Advertisment

ଟାରିଫ ଝଟକାକୁ ନେଇ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, କିନ୍ତୁ ଟ୍ରମ୍ପ କିମ୍ବା ଆମେରିକା ନାଁ ନେଲେନି

ଆମେରିକା ଓ ଟ୍ରମ୍ପଙ୍କୁ ପରୋକ୍ଷରେ ମୋଦି କଡ଼ା ବାର୍ତ୍ତା ଦେଇଛନ୍ତି। ଭାରତ ତା’ର ଚାଷୀ ଓ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ ସହ କେବେ ହେଲେ ସାଲିସ କରିପାରିବ ନାହିଁ। ଏଥିପାଇଁ ତାଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ମୋଦି ଜାଣିଥିବା କହିଥିଲେ ହେଁ ଦେଶର ଚାଷୀଙ୍କ ପାଇଁ ଏପରି ରିସ୍କ ନେବାକୁ ସେ ପ୍ରସ୍ତୁତ ଥିବା ସମସ୍ତଙ୍କୁ ଜଣାଇ ଦେଇଛନ୍ତି।

author-image
Hemant Lenka
Trump

Trump

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ବିରୋଧରେ ଏବେ ଟାରିଫ ଯୁଦ୍ଧ ଆରମ୍ଭ କରି ଦେଇଛନ୍ତି। ଭାରତ ରପ୍ତାନୀ କରୁଥିବା ସାମଗ୍ରୀ ଉପରେ ଟ୍ରମ୍ପ ୫୦% ଶୁଳ୍କ ଲଗାଇ ସାରିଛନ୍ତି। ରୁଷ ସହ ବ୍ୟବସାୟ ଜାରି ରଖିଲେ ଭାରତ ଉପରେ ଆହୁରି ବଡ଼ କଟକଣା ଲଗାଇବାକୁ ଟ୍ରମ୍ପ ବାରମ୍ବାର ଧମକ ମଧ୍ୟ ଦେଇ ଚାଲିଛନ୍ତି।

Advertisment

ଏସବୁ ଭିତରେ ଭାରତକୁ ଆମେରିକା ପକ୍ଷରୁ ଲାଗିଥିବା ଟାରିଫ ଝଟକାକୁ ନେଇ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେରିକା ଓ ଟ୍ରମ୍ପଙ୍କୁ ପରୋକ୍ଷରେ ମୋଦି କଡ଼ା ବାର୍ତ୍ତା ଦେଇଛନ୍ତି। ଭାରତ ତା’ର ଚାଷୀ ଓ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ ସହ କେବେ ହେଲେ ସାଲିସ କରିପାରିବ ନାହିଁ। ଏଥିପାଇଁ ତାଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ମୋଦି ଜାଣିଥିବା କହିଥିଲେ ହେଁ ଦେଶର ଚାଷୀଙ୍କ ପାଇଁ ଏପରି ରିସ୍କ ନେବାକୁ ସେ ପ୍ରସ୍ତୁତ ଥିବା ସମସ୍ତଙ୍କୁ ଜଣାଇ ଦେଇଛନ୍ତି।

କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଏତେ କଥା କହିଥିଲେ ହେଁ ନିଜ ଅଭିଭାଷଣରେ ସେ ଆମେରିକା କିମ୍ବା ରାଷ୍ଟ୍ରପତି ଟ୍ରମ୍ପଙ୍କ ନାଁ ଥରୁଟିଏ ବି ଉଚ୍ଚାରଣ କରି ନାହାନ୍ତି। ଟ୍ରମ୍ପ ବାରମ୍ବାର ଭାରତର ନାଁ ନେଇ ଧମକ ଦେଉଥିଲେ ହେଁ ମୋଦି ଏ ସମ୍ପର୍କରେ କିଛି ବି କହି ନାହାନ୍ତି। ଏହାପୂର୍ବରୁ ଭାରତ-ପାକିସ୍ତାନ ଯୁଦ୍ଧ ବିରତିକୁ ଟ୍ରମ୍ପ ବାଣିଜ୍ୟର ଧମକ ଦେଇ କରିଥିବା କହିଥିଲେ। ଏହାକୁ ପ୍ରଧାନମନ୍ତ୍ରୀ ମୋଦି ଲୋକସଭାରେ ଖଣ୍ଡନ କରିଥିଲେ ହେଁ ସେତେବେଳେ ମଧ୍ୟ ଟ୍ରମ୍ପ କିମ୍ବା ଆମେରିକାର ନାଁ ନେଇ ନଥିଲେ।

Advertisment

ଟ୍ରମ୍ପ ଯୁଦ୍ଧ ବିରତି ସମ୍ପର୍କରେ ମିଛ କହୁଛନ୍ତି ବୋଲି ମୋଦି ସିଧାସଳଖ କହି ପାରି ନଥିଲେ। ସେ କେବଳ କୌଣସି ରାଷ୍ଟ୍ର ଭାରତ ଉପରେ ଯୁଦ୍ଧ ବିରତି ପାଇଁ ଚାପ ପକାଇ ନଥିଲେ ବୋଲି କହିଥିଲେ। ଏବେ ଟାରିଫ ପ୍ରସଙ୍ଗରେ ମଧ୍ୟ ମୋଦି ଟ୍ରମ୍ପ କିମ୍ବା ଆମେରିକାର ନାଁ ଏଯାଏ ନେଇ ନାହାନ୍ତି।

ଆଜି ଦିଲ୍ଲୀରେ ଆୟୋଜିତ ଏମଏସ୍‌ ସ୍ୱାମୀନାଥନ ଶତବାର୍ଷିକୀ ଅନ୍ତର୍ଜାତୀୟ କନଫରେନ୍ସରେ ମୋଦି କହିଛନ୍ତି, “ଚାଷୀଙ୍କ ସ୍ୱାର୍ଥ ଆମ ପାଇଁ ସର୍ବୋପରି। ଭାରତ କେବେ ହେଲେ ବି ତା’ର ଚାଷୀ, ପଶୁ ପାଳକ ଓ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ ସହ ବୁଝାମଣା କରିପାରିବ ନାହିଁ। ମୁଁ ଜାଣିଛି ବ୍ୟକ୍ତିଗତ ଭାବେ ମୋତେ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ। କିନ୍ତୁ ଏଥିପାଇଁ ମୁଁ ପ୍ରସ୍ତୁତ। ଦେଶର ଚାଷୀ ଓ ପଶୁ ପାଳକଙ୍କ ପାଇଁ ଭାରତ ମଧ୍ୟ ପ୍ରସ୍ତୁତ।”

ସବୁଜ ବିପ୍ଳବର ବିନ୍ଧାଣୀ ଏମଏସ୍‌ ସ୍ୱାମୀନାଥନଙ୍କୁ ସମ୍ମାନ ଜଣାଇ ମୋଦି କହିଛନ୍ତି, “ଖାଦ୍ୟ ସୁରକ୍ଷା ପରମ୍ପରାକୁ ଆଗକୁ ବଢ଼ାଇ ସମସ୍ତଙ୍କ ପାଇଁ ପୋଷଣ ସୁରକ୍ଷାକୁ ସୁନିଶ୍ଚିତ କରିବା ଆମ କୃଷି ବୈଜ୍ଞାନିକଙ୍କ ଆଗାମୀ ଲକ୍ଷ୍ୟ ହେବା ଦରକାର।”

ଭାରତ ପକ୍ଷରୁ ଆମେରିକାକୁ ବିପୁଳ ପରିମାଣର କୃଷି ଜାତୀୟ ଦ୍ରବ୍ୟ ରପ୍ତାନୀ କରାଯାଏ। ଏବେ ଏହି କ୍ଷେତ୍ର ଟ୍ରମ୍ପଙ୍କ ଟାରିଫ ଯୋଗୁ ସବୁ ଠାରୁ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ପୂର୍ବରୁ ଆମେରିକା ପକ୍ଷରୁ ଭାରତୀୟ ଦ୍ରବ୍ୟ ଉପରେ ୨୫%ର ଟାରିଫ ଲଗା ଯାଇଥିଲା। ତଥାପି ରୁଷ ଠାରୁ ଭାରତ ତେଲ କିଣା ଜାରି ରଖିବାରୁ ଟ୍ରମ୍ପ ବୁଧବାର ଆଉ ୨୫% ଟାରିଫ ଭାରତ ଉପରେ ଲାଗୁ କରିଥିଲେ। ଏବେ ଭାରତୀୟ ଦ୍ରବ୍ୟ ଉପରେ ୫୦% ଟାରିଫ ଲାଗୁ ହେବ।

ଟ୍ରମ୍ପଙ୍କ ଏପରି ଟାରିଫ ନୀତିକୁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ “ଅନୁଚିତ, ଅଯୌତିକ ଓ ଅଯଥା” ବୋଲି କୁହାଯାଇଛି। ମନ୍ତ୍ରଣାଳୟ ବୁଧବାର ଏପରି କଥା କହିଥିବା ବେଳେ ଆଜି ମୋଦି ଆମେରିକା କିମ୍ବା ଟ୍ରମ୍ପଙ୍କ ନାଁ ନେଇ କେବଳ ଚାଷୀଙ୍କ ସ୍ୱାର୍ଥରେ କୌଣସି ସାଲିସ କରାଯିବ ନାହିଁ ବୋଲି କହିଛନ୍ତି।

ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଡିଲ ପାଇଁ ଆଲୋଚନା ଚାଲିଥିବା ବେଳେ ଏହା ଅଧାରେ ଅଟକି ଯାଇଛି। ଆମେରିକା ତା’ର କୃଷି ଜାତୀୟ ଓ ଦୁଗ୍ଧ ଜାତୀୟ ଦ୍ରବ୍ୟକୁ ଏଠାରେ ପ୍ରୋତ୍ସାହିତ କରିବାକୁ ଚାହୁଁଛି। ହେଲେ ଭାରତ ଏଥିରେ ରାଜି ହେଉ ନାହିଁ। ମକା, ସୋୟାବିନ, ସେଓ, ଆଲମଣ୍ଡ ଭଳି ସମ୍ବେଦନଶୀଳ ଦ୍ରବ୍ୟ ଉପରେ ଭାରତ ଟାରିଫ ହ୍ରାସ କରୁ ବୋଲି ଆମେରିକା ଚାପ ପକାଉଛି।

ଭାରତର କହିବା କଥା ଯେ ଯଦି ଆମେରିକା ଦ୍ରବ୍ୟ ଉପରେ ସବସିଡି ଦିଆଯିବ, ତା’ହେଲେ ଦେଶର ଲକ୍ଷଲକ୍ଷ କ୍ଷୁଦ୍ର ଚାଷୀ ଏହାଦ୍ୱାରା ପ୍ରଭାବିତ ହେବେ। ବର୍ତ୍ତମାନ ପରିସ୍ଥିତିରେ ଦୁଗ୍ଧ, ଚାଉଳ, ଅଟା, ମକା ଓ ସୋୟାବିନ ଭଳି ଦ୍ରବ୍ୟ ଉପରେ ଟାରିଫ ହ୍ରାସ କରିବା ସମ୍ଭବ ନୁହେଁ। ଏହାଦ୍ୱାରା ଭାରତର ୭୦୦ ମିଲିୟନ ଗ୍ରାମାଞ୍ଚଳ ଲୋକ ପ୍ରଭାବିତ ହେବ। ଏମାନଙ୍କ ମଧ୍ୟରେ ୮୦ ନିୟୁତ ଛୋଟ ଦୁଗ୍ଧ ଚାଷୀ ମଧ୍ୟ ରହିଛନ୍ତି। ଭାରତର ଏପରି ଆଭିମୁଖ୍ୟ ଆମେରିକାକୁ କ୍ଷୁବ୍ଧ କରିଛି।

PM Modi Donald Trump