/odisha-reporter/media/post_attachments/uploadimage/library/16_9/16_9_0/china_1754478205.jpg)
china
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଅଗଷ୍ଟ ୩୧ରେ ଚାଇନା ଗସ୍ତ କରିବେ। ଚାଇନାରେ ଅନୁଷ୍ଠିତ ହେବାକୁ ଥିବା ସଙ୍ଘାଇ କର୍ପୋରେସନ ଅର୍ଗାନାଇଜେସନ ବା ଏସ୍ସିଓ ସମ୍ମିଳନୀରେ ଯୋଗ ଦେବାକୁ ମୋଦି ସେଠାକୁ ଯିବେ। ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ଦୁଇ ଦିନ ଧରି ବେଜିଂରେ ଏସସିଓ ସମ୍ମିଳନୀ ହେବ। ତେଣୁ ମୋଦି ଦୁଇ ଦିନ ଚାଇନାରେ ରହିବେ।
୨୦୧୯ ପରେ ଏହା ମୋଦିଙ୍କ ପ୍ରଥମ ଚାଇନା ଗସ୍ତ। ସେ ଶେଷଥର ପାଇଁ ୨୦୧୯ରେ ଚାଇନା ଗସ୍ତ କରିଥିଲେ। ୨୦୧୯ ଗଲୱାନ ଘାଟି ସଂଘର୍ଷ ପରେ ଚାଇନା ଓ ଭାରତ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା। ଦୁଇ ଦେଶ ମଧ୍ୟରେ ଛକାପଞ୍ଝା ମଧ୍ୟ ଦେଖିବାକୁ ମିଳିଥିଲା। ଦୁଇ ଦେଶ ମଧ୍ୟରେ କୂଟନୀତିକ ସମ୍ପର୍କ ମଧ୍ୟ ବିଗିଡ଼ି ଯାଇଥିଲା। ସେବେଠାରୁ ମୋଦି ଚାଇନା ଗସ୍ତ କରି ନଥିଲେ। ଏବେ କିନ୍ତୁ ସେ ଚାଇନା ଯିବେ ବୋଲି ଜଣାପଡ଼ିଛି।
ନିକଟରେ ଭାରତୀୟ ସେନା କରିଥିବା ଅପରେସନ ସିନ୍ଦୂର ସମୟରେ ଚାଇନା ପରଦା ପଛରେ ରହି ପାକିସ୍ତାନକୁ ସହଯୋଗ କରିଥିଲା। ଏହାକୁ ନେଇ ଚାଇନା ଉପରେ ମଧ୍ୟ ଦେଶବାସୀ ଖପ୍ପା ହୋଇଥିଲେ। ଏସବୁ ବିବାଦ ମଧ୍ୟରେ ମୋଦି ଚାଇନା ଗସ୍ତ କରିବାକୁ ଦିନ ଧାର୍ଯ୍ୟ ହୋଇଛି।
ଆଞ୍ଚଳିକ ସୁରକ୍ଷା, ଆତଙ୍କବାଦ ଓ ବାଣିଜ୍ୟ ସମ୍ପର୍କରେ ଏସ୍ସିଓ ଦେଶଗୁଡ଼ିକ ମଧ୍ୟରେ ଆଲୋଚନା ହେବ। ସେହିପା ଭାରତ-ଚାଇନା ସମ୍ପର୍କ ସ୍ଥିରତା ଆଣିବାକୁ ମୋଦିଙ୍କ ଗସ୍ତରେ ଉଭୟ ଦେଶ ଉଦ୍ୟମ କରିବେ। ଏହି ଗସ୍ତ ସମୟରେ ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଅନଔପଚାରିକ ଆଲୋଚନା ମଧ୍ୟ କରିପାରନ୍ତି।
ଏହାପୂର୍ବରୁ ୨୦୨୪ ଅକ୍ଟୋବର ମାସରେ ମୋଦି ଓ ଜିନପିଙ୍ଗ ପରସ୍ପରକୁ କାଜାଖସ୍ତାନରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଭେଟିଥିଲେ। ଏହାପରେ ଦୁଇ ଦେଶ ମଧ୍ୟରେ ରହିଥିବା ସୀମା ବିବାଦ ହ୍ରାସ କରିବାକୁ ଜୋରଦାର ଉଦ୍ୟମ ହୋଇଥିଲା। ଏହାକୁ କିଛି ମାତ୍ରାରେ ସଫଳତା ମଧ୍ୟ ମିଳିଥିଲା।
ଏସସିଓ ସମ୍ମିଳନୀରେ ଭାରତ ଓ ଚାଇନା ବ୍ୟତୀତ କାଜାଖସ୍ତାନ, ରୁଷ, ପାକିସ୍ତାନ, ତାଜିକିସ୍ତାନ, ଉଜବେକିସ୍ତାନ, ଇରାନ ଓ ବେଲାରୁସର ନେତୃବୃନ୍ଦ ସାମିଲ ହେବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
