଜାର କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

Narendra Modi