/odisha-reporter/media/post_attachments/uploadimage/library/16_9/16_9_0/PM_Modi_1748861063.jpg)
PM Modi
ଆଗାମୀ ଜି-୭ ସମ୍ମିଳନୀ ପାଇଁ କାନାଡା ଗସ୍ତ କରିବେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ଏବେ ଠିକ ନଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଜି-୭ ସମ୍ମିଳନୀରେ ଯୋଗ ଦେବେ ନାହିଁ ବୋଲି ଜଣାପଡ଼ିଛି। ଜି-୭ ସମ୍ମିଳନୀ ପାଇଁ କାନାଡା ଏଯାଏ ଭାରତକୁ ନିମନ୍ତ୍ରଣ କରିନି। ଯଦି ବି କାନାଡା ନିମନ୍ତ୍ରଣ କରେ, ତଥାପି ଭାରତର ପ୍ରଧାନମନ୍ତ୍ରୀ ସମ୍ମିଳନୀକୁ ଯିବେ ନାହିଁ।
ବିଶ୍ୱର ପ୍ରମୁଖ ଶିଳ୍ପ ଭିତ୍ତିକ ଦେଶଗୁଡ଼ିକ ଜ-୭ ଗଠନ କରିଛନ୍ତି। ଏଥିରେ ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ବ୍ରିଟେନ, ଜାପାନ, ଆମେରିକା ଓ କାନାଡା ରହିଛନ୍ତି। ବୈଠକରେ ୟୁରୋପୀୟ ୟୁନିୟନ, ଆଇଏମଏଫ, ବିଶ୍ୱ ବ୍ୟାଙ୍କ ଓ ମିଳିତ ଜାତିସଂଘ ସମେତ ଆଉ କିଛି ସଦସ୍ୟ ରାଷ୍ଟ୍ରଙ୍କୁ ନିମନ୍ତ୍ରଣ କରାଯାଏ। ଦକ୍ଷିଣ ଆଫ୍ରିକା, ୟୁକ୍ରେନ, ବ୍ରାଜିଲ ଓ ଅଷ୍ଟ୍ରେଲିଆ ସରକାରଙ୍କୁ କାନାଡା ଜି-୭ ପାଇଁ କରିଥିବା ନିମନ୍ତ୍ରଣକୁ ସେମାନେ ଗ୍ରହଣ କରି ନିଆଯାଇଛି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ଅନିଶ୍ଚିତତା ଲାଗି ରହିଛି।
ଜୁନ ୧୬ରୁ ୧୭ ଯାଏ ଜି-୭ ସମ୍ମିଳନୀର ଆୟୋଜନ କାନାଡା କରିବାକୁ ଯାଉଛି। ହେଲେ କାନାଡା ପକ୍ଷରୁ ଏଯାଏ ଭାରତକୁ କୌଣସି ପ୍ରକାରର ନିମନ୍ତ୍ରଣ କରାଯାଇ ନାହିଁ। ସେହିପରି ଭାରତୀୟ ନେତୃବୃନ୍ଦ ମଧ୍ୟ କାନାଡା ଯାଇ ସମ୍ମିଳନୀରେ ସାମିଲ ହେବା ସପକ୍ଷରେ ନାହାନ୍ତି।
କୌଣସି ଉଚ୍ଚସ୍ତରୀୟ ଗସ୍ତ ପୂର୍ବରୁ ପ୍ରଥମେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସିବା ଦରକାର ବୋଲି ଭାରତ ସରକାରଙ୍କ ସୂତ୍ରରୁ ଜଣାପଡ଼ିଛି। ଏଥିସହ ଭବିଷ୍ୟତରେ ଯଦି ପ୍ରଧାନମନ୍ତ୍ରୀ ମୋଦି କାନାଡା ଗସ୍ତ କରନ୍ତି, ତା’ହେଲେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ସେଠାକାର ସରକାର ପ୍ରଥମେ ନିଶ୍ଚିତ କରିବା ଦରକାର।
୨୦୧୯ରୁ ପ୍ରତିଟି ଜି-୭ ସମ୍ମିଳନୀ ପାଇଁ ଭାରତକୁ ଆୟୋଜକ ରାଷ୍ଟ୍ରଗୁଡ଼ିକ ନିମନ୍ତ୍ରଣ କରୁଥିଲେ। ଭାରତର ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନିମନ୍ତ୍ରଣ ରକ୍ଷା କରି ଜି-୭ ସମ୍ମିଳନୀରେ ସାମିଲ ହେଉଥିଲେ। କିନ୍ତୁ ଏଥର କାନାଡା ଜି-୭ ସମ୍ମିଳନୀ ଆୟୋଜନ କରୁଥିବାରୁ ମୋଦି ଏଥିରେ ସାମିଲ ହେବେ ନାହିଁ।
ଗତ ମାସରେ ବୈଦେଶିକ ମନ୍ତ୍ରଣାଳୟ ଦୁଇ ଥର କହି ସାରିଛି ଯେ ଜି-୭ ବୈଠକ ପାଇଁ ପ୍ରଧାନମନ୍ତ୍ରୀ କାନାଡା ଗସ୍ତ କରିବାର କୌଣସି ସୂଚନା ଏଯାଏ ଆସି ନାହିଁ। ତେବେ କାନାଡାର ବୈଦେଶିକ ମନ୍ତ୍ରୀ ଅଙ୍କିତା ଆନନ୍ଦ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ଦେଶର ନୂଆ ମାର୍କ କାର୍ଣ୍ଣେୟ ସରକାର ଭାରତ ସହ ଭଲ ବନ୍ଧୁତା ସ୍ଥାପନ କରିବାକୁ ଆଗ୍ରହୀ ରହିଛନ୍ତି। ଏଥିସହ କାନାଡା ମାଟିରେ ଖଲିସ୍ତାନୀ ନେତା ହରଦୀପ ସିଂହ ନିଜାରର ହତ୍ୟାକୁ ନେଇ ଭାରତ ସହ ଥିବା ସମ୍ପର୍କରେ ତିକ୍ତତା ଆସିଥିବା ସେ ସ୍ୱୀକାର କରିଛନ୍ତି।
ନିଜାର ହତ୍ୟାକାଣ୍ଡରେ ଭାରତ ସରକାର ସାମିଲ ଥିବା କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିଥିଲେ। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
