Advertisment

ପର୍ଯ୍ୟଟକଙ୍କୁ ବଞ୍ଚାଇବା ପାଇଁ ଆତଙ୍କବାଦୀଙ୍କ ସହ ଶେଷ ଯାଏ ଲଢ଼ିଥିଲେ ସୟିଦ ଆଦିଲ ହୁସେନ ଶାହ

ହୁସେନ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ଥିଲେ। ତାଙ୍କ ରୋଜଗାର ଉପରେ ବୁଢ଼ା ବାପା ମା’, ପତ୍ନୀ ଓ ପିଲାମାନେ ନିର୍ଭର କରୁଥିଲେ।

author-image
Hemant Lenka
tourists

tourists

ଭାରତର ମିନି ସ୍ୱିଜରଲ୍ୟାଣ୍ଡ ତଥା ଜମ୍ମୁ-କଶ୍ମୀରର ଅନନ୍ତନାଗ ଅନ୍ତର୍ଗତ ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପୂରା ଦେଶକୁ ସ୍ତବ୍ଧ କରି ଦେଇଛି। ୫ରୁ ୬ ଜଣ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ପ୍ରାକୃତି ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିବା ପର୍ଯ୍ୟଟକଙ୍କ ଉପରକୁ ଗୁଳି ମାଡ଼ କରିଛନ୍ତି। ସେମାନେ ପୁରୁଷ ପର୍ଯ୍ୟଟକଙ୍କୁ ଗୁଳି କରିଥିଲେ। ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Advertisment

ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ପଚାରିବା ପରେ ଗୁଳି କରିଥିବା କୁହାଯାଉଛି। ଘଟଣା ପରେ ଆତଙ୍କବାଦୀମାନେ କେବଳ ହିନ୍ଦୁମାନଙ୍କୁ ଖୋଜି ଖୋଜି ମାରିଥିବା ସୋଶାଲ ମିଡିଆରେ ପ୍ରଚାର ଓ ପ୍ରସାର କରାଯାଉଛି। ହେଲେ ୨୬ ମୃତକଙ୍କ ମଧ୍ୟରେ ଜଣେ ମୁସଲମାନ ମଧ୍ୟ ରହିଛନ୍ତି। ତାଙ୍କ ନାଁ ହେଲା ସୟିଦ ଆଦିଲ ହୁସେନ ଶାହ। ସେ ନିଜର ଶେଷ ନିଃଶ୍ୱାସ ଯାଏ ପର୍ଯ୍ୟଟକଙ୍କୁ ବଞ୍ଚାଇବା ପାଇଁ ଲଢ଼େଇ କରିଥିଲେ। ଏପରି କି ସେ ଜଣେ ଆତଙ୍କବାଦୀ ଠାରୁ ରାଇଫଲ ଛଡ଼ାଇ ଆଣିବାକୁ ଚେଷ୍ଟା କରିଥିଲେ। ହେଲେ ଟାର୍ଗେଟ କିଲିଂ କରୁଥିବା ଆତଙ୍କବାଦୀମାନେ ହୁସେନଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି।

ସୟିଦ ଆଦିଲ ହୁସେନ ଶାହ ସ୍ଥାନୀୟ ଅଞ୍ଚଳରେ ଘୋଡ଼ା ବାଲା ଭାବେ କାମ କରନ୍ତି। ସେ ପର୍ଯ୍ୟଟକଙ୍କୁ କାର ପାର୍କିଂ ସ୍ଥଳରୁ ପହଲଗାମ ସ୍ଥିତ ବୈସରାନ ଉପତ୍ୟକାକୁ ଘୋଡ଼ାରେ ନେବା ଆଣିବା ସେବା ଯୋଗାଇ ଦିଅନ୍ତି। କାରଣ ବୈସରାନ ଉପତ୍ୟକାକୁ କେବଳ ଚାଲିକି କିମ୍ବା ଘୋଡ଼ାରେ ଯିବା ପାଇଁ ବ୍ୟବସ୍ଥା ରହିଛି। ସେଠାରେ ଘୋଡ଼ା ସେବା ଯୋଗାଇ ସୟିଦ ଆଦିଲ ହୁସେନ ରୋଜଗାର କରିବା ସହ ପରିବାର ଚଳାନ୍ତି।

Advertisment

ମଙ୍ଗଳବାର ଆତଙ୍କବାଦୀ ହମଲା ବେଳେ ହୁସେନ ସେଠାରେ ଉପସ୍ଥିତ ରହିଥିଲେ। ଆତଙ୍କବାଦୀମାନେ ପୁରୁଷ ପର୍ଯ୍ୟଟକଙ୍କୁ ଗୁଳି କରୁଥିବା ବେଳେ ହୁସେନ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ପର୍ଯ୍ୟଟକମାନେ ତାଙ୍କର ଅତିଥି ହୋଇଥିବାରୁ ହୁସେନ ଗୁଳି ମାଡ଼କୁ ଖାତିର ନ କରି ସାମ୍ନାରେ ଛିଡ଼ା ହୋଇଥିଲେ। ଏପରି କି ସେ ଜଣେ ଆତଙ୍କବାଦୀ ଠାରୁ ବନ୍ଧୁକ ଛଡ଼ାଇବାକୁ ଚେଷ୍ଟା ବି କରିଥିଲେ। ହେଲେ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ହୁସେନ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ଥିଲେ। ତାଙ୍କ ରୋଜଗାର ଉପରେ ବୁଢ଼ା ବାପା ମା’, ପତ୍ନୀ ଓ ପିଲାମାନେ ନିର୍ଭର କରୁଥିଲେ। ଏବେ ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକ ପୂରା ଏକା ହୋଇ ଯାଇଛନ୍ତି। ସେମାନେ ନ୍ୟାୟ ଦାବି କରିଛନ୍ତି। ହୁସେନଙ୍କ ଘର ଜମ୍ମୁ-କଶ୍ମୀରର ଅନନ୍ତନାଗରେ। ସେ ପହଲଗାମରେ ଘୋଡ଼ା ବାଲା ଭାବେ କାମ କରନ୍ତି।

ତାଙ୍କ ବାପା ସୟିଦ ହାଇଦର ଶାହ କହିଛନ୍ତି, “କାମ ପାଇଁ ମୋ ପୁଅ ମଙ୍ଗଳବାର ପହଲଗାମ ଯାଇଥିଲେ। ଦିନ ପ୍ରାୟ ୩ଟା ବେଳେ ଆମେ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସୂଚନା ପାଇଥିଲୁ। ଆମେ ତା’କୁ ଫୋନ କରିଥିଲେ ହେଁ ଏହା ଅଫ ହୋଇଯାଇଥିଲା। ଦିନ ପ୍ରାୟ ୪.୪୦ରେ ତା’ ଫୋନ ଅନ ହୋଇଥିଲା। କିନ୍ତୁ କେହି ଉଠାଇ ନଥିଲେ। ଆମେ ତୁରନ୍ତ ପୁଲିସ ଷ୍ଟେସନ ଯାଇଥିଲୁ। ସେଠାରୁ ଆମ ପୁଅ ଆତଙ୍କବାଦୀ ହମଲାରେ ପ୍ରାଣ ହରାଇଥିବା ଜାଣିବାକୁ ପାଇଥିଲୁ। ଏହି ଘଟଣା ପାଇଁ ଯିଏ ବି ଦାୟୀ ସେମାନଙ୍କୁ ନିଶ୍ଚିତ ଦଣ୍ଡ ମିଳିବା ଦରକାର। ଆମ ସଂସାର ଉଜୁଡ଼ି ଯାଇଛି।”

ଜମ୍ମୁ କଶ୍ମୀର ପହଲଗାମରେ ଘଟିଥିବା ଆତଙ୍କବାଦୀ ହମଲା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଆତଙ୍କବାଦୀମାନେ ଗୁଳି ମାରିବା ପୂର୍ବରୁ ସମସ୍ତଙ୍କୁ ନିଜ ନିଜର ଧର୍ମ ପଚାରିଥିଲେ। ଏହାପରେ ପୁରୁଷ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ପାଖାପାଖି ଅଧାଘଟା ଧରି ପହଲଗାମର ସୁନ୍ଦର ଘାସ ଗାଲିଚାରେ ଆତଙ୍କବାଦୀମାନେ ତାଣ୍ଡବ ରଚିଥିଲେ। ଏହି ଘଟଣାକୁ ନେଇ ଏବେ ଚାରିଆଡ଼େ ହଇଚଇ ସୃଷ୍ଟି କରିଛି।

Terror Attack Jammu Kashmir Pahalgam