PM Modi
ପାରସ୍ପରିକ ବିଶ୍ୱାସ ଓ ସମ୍ମାନ ଦ୍ୱାରା ଭାରତ-ଚାଇନା ସମ୍ପର୍କ ଆଗକୁ ବଢ଼ିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ କହିଛନ୍ତି। ଦୀର୍ଘ ୭ ବର୍ଷ ପରେ ଚାଇନା ଗସ୍ତ କରିଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ତିଆନଜିନ ଠାରେ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଭେଟିଛନ୍ତି। ସଂଘାଇ କର୍ପୋରେସନ ସମ୍ମିଳନୀ ବା ଏସ୍ସିଓ ସମ୍ମିଳନୀ ପୂର୍ବରୁ ଦୁଇ ଦେଶର ରାଷ୍ଟ୍ରମୁଖ୍ୟ ପରସ୍ପରକୁ ଭେଟିଛନ୍ତି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝଡ଼ ଭିତରେ ଭାରତ ଓ ଚାଇନା ହାତ ମିଳାଇବ ୱାଶିଂଟନକୁ ବଡ଼ ସଙ୍କେତ ଦେଇଛନ୍ତି। ଟ୍ରମ୍ପଙ୍କ ଟାରିଫ ଝଡ଼ ଯୋଗୁ ଦୁଇ ଚୀରପ୍ରତିଦ୍ୱନ୍ଦ୍ୱୀ ପରସ୍ପରର ନିକଟବର୍ତ୍ତୀ ହୋଇଛନ୍ତି। ମୋଦି ଓ ଜିନପିଙ୍ଗ ହାତ ମିଳାଇ ନିଜ ଭିତରେ ଥିବା ତିକ୍ତତାକୁ ଦୂର କରି ନୂଆ ଆରମ୍ଭର ସଙ୍କେତ ଦେଇଛନ୍ତି।
ପ୍ରାୟ ୧ ଘଣ୍ଟା ଧରି ଦୁଇ ନେତା ପରସ୍ପର ସହ ବୈଠକ କରିଛନ୍ତି। ଏହି ସମୟରେ ମୋଦି ଦ୍ୱିପାକ୍ଷିକ ସମ୍ପର୍କରେ ଆସିଥିବା ସୁଧାର ସମ୍ପର୍କରେ ଜିନପିଙ୍ଗକୁ ଜଣାଇଛନ୍ତି। ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ହୋଇଥିବା ସ୍ୱତନ୍ତ୍ର ପ୍ରତିନିଧି ସ୍ତରୀୟ ବୁଝମାଣା ଠାରୁ ଆରମ୍ଭ କରି କୈଳାସ ମାନସରୋବର ଯାତ୍ରାର ଆରମ୍ଭ ଓ ଦୁଇ ଦେଶ ମଧ୍ୟରେ ପୁଣି ସିଧାସଳଖ ବିମାନ ଉଡ଼ାଣ ପାଇଁ ସହମତି ହୋଇଛି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “୨୮୦ କୋଟି ଲୋକଙ୍କ ସ୍ୱାର୍ଥ ଉଭୟ ଦେଶର ସହଭାଗିତା ସହ ଜଡ଼ିତ। ଏହା ସଂପୂର୍ଣ୍ଣ ମାନବତାର କଲ୍ୟାଣ ପାଇଁ ମାର୍ଗ ପ୍ରଶସ୍ଥ କରିବ। ଆମେ ପାରସ୍ପରିକ ବିଶ୍ୱାସ, ସମ୍ମାନ ଓ ସମ୍ବେଦନଶୀଳତାକୁ ଗୁରୁତ୍ୱ ଦେଇ ଆମ ସମ୍ପର୍କକୁ ଆଗକୁ ନେବାକୁ ପ୍ରତିଶ୍ରୁତିବଦ୍ଧ।”
ଜିନପିଙ୍ଗ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ବେଶ ଉତ୍ସାହିତ ହୋଇଛନ୍ତି। ସେ ମୋଦିଙ୍କୁ ସ୍ୱାଗତ କରିଛନ୍ତି ଓ ଭାରତକୁ ଚାଇନାର ପ୍ରମୁଖ ବନ୍ଧୁ ଭାବେ ଅଭିହିତ କରିଛନ୍ତି। ସେ କହିଛନ୍ତି, “ଚାଇନା ଓ ଭାରତ ସବୁଠାରୁ ବଡ଼ ସଭ୍ୟ ଦେଶ। ଆମେ ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ଓ ଗ୍ଲୋବାଲ ସାଉଥର ଅଂଶବିଶେଷ। ବନ୍ଧୁ ଭାବେ ରହିବା, ଜଣେ ଭଲ ପଡ଼ୋଶୀ ହେବା ଓ ଡାର୍ଗନ ଏବଂ ହାତୀ ଏକାଠି ଆଗକୁ ଆସିବା ନିହାତି ଜରୁରୀ।”
ପ୍ରଧାନମନ୍ତ୍ରୀ ମୋଦି ଶେଷ ଥର ପାଇଁ ୨୦୧୮ରେ ଚାଇନା ଗସ୍ତ କରିଥିଲେ। ଏହାପରେ ଡୋକଲାମ ବିବାଦ ଦେଖାଯାଇଥିଲା। ୨୦୧୯ରେ ଗଲୱାନି ଘାଟିରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ। ଏବେ ୭ ବର୍ଷ ପରେ ମୋଦି ଚାଇନା ଗସ୍ତ କରିଛନ୍ତି। ଏଥିର ଫୋକସ ଆର୍ଥିକ ଓ ରଣନୀତି ଉପରେ ରହିଛି। କାରଣ ଟ୍ରମ୍ପଙ୍କ ଟାରିଫ ନୀତି ଯୋଗୁ ଏସିଆ ମହାଦେଶର ଦୁଇ ବଡ଼ ଦେଶ ଏବେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି।
ଭାରତ ଉପରେ ଟ୍ରମ୍ପ ୫୦% ଟାରିଫ ଲଗାଇଥିବାରୁ ଏହାକୁ ଚାଇନା ନିନ୍ଦା କରି ଆସିଛି। ଏପରି ଏକ ଟାରିଫ ଝଡ଼ ସମୟରେ ଭାରତ ସହ ଚାଇନା ରହିଥିବା ବେଜିଂ କହିଥିଲା। ଏବେ ମୋଦିଙ୍କ ଗସ୍ତ ଦୁଇ ଦେଶର ସମ୍ପର୍କକୁ ନୂଆ ଦିଗ ଦେଇଛି। ଦୁଇ ଦେଶ ସୀମା ବିବାଦର ସମାଧାନ ଠାରୁ ଆରମ୍ଭ କରି ଦ୍ୱିପାକ୍ଷିକ ବ୍ୟବସାୟକୁ ତ୍ୱରାନ୍ୱିତ କରିବେ ବୋଲି ରାଜି ହୋଇଛନ୍ତି।
ରୁଷ ଠାରୁ ତେଲ ଆଣୁ ଥିବାରୁ ଭାରତ ଉପରେ ଆମେରିକା ୫୦% ଟାରିଫ ଲଗାଇଛି। ଏପରି ସ୍ଥିତିରେ ଆଜି ମୋଦି ଚାଇନା ରାଷ୍ଟ୍ରପତି ଜନପିଙ୍ଗଙ୍କୁ ଭେଟିଛନ୍ତି। ଆସନ୍ତାକାଲି ଏସ୍ସିଓ ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ମୋଦି ଭେଟିବାର କାର୍ଯ୍ୟକ୍ରମ ରହିଛି। ଆମେରିକାର ଟାରିଫ ନୀତି ଭିତରେ ପ୍ରଥମଥର ମୋଦି-ପୁଟିନ ଭେଟିବାକୁ ଯାଉଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/PM_Modi_1756626698.jpg)