Advertisment

Rajya Sabha: ରାଜ୍ୟସଭାରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ମୋଦି: ବିରୋଧୀଙ୍କୁ କଲେ ତୀବ୍ର ସମାଲୋଚନା

ମୋଦିଙ୍କ ଭାଷଣ ଆରମ୍ଭରୁ ବିରୋଧୀ ନାରାବାଜୀ କରିଥିଲେ ହେଁ ଏହାକୁ ସେ କର୍ଣ୍ଣପାତ କରି ନଥିଲେ। ଲୋକସଭାରେ ବିରୋଧୀ ଦଳର ନେତାଙ୍କୁ କହିବାକୁ ଅନୁମତି ଦିଆଯାଉ ନଥିବାରୁ ବିରୋଧୀ ଦଳଗୁଡ଼ିକ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ।

author-image
Hemant Lenka
PM-Modi12

ରାଜ୍ୟସଭାରେ ମୋଦି

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେବା ସମୟରେ ବିରୋଧୀଙ୍କ ଉପରେ ଗର୍ଜିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିରୋଧୀଙ୍କ ନାରାବାଜୀ ଯୋଗୁ ବୁଧବାର ଲୋକସଭାରେ ନିଜର ଅଭିଭାଷଣ ରଖିବାକୁ ସକ୍ଷମ ହୋଇ ନଥିଲେ ମୋଦି। କିନ୍ତୁ ଆଜି ରାଜ୍ୟସଭା(Rajya Sabha)ରେ ସେ ବିରୋଧୀଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି।

Advertisment

ମୋଦିଙ୍କ ଭାଷଣ ଆରମ୍ଭରୁ ବିରୋଧୀ ନାରାବାଜୀ କରିଥିଲେ ହେଁ ଏହାକୁ ସେ କର୍ଣ୍ଣପାତ କରି ନଥିଲେ। ଲୋକସଭାରେ ବିରୋଧୀ ଦଳର ନେତାଙ୍କୁ କହିବାକୁ ଅନୁମତି ଦିଆଯାଉ ନଥିବାରୁ ବିରୋଧୀ ଦଳଗୁଡ଼ିକ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ। ତଥାପି ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ମୋଦି ପ୍ରଥମେ ବିକଶିତ ଭାରତ କଥା କହିଥିଲେ। ବିରୋଧୀ ଏହାକୁ ବିରୋଧ କରି କକ୍ଷତ୍ୟାଗ କରିବାରୁ ମୋଦି ସିଧା କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ନିଶାନା କରିଥିଲେ। 

ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରେ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ କଥା ଉଠାଇଛନ୍ତି। ସେହିସବୁ ଅଭିଭାଷଣରେ ନା କୌଣସି ଭିଜନ ଥିଲା ନା ଇଚ୍ଛାଶକ୍ତି ଥିଲା ବୋଲି ମୋଦି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ “ଆଜି ଭାରତ ସହ ଟ୍ରେଡ୍‌ ଡିଲ୍‌ ପାଇଁ ସାରା ବିଶ୍ୱ ଆଗ୍ରହୀ। ନିକଟରେ ୟୁରୋପୀୟ ସଂଘ ସହ ଟ୍ରେଡ୍‌ ଡିଲ୍‌ ହୋଇଥିଲା। ଆଉ ଏବେ ଆମେରିକା ସହ ଟ୍ରେଡ୍‌ ଡିଲ ବିଶ୍ୱର ବିଶ୍ୱାସ ବଢ଼ାଇଛି। ଏହି ଟ୍ରେଡ୍‌ ଡିଲ୍‌ରୁ ବିଶେଷକରି ଯୁବ ବର୍ଗ ବେଶୀ ଫାଇଦା ପାଇବେ।”

Advertisment

ରାଜ୍ୟସଭାରେ ବୋଫର୍ସ ପ୍ରସଙ୍ଗ ମଧ୍ୟ ଉଠାଇ କଂଗ୍ରେସକୁ ସମାଲୋଚନା କରିଛନ୍ତି ମୋଦି। କଂଗ୍ରେସ ଭାରତ ଓ ଆମେରିକା ଡିଲ ଉପରେ ପ୍ରଶ୍ନ ଉଠାଉଥିବାରୁ ମୋଦି ବୋଫର୍ସ କଥା କହିଛନ୍ତି। ସେ କହିଛନ୍ତି, “କଂଗ୍ରେସ ପାଇଁ ଡିଲ ହେଉଛି ବୋଫର୍ସ। ଆଜି କାଳେ ବୋଫର୍ସ ପ୍ରସଙ୍ଗ ଉଠିବ ସେଥିପାଇଁ କଂଗ୍ରେସ ସଦସ୍ୟ ଏଠାରୁ ପଳାଇଲେ। ନେହରୁ ‘ପ୍ଲାନିଙ୍ଗ କମିଶନ’ ଆରମ୍ଭ କରିଥିଲେ। ଆଉ ଇନ୍ଦିରା ଗାନ୍ଧି ଏହାର ଧଜିଆ ଉଡ଼ାଇଲେ।

୨୦୧୪ ଆମ ସରକାର ‘ପ୍ଲାନିଙ୍ଗ କମିଶନ’ ହଟାଇଲା। ‘ପ୍ଲାନିଙ୍ଗ କମିଶନ’ ସ୍ଥାନରେ ଆମ ସରକାର ନୀତି ଆୟୋଗ ଆଣିଲେ। ଆଉ ନୀତି ଆୟୋଗ’ର ସୁଫଳ ଆଜି ଦେଶବାସୀ ପାଉଛନ୍ତି। କଂଗ୍ରେସ ଲୋକଙ୍କୁ ଏହା ଆଦୌ ଦୃଶ୍ୟ ହେଉନି। ଯୋଜନାକୁ କାର୍ଯ୍ୟାନ୍ୱୟନ କରିବାରେ କଂଗ୍ରେସ ବିଫଳ।

ଆସାମର ଭୋଗିବିଲ ବ୍ରିଜ୍‌ ଦଶନ୍ଧି ଦଶନ୍ଧି ଧରି ହୋଇପାରୁ ନ ଥିଲା। ଆମେ ଏହାକୁ ସମ୍ପୂର୍ଣ୍ଣ କରି ଆସାମ-ଅରୁଣାଚଳ ପ୍ରଦେଶକୁ ଯୋଡ଼ିଛୁ। ବ୍ୟାଙ୍କିଙ୍ଗ ବ୍ୟବସ୍ଥା ପୂରା ଖରାପ କରି ଦେଇଥିଲା କଂଗ୍ରେସ। ରୁଗ୍‌ଣ ବ୍ୟାଙ୍କଗୁଡ଼ିକୁ ବଡ଼ ବ୍ୟାଙ୍କ ସହ ଯୋଡ଼ି ଦିଆଗଲା। ଫଳରେ ଯେଉଁ ଗରିବ ବ୍ୟାଙ୍କ ଦୁଆର ଦେଖି ନ ଥିଲେ ଋଣ ପାଇଲେ। ମୁଦ୍ରା ଯୋଜନାରେ ୩୦ ଲକ୍ଷ କୋଟି ଋଣ ପ୍ରଦାନ ବଡ଼ ସଫଳତା।” 

ନିଜ ଅଭିଭାଷଣରେ ଟିଏମସି ସାଂସଦମାନଙ୍କୁ ବି ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ ମୋଦି। ସେ କହିଛନ୍ତି, “ଟିଏମସି ସାଂସଦ ଓ ସେମାନଙ୍କ ଦଳ ଅନୁପ୍ରବେଶକାରୀଙ୍କ ପାଇଁ ଓକିଲାତି କରୁଛନ୍ତି। LICରେ ତାଲା ମାରିବା ଯୋଜନା କରିଥିଲେ ବିରୋଧୀ। ଆମ ସରକାର ଆସିବା ପରେ ଚିନ୍ତାଧାରା ବଦଳିଲା। ଆଜି LIC ସବୁଠୁ ଲାଭଦାୟକ ସଂସ୍ଥା ହୋଇପାରିଛି। ଛୋଟ ଚାଷୀଙ୍କ ପାଇଁ ଲାଗୁ ହୋଇଛି PM କିଷାନ ସମ୍ମାନନିଧି। ଛୋଟ ଚାଷୀଙ୍କ ପାଇଁ ଏହି ଯୋଜନାରେ ଦିଆଯାଇଛି ୪ ଲକ୍ଷ କୋଟି। ଯାହା କ୍ଷୁଦ୍ର ଚାଷୀଙ୍କ ମୁହଁରେ ଆନନ୍ଦ ଭରି ଦେଇଛି।” 

ପୂର୍ବତନ ପ୍ରଧାନମନ୍ତ୍ରୀ ନେହରୁ ଓ ଇନ୍ଦିରା ଗାନ୍ଧିଙ୍କୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି ମୋଦି। ଇରାନରେ ଇନ୍ଦିରା ଗାନ୍ଧି ଦେଇଥିବା ଭାଷଣ ପ୍ରସଙ୍ଗ ଉଠାଇ ସେ କହିଛନ୍ତି, “ଇନ୍ଦିରା ତାଙ୍କ ପିତା ନେହରୁଙ୍କ ସହ ହୋଇଥିବା ନିଜର ଆଲୋଚନା କଥା କହିଥିଲେ। ମୋ ବାପାଙ୍କୁ ସମସ୍ୟା ପଚାରିଲେ କୁହନ୍ତି ୩୫ କୋଟି। ଆଉ ସେତେବେଳେ ଆମ ଦେଶର ଲୋକସଂଖ୍ୟା ଥିଲା ୩୫ କୋଟି। ମାତ୍ର ଆମ ପାଇଁ ଆଜି ୧୪୦ କୋଟି ଲୋକ ହେଉଛନ୍ତି ଦେଶର ସମ୍ପଦ। ସେମାନେ ହେଉଛନ୍ତି ଆମର ନିୟନ୍ତା, ନିର୍ମାତା ଓ ସାମର୍ଥ୍ୟ।” 

ବିରୋଧୀ ଦଳ ନେତା ରାହୁଲ ଗାନ୍ଧି କେନ୍ଦ୍ରମନ୍ତ୍ରୀ ରବନୀତ ସିଂହ ବିଟ୍ଟୁଙ୍କ ପାଇଁ ପ୍ରୟୋଗ କରିଥିବା ଗଦ୍ଦାର ମନ୍ତବ୍ୟକୁ କଡ଼ା ନିନ୍ଦା କରିଛନ୍ତି ମୋଦି। ସେ କହିଛନ୍ତି, “କେତେ ଲୋକ କଂଗ୍ରେସ ଛାଡ଼ି ବିଜେପିକୁ ଆସିଛନ୍ତି। ହେଲେ ତାଙ୍କୁ(ବିଟ୍ଟୁ) କାହିଁକି ରାହୁଲ ଗଦ୍ଦାର ବୋଲି କହିଲେ?

କାରଣ ତାଙ୍କର ଶିଖ୍‌ ସମ୍ପ୍ରଦାୟ ପ୍ରତି ଥିବା ଘୃଣା ଭାବକୁ ସେ ସମସ୍ତଙ୍କୁ ଜଣାଇଛନ୍ତି। ଏହା କଂଗ୍ରେସର ଶିଖ୍‌ ସମ୍ପ୍ରଦାୟ ପ୍ରତି ମନୋଭାବ। ଏହି ଲୋକ କଂଗ୍ରେସର ନେତୃତ୍ୱ ନେଲେ ଦଳକୁ ବୁଡ଼ାଇବେନି ତ ଆଉ କଣ ହେବ?” 

Rajya Sabha