PM's special message for Team India
ଟି-୨୦ ବିଶ୍ୱକପ୍ ବିଜୟୀ ହୋଇଛି ଭାରତ। ଏହା କେବଳ ଟିମ୍ ଇଣ୍ଡିଆ ନୁହେଁ ପୂରା ଭାରତ ପାଇଁ ଆଣି ଦେଇଛି ଖୁସି। ଦେଶବ୍ୟାପୀ ପାଳନ କରାଯାଉଛି ଉତ୍ସବ। ଭାରତର ବିଭିନ୍ନ ସ୍ଥାନରେ କ୍ରିକେଟ୍ ପ୍ରେମୀମାନେ ବାଜା ବଜାଇ ବାଣ ଫୁଟାଇ ଉତ୍ସବ ପାଳନ କରିଛନ୍ତି। ୨୦୧୧ରେ ଧୋନୀଙ୍କ ନେତୃତ୍ୱରେ ବିଶ୍ୱକପ ହାସଲ ପରେ ପୁଣିଥରେ ୨୦୨୪ ଭାରତକୁ ଫେରିଛି ବିଶ୍ୱକପ୍। ବିଭିନ୍ନ ସ୍ଥାନରେ ହିନ୍ଦୁସ୍ଥାନ ଜିନ୍ଦାବାଦ ନାରା ଲଗାଯାଇଛି।
ଭାରତ ଟି-୨୦ ବିଶ୍ୱକପ୍ ଜିତିବା ପରେ ବିଭିନ୍ନ ମହଲରୁ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ ଛୁଟିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ କ୍ରିକେଟ୍ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, 'ଟି –ଟ୍ୱେଣ୍ଟି ବିଶ୍ୱକପ ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ମୋର ହାର୍ଦ୍ଦିକ ଅଭିନନ୍ଦନ। କଦାପି ହାର ମାନି ନ ଥିବାରୁ ଦଳ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା ଏବଂ ଟୁର୍ଣ୍ଣାମେଣ୍ଟରେ ଉତ୍କୃଷ୍ଟ ଦକ୍ଷତା ପ୍ରଦର୍ଶନ କରିଥିଲା। ଫାଇନାଲ ମ୍ୟାଚରେ ଏହା ଏକ ଅସାଧାରଣ ବିଜୟ ଥିଲା। ସାବାସ୍, ଟିମ୍ ଇଣ୍ଡିଆ!'
ସେହିପରି ବିଶ୍ୱ ବିଜୟୀ ଭାରତୀୟ କ୍ରିକେଟ ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତୀୟ କ୍ରିକେଟ ଦଳର ଏହି ଅଦ୍ଭୂତପୂର୍ବ ବିଜୟରେ ୧୪୦ କୋଟି ଭାରତୀୟଙ୍କ ତରଫରୁ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ସେ କହିଛନ୍ତି। ଭାରତୀୟ ଖେଳାଳିଙ୍କ ଉପଲବ୍ଧିରେ ଦେଶର କୋଣ ଅନୁକୋଣରେ ପ୍ରତ୍ୟେକ ବ୍ୟକ୍ତି ଗର୍ବିତ। ୨୦ ଦେଶ ଅଂଶଗ୍ରହଣ କରିଥିବା ଟୁର୍ନାମେଣ୍ଟରେ ଗୋଟିଏ ବି ମ୍ୟାଚ୍ ନ ହାରି ଚାମ୍ପିୟନ ହେବା ଆମ ପାଇଁ ଅତ୍ୟନ୍ତ ଗର୍ବର ମୂହୂର୍ତ୍ତ ବୋଲି ସେ କହିଛନ୍ତି।
ସେହିପରି ଭାରତର ବିଶ୍ୱକପ୍ ବିଜୟୀ ପାଇଁ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଠାରୁ ଆରମ୍ଭ କରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ନେତା ମାନେ ସୋସିଆଲ ମିଡ଼ିଆ ମାଧ୍ୟମରେ ରୋହିତ ବାହିନୀକୁ ଶୁଭେଛା ଜଣାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us