Advertisment

ଜୋହାନ୍ସବର୍ଗରେ ଚାଇନା ରାଷ୍ଟ୍ରପତିଙ୍କୁ ଭେଟିବେ କି ପ୍ରଧାନମନ୍ତ୍ରୀ ମୋଦି?

ସମ୍ମିଳନୀ ଅବସରରେ ମୋଦି କ’ଣ ସବୁ କାର୍ଯ୍ୟକ୍ରମ କରିବେ, ସେକଥା ବୈଦେଶିକ ମନ୍ତ୍ରଣାଳୟ ଚୂଡ଼ାନ୍ତ କରି ସାରିଛି।

author-image
Hemant Lenka
PM Modi

PM Modi

ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆୟୋଜିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ। ଏହି ସମ୍ମିଳନୀରେ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ସାମିଲ ହେବେ। ଭାରତ-ଚାଇନା ସୀମା ବିବାଦ ମଧ୍ୟରେ ଦୁଇ ଦେଶର ନେତା ଗୋଟିଏ ମଞ୍ଚରେ ଏକାଠି ହେବାକୁ ଯାଉଥିବାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Advertisment

ସମ୍ମିଳନୀ ଅବସରରେ ମୋଦି କ’ଣ ସବୁ କାର୍ଯ୍ୟକ୍ରମ କରିବେ, ସେକଥା ବୈଦେଶିକ ମନ୍ତ୍ରଣାଳୟ ଚୂଡ଼ାନ୍ତ କରି ସାରିଛି। କ’ଣ ମୋଦି ଜୋହାନ୍ସବର୍ଗରେ ଜିନପିଙ୍ଗଙ୍କୁ ଭେଟିବେ କି? ତେବେ ଏ ପ୍ରଶ୍ନର ଉତ୍ତର ବୈଦେଶିକ ସଚିବ ବିନୟ କ୍ୱାତ୍ରା ସିଧାସଳଖ ଦେଇ ନାହାନ୍ତି। ସେ ବ୍ରିକ୍ସ ସମ୍ମିଳନୀ କାର୍ଯ୍ୟକ୍ରମ ସମ୍ପର୍କରେ ସୋମବାର ଗଣମାଧ୍ୟମକୁ ଦେଇଥିଲେ। କିନ୍ତୁ ମୋଦି-ଜିନପିଙ୍ଗଙ୍କ ସମ୍ଭାବ୍ୟ ଆଲୋଚନା ସମ୍ପର୍କରେ କିଛି ବି କହି ନାହାନ୍ତି।

ମହାମାରୀ କରୋନା ପରଠାରୁ ଇନ ପର୍ସନ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇ ନଥିଲା। କିନ୍ତୁ ଚଳିତ ବର୍ଷ ଜୋହାନ୍ସବର୍ଗରେ ଏହା ଆୟୋଜନ ହେବାକୁ ଯାଉଛି। ଏଥିରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ଠାରୁ ୩ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ। ସେଠାରେ ସେ ବ୍ରିକ୍ସ ଦେଶ ବ୍ରାଜିଲ, ରୁଷ, ଚାଇନା ଓ ଦକ୍ଷିଣ ଆଫ୍ରିକାର ନେତାଙ୍କ ସହ ବୈଠକ କରିବେ।

Advertisment

ଆଜି ବୈଦେଶିକ ସଚିବ ବନିୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ସମୟରେ ମୋଦି-ଜିନପିଙ୍ଗ ଆଲୋଚନା ପାଇଁ ଯୋଜନା ରହିଛି ବୋଲି ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସମସ୍ତ ପ୍ରକାରର ଦ୍ୱିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇ ସାରିଛି। କିନ୍ତୁ ସେ ନିର୍ଦ୍ଦିଷ୍ଟ ଭାବେ ଜିନପିଙ୍ଗଙ୍କ ସହ ମୋଦି ଆଲୋଚନା କରିବେ କି ନାହିଁ, ସେକଥା କହି ନାହାନ୍ତି।

୨୦୨୦ ମେ’ ମାସରୁ ଭାରତ-ଚାଇନା ମଧ୍ୟରେ ସୀମା ବିବାଦ ଲାଗି ରହିଛି। ସେବେଠାରୁ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇନି। ତେଣୁ ଜୋହାନ୍ସବର୍ଗରେ ଦୁଇ ନେତା ଯଦି ଆଲୋଚନା କରନ୍ତି, ତା’ହେଲେ ଏହା ସୀମା ବିବାଦ ସୃଷ୍ଟି ହେବା ପରେ ପ୍ରଥମ ବୈଠକ ହେବ।

ଗତବର୍ଷ ନଭେମ୍ବରରେ ବାଲି ଠାରେ ଜି-୨୦ ସମ୍ମିଳନୀ ହୋଇଥିଲା। ଏଥିରେ ମୋଦି ଓ ଜିନପିଙ୍ଗ ଉଭୟ ଯୋଗ ଦେଇଥିଲେ। ଜି-୨୦ ଡିନର ପାର୍ଟିରେ ମାତ୍ର କିଛି ସମୟ ପାଇଁ ଦୁଇ ନେତାଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା। କିନ୍ତୁ କୌଣସି ପ୍ରକାରର ଦ୍ୱିପାକ୍ଷିକ ଆଲୋଚନା ହୋଇ ନଥିଲା।

PM Modi Xi Jinping