Bombay
ଜଣେ ଯଦି ଆଧାର କାର୍ଡ, ପାନ କାର୍ଡ କିମ୍ବା ଭୋଟର କାର୍ଡ ରଖିଛନ୍ତି, ତା’ହେଲେ ସେହି ବ୍ୟକ୍ତି ଜଣଙ୍କ ଯେ ଭାରତର ନାଗରିକ ସେକଥା କୁହାଯାଇ ପାରିବ ନାହିଁ। ଏଭଳି କିଛି କହିଛନ୍ତି ବମ୍ବେ ହାଇକୋର୍ଟ। ବାଂଲାଦେଶରୁ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଜାମିନ ଦେବାକୁ କୋର୍ଟ ମନା କରି ଏପରି କଥା କହିଛନ୍ତି।
ଅଭିଯୁକ୍ତ ଜଣଙ୍କ ନିଜକୁ ଭାରତର ନାଗରିକ ବୋଲି କହୁଥିବା ବେଳେ ଦୀର୍ଘ ଦଶନ୍ଧି ଧରି ନକଲି କାଗଜପତ୍ର ଜରିଆରେ ଭାରତରେ ରହୁଥିବା ଅଭିଯୋଗ ହୋଇଛି। ତାଙ୍କ ଜାମିନ ଆବେଦନର ଶୁଣାଣି ବେଳେ ଜଷ୍ଟିସ ଅମିତ ବୋରକରଙ୍କ ଖଣ୍ଡପୀଠ କହିଛନ୍ତି ଯେ ଭାରତର ନାଗରିକ କିଏ ହୋଇପାରିବେ ଓ ସେ କେମିତି ନାଗରିକତା ହାସଲ କରିପାରିବେ, ତା’ର ପ୍ରାବଧାନ ନାଗରିକତା ଆଇନରେ ରହିଛି। ଆଧାର, ପାନ ଓ ଭୋଟର କାର୍ଡ କେବଳ ଚିହ୍ନଟ ପାଇଁ କିମ୍ବା ସେବା ପାଇବା ପାଇଁ।
କୋର୍ଟ ଅଭିଯୁକ୍ତ ବାବୁ ଅବଦୁଲ ରୌଫ ସର୍ଦାରଙ୍କୁ ଜାମିନ ଦେଇ ନାହାନ୍ତି। ସେ ପ୍ରାୟ ୧୦ ବର୍ଷ ତଳେ ବୈଧ ପାସପୋର୍ଟ ବିନା ଭାରତକୁ ଆସିଥିଲେ। ଏଠାରେ ସେ ଜାଲିଆତି କରି ନକଲି ଆଧାର, ପାନ, ଭୋଟର ପରିଚୟ ପତ୍ର ଓ ଭାରତୀୟ ପାସପୋର୍ଟ ହାସଲ କରିଥିବା ଅଭିଯୋଗ ହୋଇଛି।
ଜଷ୍ଟିସ ବୋରକରଙ୍କ କହିବା କଥା ଯେ ୧୯୫୫ରେ ଭାରତୀୟ ସଂସଦ ନାଗରିକତା ଆଇନ ପାରିତ କରିଥିଲା। ଏଥିରେ ନାଗରିକତା ହାସଲ ପାଇଁ ଗୋଟିଏ ସ୍ଥାୟୀ ଓ ସଂପୂର୍ଣ୍ଣ ବ୍ୟବସ୍ଥା ରହିଛି।
ଜଷ୍ଟିସ କହିଛନ୍ତି, “ମୋ ମତାମତ ହେଲା ୧୯୫୫ ନାଗରିକତା ଆଇନ ହେଉଛି ମୁଖ୍ୟ। ଆଜିର ଦିନରେ ନାଗରିକତା ଉପରେ ପ୍ରଶ୍ନକୁ ଏହି ଆଇନ ଦ୍ୱାରା ନିୟନ୍ତ୍ରଣ କରାଯାଇ ପାରିବ। ଏଥିରେ କିଏ ନାଗରିକ ହୋଇପାରିବେ, କେମିତି ନାଗରିକତା ହାସଲ କରାଯାଇ ପାରିବ ଓ କେଉଁ ପରିସ୍ଥିତିରେ ଜଣେ ନାଗରିକତା ହରାଇବେ, ସେସବୁ ରହିଛି।
କେବଳ ଆଧାର, ପାନ କାର୍ଡ କିମ୍ବା ଭୋଟର ପରିଚୟ ପତ୍ର ହାସଲ କରିନେଲେ ଜଣେ ଭାରତର ନାଗରିକ ହୋଇଯିବେ ନାହିଁ। ଏହି ଦସ୍ତାବିଜ ଗୁଡ଼ିକ କେବଳ ପରିଚୟ ଚିହ୍ନଟ ପାଇଁ। ଏହା ଆଦୌ ନାଗରିକତାର ପ୍ରମାଣ ଦିଏ ନାହିଁ। ଆଇନଗତ ନାଗରିକତା ଓ ବେଆଇନ ପ୍ରବାସୀଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ଆଇନରେ ଉଲ୍ଲେଖ ରହିଛି। ଏହାକୁ ସମସ୍ତେ ମନେ ରଖିବା ଦରକାର।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Bombay__1754996018.jpg)