Advertisment

ବନ୍ଧୁକ ଦେଖାଇ ଭୋଟରଙ୍କୁ ଅଟକାଉଛି ପୁଲିସ? ଭିଡିଓ ଶେୟାର କଲେ ଅଖିଲେଶ ଯାଦବ

ଭୋଟରଙ୍କୁ ବନ୍ଧୁକ ଦେଖାଇ ଧମକ ଦେଉଛି ପୁଲିସ। ଭିଡିଓ ଶେୟାର କରି ବଡ଼ ଅଭିଯୋଗ ଆଣିଲେ ଅଖିଲେଶ। କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ ଆୟୋଗଙ୍କୁ କଲେ ଦାବି।

author-image
Debadatta Aryashrestha
ଅଦ୍ୟତନ ହୋଇଛି
Screenshot of Video that shared by Akhilesh Yadav

Screenshot of Video that shared by Akhilesh Yadav

ଉତ୍ତର ପ୍ରଦେଶର ୯ଟି ବିଧାନସଭା ଆସନରେ ଉପ-ନିର୍ବାଚନ ପାଇଁ ମତଦାନ ଚାଲିଛି। ମୁଜାଫରନଗରର ମୀରାପୁର ଆସନରେ ମଧ୍ୟ ଚାଲିଛି ଭୋଟିଂ। ଏଭଳି ସମୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ଉତ୍ତର ପ୍ରଦେଶରେ ଉପ-ନିର୍ବାଚନ ସମୟରେ ଅନେକ ସ୍ଥାନରେ ଭୋଟରଙ୍କୁ ଭୋଟ୍ ଦେବାକୁ ଦିଆଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି ଅଖିଲେଶ। ମୀରାପୁରର କକରୌଲି ଥାନା ଅଞ୍ଚଳରେ ଭୋଟରଙ୍କୁ ବନ୍ଧୁକ ଦେଖାଇ ପୁଲିସ ଧମକ ଦେଉଥିବା ଏକ ଭିଡିଓ ସେ ସୋଶାଲ ମିଡିଆରେ ଶେୟାର କରିଛନ୍ତି।

Advertisment

ଅଖିଲେଶ ଯାଦବ ଏକ୍ସରେ ଏହି ଭିଡିଓ ଶେୟାର କରି ଲେଖିଛନ୍ତି, ‘ନିର୍ବାଚନ ଆୟୋଗ ମୀରାପୁରର କକରୌଲି ଥାନାର SHOଙ୍କୁ ତୁରନ୍ତ ନିଲମ୍ବନ କରନ୍ତୁ, କାରଣ ସେ ଭୋଟରଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ସହ ଭୋଟ୍ ଦେବାରେ ଅଟକାଉଛନ୍ତି।’ ଅଖିଲେଶ ଶେୟାର କରିଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ପୁଲିସ ଅଧିକାରୀ  ଦେହରେ ସୁରକ୍ଷା ଗାର୍ଡ ଓ ହେଲମେଟ ପିନ୍ଧିଛନ୍ତି। ସେ ହାତରେ ଏକ ବନ୍ଧୁକ ଧରି କିଛି ମହିଳା ଭୋଟରଙ୍କୁ ଦେଖାଇ ଆଗକୁ ଯିବାକୁ ଦେଉନାହାନ୍ତି। ମହିଳାମାନେ କାହିଁକି ଭୋଟ ଦେବାକୁ ଯାଇପାରିବେ ନାହିଁ ବୋଲି ବାରମ୍ବାର ପଚାରୁଛନ୍ତି। ତେବେ ବନ୍ଧୁକ ଧରିଥିବା ପୁଲିସ ଅଧିକାରୀ ଓ ଉପସ୍ଥିତ ଅନ୍ୟ ପୁଲିସ ଫୋର୍ସ ସେମାନଙ୍କୁ ଘରକୁ ଫେରିଯିବାକୁ ବାଧ୍ୟ କରୁଥିବା ଦେଖିବାକୁ ମିଳୁଛି।

Advertisment

ଅନ୍ୟପଟେ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଲେଶ କହିଛନ୍ତି ଯେ, ପରାଜୟ ଭୟରେ ବିଜେପି ମତଦାନରେ ଅନିୟମିତତା ସୃଷ୍ଟି କରୁଛି। ଅଖିଳେଶ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ‘ଏଜେଣ୍ଟ ହେବା ନେଇ ସକାଳେ ସମସ୍ୟା ଦେଖାଦେଇଥିଲା। ଏହା ସତ୍ତ୍ୱେ ସମାଜବାଦୀ ପାର୍ଟି କର୍ମୀମାନେ ଦାୟିତ୍ୱର ସହିତ ଏଜେଣ୍ଟ ହୋଇଥିଲେ। ପୁଲିସ ସେମାନଙ୍କୁ ବାରମ୍ବାର ଅଟକାଇବାକୁ ଚେଷ୍ଟା କରିଥିଲା। ଭୋଟ୍ ଗ୍ରହଣ ସମୟରେ ନାନା ଅଭିଯୋଗ ଆସୁଛି। ମୀରାପୁର ବିଧାନସଭାଠାରୁ ମିର୍ଜାପୁର ପର୍ଯ୍ୟନ୍ତ ଅନେକ ଅଭିଯୋଗ ରହିଛି।’ ପ୍ରକାଶ ଥାଉ, ଏହାପୂର୍ବରୁ ମୀରାପୁର ଆସନରେ ଉପ-ନିର୍ବାଚନ ପାଇଁ ଚାଲିଥିବା ମତଦାନ ସମୟରେ ଏକ ବଡ଼ ଧରଣର ଅଶାନ୍ତି ଦେଖାଦେଇଥିଲା। କିଛି ଲୋକ କକରୌଲିରେ ପୁଲିସ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିଲେ। ଏହାପରେ ପୁଲିସ ଅଶାନ୍ତି ସୃଷ୍ଟିକାରୀ ଲୋକଙ୍କୁ ଘଉଡାଇ ଦେଇଥିଲା।

Bjp Akhilesh Yadav Uttar Pradesh Samajwadi Party UP By Poll Police Threatening Voters