Advertisment

ଜାତିସଂଘର ସାଧାରଣ ମହାସଭାକୁ ସମ୍ବୋଧନ କରିବେ ନାହିଁ ପ୍ରଧାନମନ୍ତ୍ରୀ ମୋଦି

ସେପ୍ଟେମ୍ବର ୨୩ରେ ପ୍ରସିଦ୍ଧ ୟୁଏନଜିଏ ପୋଡିୟମରୁ ପୂରା ବିଶ୍ୱକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ବୋଧନ କରିବେ। ଦ୍ୱିତୀୟ ଥର ଆମେରିକା ରାଷ୍ଟ୍ରପତି ହେବା ପରେ ଟ୍ରମ୍ପଙ୍କ ଏହା ପ୍ରଥମ ସମ୍ବୋଧନ।

author-image
Hemant Lenka
PM Modi

PM Modi

ମିଳିତ ଜାତିସଂଘର ସାଧାରଣ ମହାସଭାର ବାର୍ଷିକ ବିତର୍କରେ ବିଶ୍ୱକୁ ସମ୍ବୋଧନ କରିବେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଳିତ ବର୍ଷ ଆମେରିକାରେ ଥିବା ମିଳିତ ଜାତିସଂଘ ମୁଖ୍ୟାଳୟରେ ଏହା ଅନୁଷ୍ଠିତ ହେବ। ହେଲେ ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେବେ ନାହିଁ। ସମ୍ବୋଧନ କରିବାକୁ ଥିବା ନେତାଙ୍କ ସଂଶୋଧିତ ତାଲିକାରେ ମୋଦିଙ୍କ ନାଁ ନଥିବା ଜଣାପଡ଼ିଛି।

Advertisment

ମିଳିତ ଜାତିସଂଘ ସାଧାରଣ ମହାସଭାର ୮୦ତମ ସଂସ୍କରଣ ସେପ୍ଟେମ୍ବର ୯ରୁ ଆରମ୍ଭ ହେବ। ଉଚ୍ଚସ୍ତରୀୟ ସାଧାରଣ ବିତର୍କ କାର୍ଯ୍ୟକ୍ରମ ସେପ୍ଟେମ୍ବର ୨୩ରୁ ୨୯ ଯାଏ ଚାଲିବ। ପାରମ୍ପରିକ ଭାବେ ବ୍ରାଜିଲ ପ୍ରଥମ ବକ୍ତା ଭାବେ ମହାସଭାକୁ ସମ୍ବୋଧନ କରିବ। ଏହାପରେ ଆମେରିକାର ସମ୍ବୋଧନ ରହିଛି। ସେପ୍ଟେମ୍ବର ୨୩ରେ ପ୍ରସିଦ୍ଧ ୟୁଏନଜିଏ ପୋଡିୟମରୁ ପୂରା ବିଶ୍ୱକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ବୋଧନ କରିବେ। ଦ୍ୱିତୀୟ ଥର ଆମେରିକା ରାଷ୍ଟ୍ରପତି ହେବା ପରେ ଟ୍ରମ୍ପଙ୍କ ଏହା ପ୍ରଥମ ସମ୍ବୋଧନ। 

ଏସବୁ ଭିତରେ ଶୁକ୍ରବାର ଉଚ୍ଚସ୍ତରୀୟ ସାଧାରଣ ବିତର୍କକୁ ସମ୍ବୋଧନ କରିବାକୁ ଥିବା ବ୍ୟକ୍ତିବିଶେଷଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ଭାରତର ପ୍ରତିନିଧିତ୍ୱ ଜଣେ ମନ୍ତ୍ରୀ କରିବେ ବୋଲି ଉଲ୍ଲେଖ ରହିଛି। ଏହି ସେସନକୁ ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ସେପ୍ଟେମ୍ବର ୨୭ରେ ସମ୍ବୋଧନ କରିବେ।

Advertisment

ଏହାପୂର୍ବରୁ ଜୁଲାଇ ମାସରେ ପ୍ରକାଶ ପାଇଥିବା ପ୍ରୋଭିଜନାଲ ବାର୍ତ୍ତା ତାଲିକାରେ ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ବର ୨୬ରେ ସାଧାରଣ ବିତର୍କରେ ସମ୍ବୋଧନ କରିବେ ବୋଲି ଉଲ୍ଲେଖ ରହିଥିଲା। ଏବେ ସେପ୍ଟେମ୍ବର ୨୬ରେ ଇସ୍ରାଏଲ, ଚାଇନା, ପାକିସ୍ତାନ ଓ ବାଂଲାଦେଶର ରାଷ୍ଟ୍ରମୁଖ୍ୟମାନେ ୟୁଏନଜିଏ ସାଧାରଣ ବିତର୍କ କାର୍ଯ୍ୟକ୍ରମରେ ବିଶ୍ୱକୁ ସମ୍ବୋଧନ କରିବେ।

ଚଳିତ ବର୍ଷ ଫେବୃଆରୀ ମାସରେ ପ୍ରଧାନମନ୍ତ୍ରୀ ମୋଦି ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆମେରିକା ଗସ୍ତ କରିଥିଲେ। ୱାଶିଂଟନର ହ୍ୱାଇଟ ହାଉସରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ତାଙ୍କର ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା।

ତେବେ ଆମେରିକା ପକ୍ଷରୁ ଭାରତ ଉପରେ ରୁଷ ଠାରୁ ତେଲ କିଣିବା ପାଇଁ ୫୦% ଟାରିଫ ଲଗାଯିବାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଖାଯାଇଛି। ସମ୍ଭବତଃ ଏହି କାରଣ ପାଇଁ ମୋଦି ଆମେରିକା ଗସ୍ତ କରିବାକୁ ଚାହୁଁ ନଥିବା ଚର୍ଚ୍ଚା ହେଉଛି।

PM Modi UNGA