/odisha-reporter/media/post_attachments/uploadimage/library/16_9/16_9_0/IMAGE_1755252891.jpg)
PM Narendra Modi
୭୯ ତମ ସ୍ୱାଧୀନତା ଦିବସ ଅବସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଉତ୍ତୋଳନ କରି ଲାଲକିଲ୍ଳାରୁ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ‘ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା’ର ଘୋଷଣା କରିଛନ୍ତି।
ଏହି ଯୋଜନାରେ ଘରୋଇ କ୍ଷେତ୍ରରେ (ପ୍ରାଇଭେଟ୍ ସେକ୍ଟରରେ) ପ୍ରଥମ ଥର ଚାକିରି ପାଉଥିବା ଯୁବକଯୁବତୀମାନଙ୍କୁ ୧୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏହି ଯୋଜନା ପାଇଁ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏଥିରେ ଆସନ୍ତା ୨ ବର୍ଷରେ ୩.୫ କୋଟି ଯୁବକଯୁବତୀ ଉପକୃତ ହେବେ। ଏହା ସହିତ ଚାକିରି ଦେଉଥିବା କମ୍ପାନୀଗୁଡ଼ିକୁ ମଧ୍ୟ ପ୍ରୋତ୍ସାହନ ରାଶି ମିଳିବ।
ଏହି ଯୋଜନା ସଂପର୍କରେ ଘୋଷଣା କରି ପ୍ରଧାନମନ୍ତ୍ରୀ କହିଥିଲେ, ଦେଶର ଯୁବକଯୁବତୀମାନଙ୍କ ପାଇଁ ଖୁସି ଖବର ଆଣିଛି। ଆଜି ଅର୍ଥାତ୍ ଅଗଷ୍ଟ ୧୫ରୁ ହିଁ ଦେଶରେ ଯୁବବର୍ଗଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ଏକ ଯୋଜନା ଆରମ୍ଭ କରାଯାଉଛି। ଆଜିଠାରୁ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଲାଗୁ କରାଯାଉଛି।
ସେ କହିଥିଲେ, ଏହି ଯୋଜନାରେ ଘରୋଇ କ୍ଷେତ୍ରରେ ପ୍ରଥମ ଥର ପାଇଁ ଚାକିରି ପାଇଲେ ଯୁବବର୍ଗଙ୍କୁ ୧୫ ହଜାର ଟଙ୍କା ଦିଆଯିବ। ଯେଉଁ କମ୍ପାନୀମାନେ ନୂଆ ରୋଜଗାରର ସୁଯୋଗ ସୃଷ୍ଟି କରିବେ, ସେମାନଙ୍କୁ ମଧ୍ୟ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏଥିରେ ଦେଶର ସାଢ଼େ ୩ କୋଟି ଯୁବକଯୁବତୀ ଉପକୃତ ହେବେ।
କାହାକୁ ଓ କେମିତି ମିଳିବ ପ୍ରୋତ୍ସାହନ ରାଶି
ଏହି ଯୋଜନା ବିଭିନ୍ନ ସେକ୍ଟରରେ ନୂଆ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ବିଶେଷ କରି ମ୍ୟାନୁଫେକଚରିଂ ସେକ୍ଟରରେ ଏହା ଫୋକସ କରିବ। ଏହି ଯୋଜନା ଦୁଇ ଭାଗରେ ବିଭକ୍ତ ହୋଇଛି। ପ୍ରଥମ ଭାଗ ଯେଉଁମାନେ ଚାକିରି କରିବେ, ସେମାନଙ୍କ ପରେ କେନ୍ଦ୍ରିତ ହୋଇଛି। ଦ୍ୱିତୀୟ ଭାଗ ନିଯୁକ୍ତିଦାତା ଅର୍ଥାତ୍ ନିଯୁକ୍ତି ଦେଉଥିବା କମ୍ପାନୀମାନଙ୍କ ଉପରେ କେନ୍ଦ୍ରିତ ହୋଇଛି।
ଯେଉଁମାନେ ଘରୋଇ କ୍ଷେତ୍ରରେ ପ୍ରଥମେ ଚାକିରି କରିବେ ଓ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ)ରେ ପଞ୍ଜୀକୃତ ହେବେ, ସେମାନଙ୍କୁ ଦୁଇଟି କିସ୍ତିରେ ସର୍ବାଧିକ ୧୫ ହଜାର ଟଙ୍କା ପ୍ରଦାନ କରାଯିବ। ପ୍ରଥମ କିସ୍ତି ଚାକିରିର ୬ ମାସ ପରେ ପ୍ରଦାନ କରାଯିବ। ସେହିପରି ଦ୍ୱିତୀୟ କିସ୍ତି ଚାକିରିର ୧୨ ମାସ ବା ୧ ବର୍ଷ ଏବଂ ବିତ୍ତୀୟ ସାକ୍ଷରତା କାର୍ଯ୍ୟକ୍ରମ ସଂପୂର୍ଣ୍ଣ କରିବା ପରେ ପ୍ରଦାନ କରାଯିବ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ କର୍ମଚାରୀଙ୍କ ସର୍ବାଧିକ ଦରମା ୧ ଲକ୍ଷ ଟଙ୍କା ହୋଇଥିବ, ସେମାନେ ସରକାରଙ୍କଠାରୁ ଏହି ପ୍ରୋତ୍ସାହନ ରାଶି ପାଇବେ। ୧ ଲକ୍ଷରୁ ଅଧିକ ଦରମା ପାଉଥିବା କର୍ମଚାରୀଙ୍କୁ ଏହି ପ୍ରୋତ୍ସାହନ ରାଶି ମିଳିବ ନାହିଁ।
ସେହିଭଳି ନିଯୁକ୍ତିଦାତାମାନଙ୍କୁ ପ୍ରତ୍ୟେକ ଅତିରିକ୍ତ କର୍ମଚାରୀ (ଯେଉଁମାନଙ୍କ ସର୍ବାଧିକ ବେତନ ୧ ଲକ୍ଷ ଟଙ୍କା ହୋଇଥିବା ଓ ଯେଉଁମାନେ ନିରନ୍ତର ଭାବେ ଅତିକମ୍ରେ ୬ ମାସ ଚାକିରି କରିଥିବେ) ପାଇଁ ଦୁଇ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ୩ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ବିନିର୍ମାଣ କ୍ଷେତ୍ରର ନିଯୁକ୍ତିଦାତାଙ୍କ ପାଇଁ ଏହି ପ୍ରୋତ୍ସାହନ ରାଶି ତୃତୀୟ ତଥା ଚତୁର୍ଥ ବର୍ଷ ପର୍ଯ୍ୟନ୍ତ ଜାରି ରହିବ।
ଇପିଏଫଓରେ ପଞ୍ଜୀକୃତ ପ୍ରତିଷ୍ଠାନଗୁଡ଼ିକୁ ଅତିକମ୍ରେ ଦୁଇ ଜଣ ଅତିରିକ୍ତ କର୍ମଚାରୀ (ଯଦି କର୍ମଚାରୀଙ୍କ ସଂଖ୍ୟା ୫୦ରୁ କମ୍) ବା ୫ ଅତିରିକ୍ତ କର୍ମଚାରୀ (ଯଦି କର୍ମଚାରୀ ସଂଖ୍ୟା ୫୦ରୁ ଅଧିକ)ଙ୍କୁ ଲଗାତାର ୬ ମାସ ପର୍ଯ୍ୟନ୍ତ ନିଯୁକ୍ତି ଦେବାକୁ ହେବ।
କେନ୍ଦ୍ର କ୍ୟାବିନେଟ୍ ଦେଇଥିଲା ମଞ୍ଜୁରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତ ଜୁଲାଇ ୧ ତାରିଖରେ ବସିଥିବା କ୍ୟାବିନେଟ୍ ବୈଠକରେ ଦେଶରେ ରୋଜଗାର ପ୍ରଦାନ ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଯୋଜନାକୁ ମଞ୍ଜୁରୀ ମିଳିଥିଲା। ପ୍ରାୟ ୯୯,୪୪୬ କୋଟି ଟଙ୍କାର ବଜେଟରେ ପ୍ରସ୍ତୁତ ‘ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା’ (PM-VBRY) ଦୁଇ ବର୍ଷରେ ୩.୫ କୋଟି ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହଯୋଗ କରିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି। ସେଥିରୁ ୧.୯୨ କୋଟି ହତାଧିକାରୀ ପ୍ରଥମ ଥର ଚାକିରି ପାଇବାକୁ ଥିବା ଯୁବକଯୁବତୀ ହେବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
