Advertisment

ଡୋମିନିକାର ସର୍ବୋଚ୍ଚ ସମ୍ମାନ ପାଇବେ ପ୍ରଧାନମନ୍ତ୍ରୀ ମୋଦି

କୋଭିଡ୍-୧୯ ସମୟରେ ଡୋମିନିକାକୁ ୭୦ ହଜାର କୋଭିଡ ଟିକା ଦେଇଥିଲା ଭାରତ। କୃତଜ୍ଞତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଦେବାକୁ ଘୋଷଣା କରିଛି ଡୋମିନିକା।

author-image
Debadatta Aryashrestha
PM Modi

PM Modi

ଡୋମିନିକାର ସର୍ବୋଚ୍ଚ ସମ୍ମାନ ପାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର ଏହି କାରବୀୟ ଆଇଲ୍ୟାଣ୍ଡ ପକ୍ଷରୁ ଦେଶର ସର୍ବୋଚ୍ଚ ସମ୍ମାନ 'ଦି ଡୋମିନିକା ଆୱର୍ଡ ଅଫ୍ ଅନର୍' ଘୋଷଣା କରାଯାଇଛି। କୋଭିଡ୍-୧୯ ସମୟରେ ଭାରତରୁ ୭୦ ହଜାର କୋଭିଡ୍ ଟିକା ଡୋମିନିକା ପଠାଯାଇଥିଲା। ଏହି ଅବଦାନକୁ ସମ୍ମାନ ଜଣାଇ ଡୋମିନିକା ଏହାର ସର୍ବୋଚ୍ଚ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ଘୋଷଣା କରିଛି।

Advertisment

ଚଳିତ ନଭେମ୍ବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଗୁୟାନାର ଜର୍ଜଟାଉନରେ ଅନୁଷ୍ଠିତ ହେବ ଭାରତ-କ୍ୟାରିକମ୍ ଶିଖର ସମ୍ମିଳନୀ। ଏହି ସମ୍ମିଳନୀରେ ଡୋମିନିକା ରାଷ୍ଟ୍ରପତି ସିଲଭାନୀ ବର୍ଟୋନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରିବେ। ପ୍ରକାଶ ଥାଉ, ୨୦୨୧ ଫେବୃଆରୀ ମାସ କୋଭିଡ୍ ମହାମାରୀ ସମୟରେ ଭାରତ ୭୦ ହଜାର 'ଆଷ୍ଟ୍ରଜେନେକା' କୋଭିଡ ଟିକା ଡୋମିନିକା ପଠାଇଥିଲା। ଏହି ଟିକାରେ ଡୋମିନିକା ନିଜ ଦେଶର ନାଗରିକଙ୍କ ଜାବନ ବଞ୍ଚାଇବା ସହ ଏହାର ପଡ଼ୋଶୀ ଦେଶକୁ ମଧ୍ୟ ସାହାଯ୍ୟ କରିପାରିଥିଲା।

ଏନେଇ ଡୋମିନିକା ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟ କହିଛନ୍ତି ଯେ, ଏହି ପୁରସ୍କାର ହେଉଛି ଡୋମିନିକାକୁ ଭାରତର ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ସ୍ଵରୂପ। ଡୋମିନିକା ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ଵରେ ଡୋମିନିକାର ସ୍ଵାସ୍ଥ୍ୟ ବ୍ୟବସ୍ଥା, ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ଭାରତର ସହଯୋଗ ପ୍ରତି ମଧ୍ୟ ଏହା ସମ୍ମାନ। ପ୍ରଧାନମନ୍ତ୍ରୀ ମୋଦି ଡୋମିନିକାର ବିପଦ ବେଳର ବନ୍ଧୁ ଅଟନ୍ତି। ବିଶେଷ କରି ବିଶ୍ଵ ସ୍ଵାସ୍ଥ୍ୟ ସଂକଟ ସମୟରେ ଆମକୁ ଭାରତର ସହଯୋଗ ପାଇଁ ଆମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜଣାଉଛୁ।

Advertisment
Narendra Modi PM Modi Dominica Domicica Award Of Honour