Advertisment

ଘର ଚାଲିଗଲା, ଆଶା ମଉଳିଲା: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାଂଘାତିକ ତ୍ରୁଟି, ଗଛ ତଳେ ପରିବାର

ପ୍ରଶାସନ କଥାରେ ସେ ନୂଆ ଘର ପାଇଁ ଏହାକୁ ଭାଙ୍ଗି ଦେଇଥିଲେ। ନୂଆ ଘର ପାଇବା ଆଶାରେ ସେ ବେଶ ଖୁସି ରହିଥିଲେ। କିନ୍ତୁ ତାଙ୍କ ଆଶା ମଉଳିବାରେ ଲାଗିଛି।

PMAY

PMAY

Advertisment

କୌଣସି ଝଡ଼ ବତାସ ଗୌରୀ ବାଈଙ୍କ ମୁଣ୍ଡ ଉପରର ଛାତକୁ ଉଡ଼ାଇ ନାହିଁ। ତାଙ୍କ ଜୀବନରେ ଝଡ଼ ଆଣିଛି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରହିଥିବା ସାଂଘାତିକ ତ୍ରୁଟି। ମଧ୍ୟପ୍ରଦେଶର ବିଧବା ଗୌରୀଙ୍କୁ ସରକାରୀ ଯୋଜନାରେ ଘର ମିଳିବା କଥା। କିନ୍ତୁ ସଫ୍ଟୱେୟାରରେ ତ୍ରୁଟି କାରଣରୁ ଏବେ ତାଙ୍କୁ ପରିବାର ସହ ଗଛ ତଳେ ଜୀବନ ବିତାଇବାକୁ ପଡ଼ୁଛି।

Advertisment

ତାଙ୍କ ପାଖରେ ଥିବା ମାଟି ଘର ଏବେ ଆଉ ନାହିଁ। ପ୍ରଶାସନ କଥାରେ ସେ ନୂଆ ଘର ପାଇଁ ଏହାକୁ ଭାଙ୍ଗି ଦେଇଥିଲେ। ନୂଆ ଘର ପାଇବା ଆଶାରେ ସେ ବେଶ ଖୁସି ରହିଥିଲେ। କିନ୍ତୁ ତାଙ୍କ ଆଶା ମଉଳିବାରେ ଲାଗିଛି।

ପ୍ରଧାନମନ୍ତ୍ରୀ ଆବାସନ ଯୋଜନାରେ ଦେଖା ଯାଇଥିବା ତ୍ରୁଟି ଏଯାଏ ସୁଧୁରି ନାହିଁ। ଏହି କାରଣରୁ ଗୌରୀ ଗୋଟିଏ ଗଛ ତଳେ ନିଜର ବିଧବା ବୋହୂ ଓ ୩ ନାତି ନାତୁଣୀଙ୍କୁ ନେଇ ରହୁଛନ୍ତି। ଧାର ଜିଲ୍ଲାର ଗୋଟିଏ ଗାଁରେ ଗୌରୀ ୧୦ ମାସ ହେଲା ଗଛ ତଳେ ପରିବାର ସହ ରହିଛନ୍ତି। ସ୍ଥାନୀୟ ପ୍ରଶାସନ ପ୍ରଥମେ ଗୌରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବ ବୋଲି କହିଥିଲା। କିନ୍ତୁ ଏହାର ଫାଇଦା ଉଠାଇବାକୁ ହେଲେ ତାଙ୍କୁ ପ୍ରଥମେ ସେ ରହୁଥିବା ମାଟି ଘରକୁ ଭାଙ୍ଗିବାକୁ ପଡ଼ିବ। ପ୍ରଶାସନ କଥାରେ ଗୌରୀ ନିଜ ମାଟି ଘରକୁ ଭାଙ୍ଗି ଦେଇଥିଲେ। ହେଲେ ଏଯାଏ ତାଙ୍କୁ ଘର ମିଳି ନାହିଁ।

Advertisment

ଗୌରୀ କହିଛନ୍ତି, “ସେମାନେ ମୋତେ ମୋ ଘର ଭାଙ୍ଗିବାକୁ କହିଥିଲେ। କାରଣ ଯାଞ୍ଚ ବେଳେ ଏଠାରେ କୌଣସି ଘର ନ ରହିବା ଜରୁରୀ ବୋଲି ସେମାନେ ଜଣାଇଥିଲେ।”

ପକ୍କା ଘର ପାଇବା ଆଶାରେ ନିଜ ଘରକୁ ଭାଙ୍ଗିଥିଲେ ଗୌରୀ

ପ୍ରଶାସନ କଥାରେ ଲୋହାରି ଗାଁରେ ରହୁଥିବା ୮୦ ବର୍ଷୀୟ ଗୌରୀ ୨୦୨୪ ସେପ୍ଟେମ୍ବର ମାସରେ ନିଜର ମାଟି ଘରକୁ ଭାଙ୍ଗି ଦେଇଥିଲେ। ଆଶା କରିଥିଲେ ଯେ ତାଙ୍କୁ ଶୀଘ୍ର ପକ୍କା ଘର ମିଳି ଯିବ। ହେଲେ ସେବେ ଠାରୁ ଅନେକ ଦିନ, ସପ୍ତାହ ଓ ମାସ ବିତି ଯାଇଥିଲେ ହେଁ ଗୌରୀଙ୍କୁ ଘର ମିଳି ନାହିଁ। ସେ ତାଙ୍କ ବୋହୂ ରାଧା ବାଈ ଓ ୩ ଛୋଟ ପିଲାଙ୍କୁ ଧରି ଖୋଲା ଆକାଶ ତଳେ ଶୀତ, ଖରା ଓ ଏବେ ବର୍ଷା ଦିନର ଯନ୍ତ୍ରଣା ସହିବାରେ ଲାଗିଛନ୍ତି। ଗୌରୀ କହିଛନ୍ତି, “ଗୋଟିଏ ଦିନ ଗାଁର ସରପଞ୍ଚ ଓ ପଞ୍ଚାୟତ ସମ୍ପାଦକ ମୋତେ କହିଥିଲେ ଯେ ମୋ ନାଁରେ ଘର ଇସ୍ୟୁ ହୋଇଛି।

ସେମାନଙ୍କ କଥାକୁ ବିଶ୍ୱାସ କରି ମୁଁ ମୋର ମାଟି ଘରକୁ ଭାଙ୍ଗି ଦେଇଥିଲି। ଘର ତିଆରି ପାଇଁ ଟଙ୍କା ଦେବାକୁ ମୁଁ ଅଧିକାରୀମାନଙ୍କୁ ଯୋଗାଯୋଗ କରିଥିଲି। ହେଲେ ସେମାନେ ମୋତେ ପ୍ରକ୍ରିୟା ଶେଷ ହେବା ଯାଏ ଅପେକ୍ଷା କରିବାକୁ କହିଥିଲେ। ସେବେଠାରୁ ମୁଁ ଅପେକ୍ଷା କରି ଗଛ ତଳେ ରହୁଛି। ଏଯାଏ ପ୍ରତିଶ୍ରୁତି ମୁତାବକ ଟଙ୍କା ମିଳିନି।”

ସରପଞ୍ଚ ଅମର ସିଂହ ମଧ୍ୟ ଗୌରୀଙ୍କ ସମସ୍ୟା ଦେଖି ଅସହାୟତା ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ହିତାଧିକାରୀ ତାଲିକାରେ ତାଙ୍କ ନାଁ ଥିବାରୁ ଆମେ ଘର ମିଳିବ ବୋଲି ତାଙ୍କୁ ଜଣାଇ ଦେଇଥିଲୁ। କିନ୍ତୁ ଯେତେବେଳେ ତାଙ୍କ ଆବେଦନକୁ ଅନଲାଇନରେ ଅପଲୋଡ କରାଯାଇଥିଲା ସେତେବେଳେ ଏହା ଆଉ ଆଗକୁ ଯାଇ ନଥିଲା। ବାରମ୍ବାର ଏରର ବା ତ୍ରୁଟି ଦେଖାଇଥିଲା। ଏହି ତ୍ରୁଟି ଗ୍ରାମଣୀ ସ୍ତରରେ ସମାଧାନ କରାଯାଇ ପାରିବ ନାହିଁ। ତାଙ୍କୁ ଜିଲ୍ଲାପାଳ ଅଫିସ ଯିବାକୁ ପଡ଼ିବ।”

୧୦ ମାସ ହେଲା ଗୌରୀ ଗଛ ତଳେ ରହୁଥିଲେ ହେଁ ଏକଥା ଜିଲ୍ଲାପାଳ କିମ୍ବା କୌଣସି ସରକାରୀ ବାବୁ ନ ଜାଣି ପାରିବା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଧର ଜିଲ୍ଲାପାଳ ପ୍ରିୟଙ୍କ ମିଶ୍ରଙ୍କ କହିବା କଥା ଯେ ସେ ଏଭଳି ସମସ୍ୟା କଥା ଜାଣି ନଥିଲେ। ଏବେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସେ ଗୌରୀଙ୍କ ସମସ୍ୟା ଯଥାଶୀଘ୍ର ସମାଧାନ କରିବେ ବୋଲି କହିଛନ୍ତି।

Madhya Pradesh PMAY Scam PMAY
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe