ପ୍ରଧାନମନ୍ତ୍ରୀ ମୋଦି
ଦେଶର ଲୌହ ମାନବ ତଥା ପ୍ରଥମ ଗୃହ ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ(Sardar Vallabhbhai Patel)ଙ୍କ ୧୫୦ତମ ଜନ୍ମ ବାର୍ଷିକ ଅବସରରେ ଭାରତୀୟ ସେନାର ଅପରେସନ ସିନ୍ଦୂରକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଜରାଟରେ ଥିବା ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ପ୍ରଧାମନ୍ତ୍ରୀ ମୋଦି ପାକିସ୍ତାନ ଉଦ୍ଦେଶ୍ୟରେ ବଡ଼ କଥା କହିଛନ୍ତି।
ଷ୍ଟାଚ୍ୟୁ ଅଫ ୟୁନିଟୀରୁ ସେ କହିଛନ୍ତି ଯେ ଶତ୍ରୁ ପକ୍ଷଙ୍କୁ ଭାରତର ଜବାବ ଏବେ ନିର୍ଣ୍ଣାୟକ, ଶକ୍ତିଶାଳୀ ଓ ପୂରା ବିଶ୍ୱକୁ ଦୃଶ୍ୟମାନ ହେଉଛି। ଭାରତ ଶତ୍ରୁପକ୍ଷର ସୀମା ଭିତରେ ପଶିପାରେ ଓ ଆକ୍ରମଣ କରିପାରେ ବୋଲି ଅପରେସନ ସିନ୍ଦୂର(Operation Sindoor) ବାର୍ତ୍ତା ଦେଇଥିଲା ବୋଲି ମୋଦି କହିଛନ୍ତି।
ସେ କହିଛନ୍ତି, “ଅପରେସନ ସିନ୍ଦୂର ବେଳେ ପୂରା ବିଶ୍ୱ ଦେଖିଛି ଯେ ଯଦି କେହି ଭାରତକୁ ଆଖି ଉଠାଇବ ଦେଖିବ, ତା’ହେଲେ ଭାରତ ଘରେ ପଶି ମାରିଥାଏ। ଆଜି ପାକିସ୍ତାନ ଓ ଆତଙ୍କବାଦର ହ୍ୟାଣ୍ଡେଲର୍ସ ଭାରତର ପ୍ରକୃତ ଶକ୍ତି କ’ଣ ସେକଥା ଭଲ ଭାବେ ଜାଣି ସାରିଛନ୍ତି।”
ସର୍ଦ୍ଦାର ପଟେଲଙ୍କ ଜନ୍ମ ଦିନକୁ ପୂରା ଦେଶ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟରେ ଥିବା ଷ୍ଟାଚ୍ୟୁ ଅଫ ୟୁନିଟୀରେ ପହଞ୍ଚି ସର୍ଦ୍ଦାର ପଟେଲଙ୍କୁ ସମ୍ମାନ ଜଣାଇଛନ୍ତି। ଏହି ସମୟରେ ସେ କଂଗ୍ରେସକୁ ଆଟାକ କରିବାକୁ ପଛାଇ ନାହାନ୍ତି।
ପଟେଲଙ୍କ ଭିଜନକୁ କଂଗ୍ରେସ ଭୁଲି ଯାଇଥିବା ସେ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ କହିବା କଥା ଯେ କେବଳ ବିଦେଶରୁ ଥିବା ବିପଦ ନୁହେଁ ବରଂ ନକ୍ସଲବାଦ ଓ ଅନୁପ୍ରବେଶ ଭଳି ଆଭ୍ୟନ୍ତରୀଣ ଚ୍ୟାଲେଞ୍ଜକୁ ମୁକାବିଲା କରିବାରେ ପଟେଲଙ୍କ ଆଦର୍ଶ ସରକାରଙ୍କୁ ଉପଯୁକ୍ତ ମାର୍ଗ ପ୍ରଦର୍ଶିତ କରିଛି।
ସେ କହିଛନ୍ତି, “୨୦୧୪ ପୂର୍ବରୁ ନକ୍ସଲମାନେ ନିଜ ଇଚ୍ଛାରେ ଦେଶର ବିଶାଳ ଭୂଖଣ୍ଡରେ ନିଜର ଶାସନ କରୁଥିଲେ। ସ୍କୁଲ, କଲେଜ ଓ ହସ୍ପିଟାଲକୁ ଉଡ଼ାଇ ଦିଆଯାଉଥିଲା। ପ୍ରଶାସନ କେବଳ ଅସହାୟ ଅବସ୍ଥାରେ ସବୁ କିଛି ଦେଖୁଥିଲା। ଆମେ ବେଶ ଭଲ ଭାବେ ଅର୍ବାନ ନକ୍ସଲ ବିରୋଧରେ ପଦକ୍ଷେପ ନେଇଥିଲୁ। ଆଜି ଏହା ଫଳ ସମସ୍ତଙ୍କ ସାମ୍ନାରେ ରହିଛି। ପୂର୍ବରୁ ୧୨୫ ନକ୍ସଲ ପ୍ରଭାବିତ ଅଞ୍ଚଳ ଥିଲା। ଏବେ ଏହା ୧୧କୁ ଖସି ଆସିଛି। ନକ୍ସଲ ଗଡ଼ ଭାବେ ୩ଟି ସ୍ଥାନ ରହିଛି।”
ଭାରତର ଏକତା ପ୍ରତି ଅନୁପ୍ରବେଶ ବଡ଼ ବିପଦ ବୋଲି ମୋଦି ସତର୍କ କରାଇଛନ୍ତି। ସେ କହିଛନ୍ତି, “ଭୋଟ ବ୍ୟାଙ୍କ ପାଇଁ ପୂର୍ବ ସରକାରମାନେ ଜାତୀୟ ସୁରକ୍ଷାରେ ବୁଝାମଣା କରୁଥିଲେ। ଯେଉଁମାନେ ଅନୁପ୍ରବେଶକାରୀଙ୍କ ପାଇଁ ଲଢ଼େଇ କରୁଛନ୍ତି, ଦେଶ ଦୁର୍ବଳ ହେଉଥିବା ପ୍ରତି ସେମାନଙ୍କର ନିଘା ନାହିଁ। କିନ୍ତୁ ସମସ୍ତେ ମନେ ରଖିବା ଉଚିତ ଯେ ଯଦି ଦେଶର ସୁରକ୍ଷା ଓ ପରିଚୟ ବିପଦରେ ରହିଛି, ତା’ହେଲେ ନାଗରିକଙ୍କ ଜୀବନ ପ୍ରତି ବି ବିପଦ ଅଛି। ଭାରତରେ ବେଆଇନ ଭାବେ ରହୁଥିବା ସମସ୍ତ ଅନୁପ୍ରବେଶକାରୀଙ୍କୁ ହଟାଇବାକୁ ଆମକୁ ବ୍ୟବସ୍ଥା କରିବାକୁ ପଡ଼ିବ।”
ପ୍ରଧାନନ୍ତ୍ରୀ ମୋଦି(PM Modi) ତାଙ୍କ ଭାଷଣ ସର୍ଦ୍ଦାର ପଟେଲଙ୍କ ବିବିଧତା ମଧ୍ୟରେ ଏକତା ବାର୍ତ୍ତା କଥା କହି ଶେଷ କରିଛନ୍ତି। ସେ କହିଛନ୍ତି, “ଏକତ୍ରୀତ ଭାରତରେ ବିଚାରଧାରାର ବିବିଧତାକୁ ସମ୍ମାନ କରାଯିବା ଦରକାର। ବିଚାରଧାର ବା ମତାମତରେ ମତଭେଦ ହୋଇପାରେ। କିନ୍ତୁ ହୃଦୟରେ କୌଣସି ମତଭେଦ ନାହିଁ।”
ଭାଷଶ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସର୍ଦ୍ଦାର ପଟେଲଙ୍କ ୧୮୨ ମିଟର ସୁଉଚ୍ଚ ଷ୍ଟାଚ୍ୟୁ ଅଫ ୟୁନିଟୀ(Statue Of Unity)ରେ ପୁଷ୍ପମାଲ୍ୟ ଦେଇଥିଲେ। ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଏତଦା ଦିବସର ଶପଥ ପାଠ କରାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/31/pm-modi-2025-10-31-12-56-12.jpg)