ଉତ୍ତର ପୂର୍ବ ଭାରତର ୩ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ତରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ଏହି ୩ ରାଜ୍ୟରେ ଆୟୋଜିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ନେତାଙ୍କ ଶପଥପାଠ ଉତ୍ସବରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ। ତ୍ରିପୁରାରେ ବିଜେପି ସରକାର ଗଠନ ପାଇଁ ସ୍ପଷ୍ଟ ଜନମତ ପାଇଥିବା ବେଳେ ମେଘାଳୟ ଓ ନାଗାଲାଣ୍ଡରେ ଜୁନୟର ପାର୍ଟନର ଭାବେ କ୍ଷମତା ଦଖଲ କରିବାକୁ ଯାଉଛି।
ଉତ୍ତରପୂର୍ବ ରାଜ୍ୟରେ ବିଜେପି ନିଜର ଦବଦବା ଜାରି ରଖିବା ଓ ଏହି ଅଞ୍ଚଳ ପ୍ରତି ଅତ୍ୟନ୍ତ ଭଲ ପାଇବା ରହିଛି ବୋଲି ଦେଖାଇବା ପାଇଁ ମୋଦି ଶପଥପାଠ ଉତ୍ସବରେ ସାମିଲ ହେବାକୁ ଯାଉଥିବା କୁହାଯାଉଛି। ପ୍ରଧାନମନ୍ତ୍ରୀ ମୋଦି ମାର୍ଚ୍ଚ ୭ରେ ନାଗାଲାଣ୍ଡ ଓ ମେଘାଳୟରେ ଆୟୋଜିତ ହେବାକୁ ଥିବା ଶପଥପାଠ ଉତ୍ସବରେ ସାମିଲ ହେବେ। ଏହାର ଦିନକ ପରେ ତ୍ରିପୁରାରେ ମୁଖ୍ୟମନ୍ତ୍ରୀଙ୍କ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେବେ।
୩ ରାଜ୍ୟର ସଫଳତା ପରେ ବିଜେପି ପକ୍ଷରୁ ଦିଲ୍ଲୀରେ ବିଜୟ ଉତ୍ସବ ପାଳନ କରାଯାଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଦଳୀୟ କର୍ମୀ ଓ ନେତାଙ୍କୁ ସମ୍ବୋଧନ କରିଥିଲେ। ଏଥିସହ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ।
ବିଜେପି ତ୍ରିପୁରାରେ ବେଶ ସହଜରେ ସରକାର ଗଠନ କରିଥିବା ବେଳେ ନାଗାଲାଣ୍ଡରେ ଏନଡିପିପି ସହ ମେଣ୍ଟ କରି କ୍ଷମତାରେ ବସିବ। ମେଘାଳୟରେ ଏନସିପି ଓ ବିଜେପି ମିଳିତ ଭାବେ ସରକାର ଗଠନ କରିବାକୁ ଯାଉଛନ୍ତି।
ମେଘାଳୟ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସରକାର ଗଠନ ପାଇଁ ସ୍ପଷ୍ଟ ବହୁମତ ମିଳି ନଥିଲା। ତେଣୁ ଏନପିପି ସର୍ବବୃହତ୍ତ ଦଳ ଭାବେ ବିଜେପି ଓ ଆଉ କିଛି ସ୍ୱାଧୀନ ବିଧାୟକଙ୍କୁ ନେଇ ସରକାର ଗଠନ କରିବାକୁ ଯାଉଛି।