ତିରୁପତି ମନ୍ଦିର
ପୁଣି ତିରୁପତି(Tirupati) ମନ୍ଦିରରେ ବଡ଼ ଧରଣର ଆର୍ଥିକ ହେରଫେର। ୫୪ କୋଟିର ସିଲ୍କ ଓଢ଼ଣୀ ସାମ୍ନାକୁ ଆସିବା ପରେ ଦୋହଲି ଯାଇଛି ତିରୁମାଲା ତିରୁପତି ଦେବସ୍ଥାନମ୍ସ (ଟିଟିଡି)। ଆନ୍ଧ୍ର ପ୍ରଦେଶ(Andhra)ର ପ୍ରସିଦ୍ଧ ତିରୁମାଳା ମନ୍ଦିରର ପରିଚାଳନା ଦାୟିତ୍ୱ ଟିଟିଡି ହାତରେ ହିଁ ରହିଛି। ତେବେ ୨୦୧୫ରୁ ୨୦୨୫ ଯାଏ ଏଠାରେ ଚାଲିଥିବା ଓଢ଼ଣୀ ସ୍କାମ ଯୋଗୁ ୫୪ କୋଟି ଟଙ୍କାର ହେରଫେର ହୋଇଥିବା ଜଣାପଡ଼ିଛି।
ପୂରା ଠକେଇ ଗୋଟିଏ ଆଭ୍ୟନ୍ତରୀଣ ଭିଜିଲାନ୍ସ ତଦନ୍ତ ପରେ ସାମ୍ନାକୁ ଆସିଛି। ତଦନ୍ତରୁ ଜଣାପଡ଼ିଛି ଯେ ମନ୍ଦିରକୁ ଓଢ଼ଣୀ ଯୋଗାଉଥିବା ଜଣେ କଣ୍ଟ୍ରାକ୍ଟର ନିୟମିତ ଭାବେ ୧୦୦% ପଲିଷ୍ଟର ଓଢ଼ଣୀ ଦେଇଚାଲିଥିଲେ। କିନ୍ତୁ ସେ ବିଲ୍ରେ ଏହାକୁ ପୂରା ମୁଲବେରୀ ସିଲ୍କ ଓଢ଼ଣୀ ଭାବେ ଉଲ୍ଲେଖ କରିଛନ୍ତି। ସେହି ଅନୁସାରେ ଦାମ ମଧ୍ୟ ବିଲରେ ରହିଛି।
ଟିଟିବି ବୋର୍ଡର ଅଧ୍ୟକ୍ଷ ବିଆର ନାଇଡୁ ଏହାକୁ ନେଇ ଚିନ୍ତା ପ୍ରକଟ କରିବା ପରେ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ବେଳେ ୫୪ କୋଟି ଟଙ୍କାର ଠକେଇ ସମ୍ପର୍କରେ ସୂଚନା ମିଳିଛି।
ବାସ୍ତବରେ ଓଢ଼ଣୀ ପାଇଁ ଶୁଦ୍ଧ ମୁଲବେରୀ ସିଲ୍କ କପଡ଼ା ଯୋଗାଣ କରାଯିବା କଥା। ହେଲେ କଣ୍ଟ୍ରାକ୍ଟର ଜଣଙ୍କ ଶସ୍ତା ପଲିଷ୍ଟର ଜିନିଷ ପଠାଉଥିଲେ। ଏହି ଓଢ଼ଣୀଗୁଡ଼ିକୁ ମନ୍ଦିରକୁ ଦାନ କରୁଥିବା ଲୋକଙ୍କୁ ଦିଆଯାଏ। ଏଥିସହ ମନ୍ଦିରର ପାରମ୍ପରିକ ବେଦଶ୍ରୀବାଚନମ ସମୟରେ ବ୍ୟବହାର କରାଯାଏ। ହେଲେ ୧୦ ବର୍ଷ ଧରି ଏଥିରେ ହେରଫେର କରାଯାଉଥିଲା। ଏଥିଯୋଗୁ ମନ୍ଦିର ଟ୍ରଷ୍ଟକୁ ପ୍ରାୟ ୫୪ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି।
ବିଆର ନାଇଡୁ କହିଛନ୍ତି, “ଗୋଟିଏ ଓଢ଼ଣୀ/ଉତ୍ତରୀୟ/ଚଦର ପାଇଁ ୩୫୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବିଲରେ ଏହାର ଦାମ ୧୩୦୦ ଟଙ୍କା ଉଲ୍ଲେଖ କରାଯାଇଥିଲା। ଏପରି ଭାବେ ୫୦ କୋଟିରୁ ଅଧିକ ଟଙ୍କାର ହେରଫେର ହୋଇଛି। ଆମେ ଏବେ ଦୁର୍ନୀତି ନିରୋଧ ଶାଖାକୁ ଏହାର ତଦନ୍ତ ପାଇଁ କହିଛୁ।”
ଓଢ଼ଣୀର ନମୁନାର ବିଜ୍ଞାନ ଭିତ୍ତିକ ଯାଞ୍ଚ ପାଇଁ ଦୁଇଟି ଲ୍ୟାବକୁ ପଠା ଯାଇଥିଲା। ଗୋଟିଏ ଟେଷ୍ଟ କେନ୍ଦ୍ରୀୟ ସିଲ୍କ ବୋର୍ଡ ଅଧୀନରେ ହୋଇଥିଲା। ଉଭୟ ଲ୍ୟାବ ଟେଷ୍ଟରୁ ସ୍ପଷ୍ଟ ହୋଇଛି ଯେ ଓଢ଼ଣୀ ତିଆରି ପାଇଁ ବ୍ୟବହୃତ ହୋଇଥିବା ଜିତିଷ ସଂପୂର୍ଣ୍ଣ ପଲିଷ୍ଟର। ଏହା ଠିକା ସର୍ତ୍ତାବଳୀର ସଂପୂର୍ଣ୍ଣ ଉଲ୍ଲଙ୍ଘନ।
ଯୋଗାଣ ହୋଇଥିବା ଜିନିଷରେ ବାଧ୍ୟତାମୂଳକ ସିଲ୍କ ହୋଲୋଗ୍ରାମ ନଥିଲା ବୋଲି ମଧ୍ୟ ତଦନ୍ତରୁ ଜଣାପଡ଼ିଛି। ୧୦ ବର୍ଷ ଧରି ଗୋଟିଏ କମ୍ପାନୀ ଓ ଏହା ସହ ଜଡ଼ିତ ସଂସ୍ଥା ହିଁ ବିପୁଳ ପରିମାଣର କପଡ଼ା ଟିଟିଡିକୁ ଯୋଗାଇ ଠକେଇ କରିଥିଲେ।
ଭିଜିଲାନ୍ସ ରିପୋର୍ଟ ପରେ ଟିଟିଡି ଟ୍ରଷ୍ଟ ବୋର୍ଡ ତତ୍କାଳ ଭାବେ ସମସ୍ତ ପ୍ରକାରର ଚୁକ୍ତିକୁ ବାତିଲ କରି ଦେଇଛି। ସେହିପରି ପୂରା ଘଟଣାର ଅପରାଧିକ ଦିଗର ତଦନ୍ତ ପାଇଁ ଏସିବିକୁ କହିଛି।
ଏହାପୂର୍ବରୁ ତିରୁପତି ମନ୍ଦିରରେ ଲଡ଼ୁ ତିଆରି ପାଇଁ ନିମ୍ନମାନର ଘିଅର ବ୍ୟବହାର ହୋଇଥିବା ଜଣାପଡ଼ିଥିଲା। ସେହିପରି ମନ୍ଦିରର ହୁଣ୍ଡିରୁ ଟଙ୍କା ଚୋରି ହେବା ଘଟଣା ସମସ୍ତଙ୍କୁ ଚିକିତ କରିଥିଲା। ଏବେ ତିରୁପମତି ମନ୍ଦିରରେ ଓଢ଼ଣୀ ସ୍କାମ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/12/10/tirupati-2025-12-10-15-49-29.jpg)